ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ ୨୦୨୩-୨୪ ବଜେଟ ଉପସ୍ଥାପନ କରୁଛନ୍ତି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣକାଳୀନ ବଜେଟରେ ପର୍ଯ୍ୟଟନ ବିଭାଗ ଉପରେ ବେଶ ଗୁରୁତ୍ବାରୋପ କରାଯାଇଛି । ଭାରତର ପର୍ଯ୍ୟଟନ ସ୍ଥଳୀର ପ୍ରମୋସନ ଲାଗି ମିଶନ ମୋଡରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି । ଉଭୟ ସ୍ବଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ଯୋଜନା ଲାଗି ଲକ୍ଷ୍ୟ ରଖାଯାଇଛି । ଖାଲି ସେତିକି ନୁହେଁ ପର୍ଯ୍ୟଟନ ବିଭାଗରେ ବିଶେଷ କରି ଯୁବଗୋଷ୍ଠୀଙ୍କ ଲାଗି ନିଯୁକ୍ତି ଓ ଯୁବ ଉଦ୍ୟୋଗୀଙ୍କ ଲାଗି ପୁଞ୍ଜି ନିବେଶ ଲାଗି ସୁବିଧା ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
୫୦ ପର୍ଯ୍ୟଟନସ୍ଥଳୀକୁ ବିଶ୍ବସ୍ତରୀୟ କରିବା ଲକ୍ଷ୍ୟ:- ଭାରତର ପର୍ଯ୍ୟଟନ ବିଭାଗର ପ୍ରୋତ୍ସାହନ ଲାଗି ରାଜ୍ୟ, ସରକାରୀ ପ୍ରୋଗ୍ରାମ ଓ ପବ୍ଲିକ-ପ୍ରାଇଭେଟ ଅଂଶୀଦାର ସକ୍ରିୟ ଭାବେ କାର୍ଯ୍ୟ କରିବେ । ଆଗାମୀ ଦିନରେ ୫୦ଟି ପର୍ଯ୍ୟଟନସ୍ଥଳୀର ଚୟନ କରାଯିବ । ଏହାକୁ ଉଭୟ ସ୍ବଦେଶୀ ଓ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଲାଗି ପୂର୍ଣ୍ଣାଙ୍କ ପ୍ୟାକେଜର ଘୋଷଣା କରାଯିବ । 'ଦେଖୋ ଅପନା ଦେଶ' ଯୋଜନାରେ ଏହାର ବିକାଶମୂଳକ କାର୍ଯ୍ୟ କରାଯିବ ।
‘One District, One product’ ଓ GI ଉତ୍ପାଦ ବିକ୍ରି ଉପରେ ଲକ୍ଷ୍ୟ:- ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପ୍ରମୋସନ ଲାଗି ମଧ୍ୟ ଯୋଜନା କରାଯାଇଛି । ପ୍ରତି ରାଜ୍ୟର ରାଜଧାନୀରେ ଏକ ‘ୟୁନିଟ ମଲ୍’ (Unity Mall) ପ୍ରତିଷ୍ଠା କରାଯିବ । ଏହା ରାଜ୍ୟରେ ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ ହେବ । ଏହାସହ ପାରମ୍ପରିକ ପୋଷାକ, ଖାଦ୍ୟପଦାର୍ଥ ଆଦିର ବିକ୍ରି ଉପରେ ମଧ୍ୟ ଲକ୍ଷ୍ୟ ରଖାଯାଇଛି । GI ମାନ୍ୟତା ପାଇଥିବା ଦ୍ରବ୍ୟ ଆଦିର ବିକ୍ରି ଲାଗି ଲକ୍ଷ୍ୟ ରଖାଯାଇଛି । 'ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ' (One District, One product) ମାଧ୍ୟମରେ ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପର ଉତ୍ପାଦଗୁଡ଼ିକୁ ବିକ୍ରୟ କରାଯିବ ।
ଏହା ବି ପଢନ୍ତୁ- Budget 2023: ବିଶ୍ୱ ବଜାରରେ ପହଞ୍ଚିବ ମାଣ୍ଡିଆ, ମିଲେଟକୁ ପ୍ରୋତ୍ସାହନ ପାଇଁ ଶ୍ରୀଅନ୍ନ
ପର୍ଯ୍ୟଟନ ବିଭାଗରେ ଯୁବଗୋଷ୍ଠୀଙ୍କ ନିଯୁକ୍ତି ସୁଯୋଗ:- ଭାରତରେ ବେକାରୀ ସମସ୍ୟାର ସମାଧାନ ଉପରେ ମଧ୍ୟ ପର୍ଯ୍ୟଟନ ବିଭାଗ ଜରିଆରେ ଗୁରୁତ୍ବାରୋପ କରାଯାଇଛି । ପର୍ଯ୍ୟଟନ ବିଭାଗର ବିକାଶ ସହିତ ଯୁବଗୋଷ୍ଠୀଙ୍କ ନିଯୁକ୍ତି ସୁଯୋଗ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ପର୍ଯ୍ୟଟନ ବିଭାଗରେ ବିଶେଷ କରି ଯୁବଗୋଷ୍ଠୀଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯିବ । ଯୁବ ଉଦ୍ୟୋଗୀଙ୍କ ଏହି ବିଭାଗରେ ପୁଞ୍ଜି ନିବେଶ କରିବା ଲାଗି ସୁଯୋଗ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ।