ନୂଆଦିଲ୍ଲୀ: ଆଣ୍ଡାମାନ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ପୋର୍ଟ ବ୍ଲେୟର ପହଁଞ୍ଚି ସେସୁଲାର ଜେଲ ପରିଦର୍ଶନ କରିଛନ୍ତି ଗୃହମନ୍ତ୍ରୀ । ଏଠାରେ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଶାହ । ସେସୁଲାର ଜେଲ ସେହି କାରାଗାର, ଯେଉଁଠାରେ ବିନାୟକ ଦାମୋଦର ସାବରକରଙ୍କୁ ବନ୍ଦୀ କରି ରଖିଥିଲେ ଇଂରେଜ । କାରାଗାର କଠୋରୀ ଭିତରେ ସାବରକରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଶାହ ।
ସେଲୁଲାର ଜେଲ ପରିଦର୍ଶନ କରିବାକୁ ଆସିଥିବା ଗୃହମନ୍ତ୍ରୀ କହିଛନ୍ତି ଯେ ଆଜି ଦ୍ବିତୀୟ ଥର ପାଇଁ ମୁଁ ସ୍ବାଧୀନତାର ତୀର୍ଥସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇଛି। ଯେତେବେଳେ ବି ମୁଁ ଏଠାକୁ ଆସେ, ମୁଁ ଏକ ନୂଆ ଶକ୍ତି ଏବଂ ପ୍ରେରଣା କରି ଏଠାରୁ ଯାଇଥାଏ | ସେଲୁଲାର୍ ଜେଲ୍ ହେଉଛି ସବୁଠାରୁ ବଡ ତୀର୍ଥସ୍ଥାନ । ସେଥିପାଇଁ ସାବରକର କହୁଥିଲେ ଯେ ତୀର୍ଥ ମଧ୍ୟରେ ଏହା ଏକ ମହାତୀର୍ଥ ଯେଉଁଠାରେ ଅନେକ ସଂଗ୍ରାମୀ ସ୍ବାଧୀନତାର ଅଗ୍ନିକୁ ପ୍ରଜ୍ବଳିତ କରି ବଳିଦାନ ଦେଇଥିଲେ ବୋଲି କହିଛନ୍ତି ଶାହ ।
ଅମିତ ଶାହା କହିଛନ୍ତି, ଆଜି ଯେତେବେଳେ ମୁଁ ସ୍ବାଧୀନତା ଆନ୍ଦୋଳନର ଏହି ତପୋଭୂମି ଏବଂ ସଂକଳ୍ପ ସ୍ଥଳକୁ ଆସିଛି, ସେତେବେଳେ ଅନେକ ସଂଗ୍ରାମୀଙ୍କ ବଳିଦାନ ଏବଂ ସଂକଳ୍ପକୁ ସମ୍ମାନର ସହ ପ୍ରଣାମ ଜଣାଉଛି । ଆଜି ହେଉଛି ବିଜୟାଦଶମୀ | ଆମେ ସମଗ୍ର ଭାରତରେ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଭାବରେ ବିଜୟା ଦଶମୀ ଦିନ ପାଳନ କରୁ । ସ୍ବାଧୀନତାର ଏହି ତୀର୍ଥସ୍ଥାନ ମଧ୍ୟ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଅଟେ ବୋଲି ଶାହ ନିଜ ସମ୍ବୋଧନରେ କହିଛନ୍ତି ।