କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରାଲିରେ ପଦ୍ମ ଧରିଛନ୍ତି ବଲିଉଡର ଚର୍ଚ୍ଚିତ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ମଞ୍ଚରେ ନିଜର ଡାଏଲଗ ମାଧ୍ୟମରେ ଜନସାଧାରଣଙ୍କ ମନୋରଞ୍ଜନ କରିଛନ୍ତି ମିଥୁନ ଦା' ।
ମଞ୍ଚରୁ ମିଥୁନ ରାଲିରେ ଉପସ୍ଥିତ ଜନସାଧାରଣଙ୍କୁ ଗୋଟିଏ ପରେ ଗୋଟିଏ ଡାଏଲଗ ଶୁଣାଇଛନ୍ତି । ମିଥୁନ ଦା' କହିଛନ୍ତି, ମୁଁ ଅସଲି କୋବ୍ରା । ଚୋଟ ମାରିବି ତ ତୁମେ ହୋଇଯିବ । ସେ କହିଛନ୍ତି, ବଙ୍ଗାଳୀ ହେବା ନେଇ ମୁଁ ଗର୍ବିତ । ମୋତେ ଜଣାଅଛି ଆପଣମାନେ ମୋ ଡାଏଲଗକୁ ପସନ୍ଦ କରୁଛନ୍ତି ।
70 ବର୍ଷୀୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗରେ ବେଶ ଲୋକପ୍ରିୟ । ମିଥୁନ କହିଛନ୍ତି, ଯିଏ ଆପଣଙ୍କ ଅଧିକାର ଛଡାଇବ ତା ବିରୋଧରେ ଆମେ ଛିଡା ହେବୁ । ଆଜିର ଦିନ ମୋ ପାଇଁ ଖାସ । ବଙ୍ଗରେ ରହୁଥିବା ପ୍ରତ୍ୟେକ ଲୋକ ବଙ୍ଗାଳୀ । ଗରିବଙ୍କ ପାଇଁ କାମ କରିବା ଆମ ସ୍ବପ୍ନ ବୋଲି କହିଛନ୍ତି ମିଥୁନ ।
ନିକଟରେ ଲୋକପ୍ରିୟ ବଙ୍ଗୀୟ ଅଭିନେତା ୟଶ ଦାଶଗୁପ୍ତା ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହିତ 12ରୁ ଉର୍ଦ୍ଧ୍ବ କଳାକାର ଧିରିଛନ୍ତି ପଦ୍ମ । ଦାଶଗୁପ୍ତା ବିଜେପିରେ ସାମିଲ ହେବାର ଦିନକ ପୂର୍ବରୁ ସଂଘ ପ୍ରମୁଖଙ୍କୁ ସାକ୍ଷାତ କରିଥିଲେ ମିଥୁନ ଚକ୍ରବର୍ତ୍ତୀ । ଏହାପରେ ହିଁ ମିଥୁନ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଥିଲା ।