ହାଇଦ୍ରାବାଦ: ବିରିୟାନୀ ନାଁ ଆସିଲେ ହାଇଦ୍ରାବାଦି ବିରିୟାନୀର କଥା ପଡ଼େ । ବିରିୟାନୀର ରାଜା ହେଉଛି ଏହି ହାଇଦ୍ରାବାଦୀ ବିରିୟାନୀ । ଖାଲି ଏହି ଅଞ୍ଚଳରେ ନୁହେଁ, ଦେଶର ଅନେକ ସ୍ଥାନରେ ହାଇଦ୍ରାବାଦୀ ବିରିୟାନୀ ମିଳିଥାଏ । ଏପରିକି ବିଦେଶୀ ମଧ୍ୟ ଭାରତୀୟ ଖାଦ୍ୟ କଥା ପଡ଼ିଲେ ବିରିୟାନୀର ନାମ ନେଉଥିବା ଦେଖିବାକୁ ମିଳେ । ଏହି ବିରିୟାନୀର ଚାହିଦା ବଢିଛି । ଚଳିତ ବର୍ଷ ଗତ ୬ ମାସରେ ହାଇଦ୍ରାବାଦର ଅଧିବାସୀ ପ୍ରାୟ ୭୨ ଲକ୍ଷ ବିରିୟାନୀ ଖାଇ ରେକର୍ଡ ସୃଷ୍ଟି କରିଛନ୍ତି ।
ପର୍ଯ୍ୟଟକଟିଏ ହାଇଦ୍ରାବାଦ ଆସିଲେ ଏଠାକାର ବିରିୟାନୀ ନ ଖାଇଲେ ତାର ଯାତ୍ରା ଅଧୁରା ସଦୃଶ୍ୟ । ହାଇଦ୍ରାବାଦର ଅଧିବାସୀ ମଧ୍ୟ ବିରିୟାନୀକୁ ବେଶ ପସନ୍ଦ କରିଥାନ୍ତି । ରିପୋର୍ଟ ଅନୁସାରେ ୨୦୨୩ ମସିହାରେ ହାଇଦ୍ରାବାଦର ଅଧିବାସୀ କେବଳ ୬ ମାସରେ ଖାଇଛନ୍ତି ୭୨ ଲକ୍ଷ ବିରିୟାନୀ । କେବଳ ଅନଲାଇନ ମାଧ୍ୟମରେ ଏତିକି ସଂଖ୍ୟକ ବିରିୟାନୀ ଅର୍ଡର ହୋଇଛି । ଯଦି ବାହାର ଦୋକାନ କିମ୍ବା ରେସ୍ତୋରାଁର ବିରିୟାନୀ ସଂଖ୍ୟାକୁ ମିଶାଯାଏ, ତେବେ ଏହା କୋଟି ପାର କରିବ । ହାଇଦ୍ରାବାଦରେ ବିରିୟାନୀର ଚାହିଦା ରହିଥିବାରୁ ବଜାରର ଗଳିକନ୍ଦିରେ ଏହି ଖାଦ୍ୟଟି ଆପଣଙ୍କୁ ସହଜରେ ମିଳିଯିବ ।
ଏହା ବି ପଢନ୍ତୁ- ନୂଆବର୍ଷରେ ବଢିଲା Hyderabadi Biryani ଚାହିଦା, ସନ୍ଧ୍ୟା ସୁଦ୍ଧା ୧.୬୫ ଲକ୍ଷ ପ୍ଲେଟ୍ ଅର୍ଡର
ତେବେ ଆସନ୍ତାକାଲି (ଜୁନ ୨) ବିଶ୍ବ ବିରିୟାନୀ ଦିବସ ହୋଇଥିବା ବେଳେ ଅନଲାଇନ ଖାଦ୍ୟ ସେବା ଯୋଗାଉଥିବା ସ୍ବିଗି ଏହି ରିପୋର୍ଟ ପ୍ରକାଶ କରିଛି । ଦେଶରେ ୫ଟି ବିରିୟାନୀ ଅର୍ଡର ମଧ୍ୟରୁ ଗୋଟିଏ ହାଇଦ୍ରାବାଦରୁ ହିଁ ହୋଇଥାଏ । ଅଧିକାଂଶ କୁକଟପଲ୍ଲିରୁ ବିରିୟାନୀ ଅର୍ଡର କରିଥାନ୍ତି । ଏହା ପଛକୁ ରହିଛନ୍ତି ମାଧପୁର, ବଞ୍ଜାରାହିଲ୍ସ ଓ ଗଚ୍ଛିବୋଲି ଅଧିବାସୀ । ଏଠାରୁ ହିଁ ଅଧିକାଂଶ ଅର୍ଡର ଆସିଥାଏ ବୋଲି କହିଛି ସ୍ବିଗି । ଦେଶରେ ଥିବା ୧୫ ହଜାର ରେସ୍ତୋରାଁ ଗ୍ରାହକଙ୍କୁ ହାଇଦ୍ରାବାଦି ବିରିୟାନୀ ସର୍ଭ କରିଥାନ୍ତି ।
ଚଳିତବର୍ଷ ନୂଆବର୍ଷ ସେଲିବ୍ରେସନରେ ସମସ୍ତ ଖାଦ୍ୟ ମଧ୍ୟରେ ସବୁଠୁ ଅଧିକ ଚାହିଦା ରହିଥିଲା ହାଇଦ୍ରାବାଦି ବିରିୟାନୀର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସନ୍ଧ୍ୟା ୭.୨୦ଟା ସୁଦ୍ଧା ଦେଶରେ ପ୍ରାୟ ୧.୬୫ ଲକ୍ଷ ପ୍ଲେଟ୍ ବିରିୟାନୀ ବିକ୍ରି ହୋଇଥିବା ବେଳେ ହାଇଦ୍ରାବାଦର ଲୋକପ୍ରିୟ ବିରିୟାନୀ ରେସ୍ତୋରାଁରେ ବାର୍ବଚୀ(Bawarchi)ରୁ ପ୍ରତି ମିନିଟରେ ୨ଟି ବିରିୟାନୀ ବିକ୍ରି ହୋଇଥିଲା । ସ୍ବିଗି (Swiggy)ର ଏକ ରିପୋର୍ଟ ଅନୁସାରେ ୨୦୨୨ ଡିସେମ୍ବର ୩୧ ତାରିଖରେ ସାରା ଦେଶରେ ମୋଟ ୩.୦୫ ଲକ୍ଷ ବିରିୟାନୀ ଓ ୨.୫ ଲକ୍ଷ ପିଜା(Pizza) ବିକ୍ରି ହୋଇଥିଲା ।