ଡେରାଡୁନ: ଆଜି ହିମାଚଳ ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପ୍ରଧାନମନ୍ତ୍ରୀ ଧର୍ମଶାଳାକୁ ଯିବେ । ଏହି ଅବସରରେ BJP ପକ୍ଷରୁ ଭବ୍ୟ ସ୍ବାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଧର୍ମଶାଳା ସ୍ଥିତ HPCA ଷ୍ଟାଡିମୟରେ ନୀତି ଆୟୋଗ ଦ୍ବାରା ଆୟୋଜିତ ମୁଖ୍ୟ ସଚିବଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏଥିପାଇଁ ସମଗ୍ର ଅଞ୍ଚଳ ସଜେଇ ହୋଇଛି ଏବଂ ସହରର କୋଣ ଅନୁକୋଣରେ ବିଜେପି ପତାକା ଲାଗିଛି ।
ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ପହଞ୍ଚିବା ପରେ ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ସ୍ବାଗତ କରିବେ । ଏହାପରେ ପ୍ରଧାନମନ୍ତ୍ରୀ କଙ୍ଗ୍ରା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ ମୁଖ୍ୟାଳୟରୁ ଏକ ରୋଡସୋ'ରେ ସିଭିଲ ଲାଇନ୍ସ ସର୍କିଟ ହାଉସ ରୋଡ୍ ଅଭିମୁଖେ ଯିବେ । ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରୋଟକଲ ଅନୁଯାୟୀ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ରୋଡସୋ' ପାଇଁ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ରୋଡସୋ' ସମୟରେ ପାରମ୍ପରିକ ବାଦ୍ୟ ଉପକରଣ ସହ ଲୋକନୃତ୍ୟ ପ୍ରଦର୍ଶିତ ହେବ । ଏହି ସମୟରେ ପ୍ରାୟ ୨୦ ହଜାର ଦଳୀୟ ନେତା ରାସ୍ତାପାର୍ଶ୍ବରେ ରହି ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇବେ ।