ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲାଗି ରହିଥିବା ହିଜାବ ବିବାଦ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ । ରାଜ୍ୟ ଶିକ୍ଷାମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ହେବାକୁ ଥିବା ଏହି ସମୀକ୍ଷା ବୈଠକ ପରେ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ଅବଧିକୁ ବୃଦ୍ଧି କରାଯିବା ନେଇ ଅନୁମାନ କରାଯାଉଛି ।
ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି, ସେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବି.ସି ନାଗେଶ, ଗୃହମନ୍ତ୍ରୀ ଅରାଗା ଡ୍ନାନେନ୍ଦ୍ର ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ସହ ଏହି ସମୀକ୍ଷା ବୈଠକ କରିବେ । ରାଜ୍ୟରେ ବର୍ତ୍ତମାନ ଜାରି ରହିଥିବା ସ୍ଥିତି ସମ୍ପର୍କରେ ବୈଠକରେ ଆଲୋଚନା ହେବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ଆଡକୁ ବଢିବେ ।
ଅନ୍ୟପଟେ ବୃହତ୍ତର ଖଣ୍ଡପୀଠରେ ମାମଲାର ଶୁଣାଣି ମଧ୍ୟ ଆଜି ଆରମ୍ଭ ହୋଇଛି । ଗତକାଲି ସଂନ୍ଧ୍ୟାରେ ଗଠିତ ହୋଇଥିବା କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଋତୁରାଜ ଅଷ୍ଟିଙ୍କ ନେତୃତ୍ବାଧୀନ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି । ଏହି ବୃହତ୍ତର ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କ ସମେତ ପୂର୍ବରୁ ମାମଲାର ଶୁଣାଣି କରୁଥିବା ଏକକ ବିଚାରପତି ଜଷ୍ଟିସ୍ କ୍ରୀଷ୍ଣା ଏସ୍ ଦୀକ୍ଷିତ ଏବଂ ଜେଏମ୍ ଖାଜି ମଧ୍ୟ ସଦସ୍ୟ ରହିଛନ୍ତି । ତେବେ ଆଜିର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।
ହିଜାବ ବିବାଦ ମଧ୍ୟରେ ଛାତ୍ରଙ୍କ ବିରୋଧର ସମ୍ମୁଖୀନ ହେବାବେଳେ ଆଲ୍ଲା ହୁ ଆକବର ନାରା ଲଗାଇଥିଲେ ଜଣେ ସଂଖ୍ୟାଲଘୁ ଛାତ୍ରୀ । ତେବେ ଏକ ଇସଲାମ ସଂଗଠନ ପକ୍ଷରୁ ତାଙ୍କୁ ୫ ଲକ୍ଷ ଅର୍ଥରାଶି ସହ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯିବା ପରେ, ସମ୍ପୃକ୍ତ ଇସଲାମ ସଂଗଠନ ବିରୋଧରେ ମାମଲା ଥାନାରେ ପହଞ୍ଚିଛି ।
କର୍ଣ୍ଣାଟକର ନରେନ୍ଦ୍ର ମୋଦି ବିଚାର ମଞ୍ଚ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରିଥିବା ସଂଗଠନ ଜମାତ ଉଲେମା-ଏ -ହିନ୍ଦ (Jamiat Ulema-e-Hind) ସଂଗଠନ ବିରୋଧରେ ମାଣ୍ଡ୍ୟା ଜିଲ୍ଲାର ଏକ ଥାନାରେ ଏତଲା ଦାୟର କରିଛି । ସଂଗଠନ ପକ୍ଷରୁ ଦର୍ଶାଯାଇଛି ଯେ, ଏପରି କରି କିଛି ମୌଳବାଦୀ ସଂଗଠନ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୃଣା ସୃଷ୍ଟି କରି ପ୍ରସଙ୍ଗକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିବାରେ ଲାଗିଛନ୍ତି । ତେଣୁ ଏପରି ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ଛାତ୍ରୀଜଣଙ୍କ ମୁସ୍କାନ ଖାନ ବୋଲି ଜଣାପଡିଛି । ମୁସ୍କାନ ସମ୍ପୂର୍ଣ୍ଣ ବୁର୍ଖା ପିନ୍ଧି ସ୍କୁଲ ଆସିଥିବା ବେଳେ ହିନ୍ଦୁ ଛାତ୍ରମାନେ ତାଙ୍କୁ ଗେରୁଆ ଗାମୁଛା ଦେଖାଇ ବିରୋଧ କରିବା ସହ ଜୟ ଶ୍ରୀରାମ ନାରା ଦେଇଥିଲେ । ପ୍ରତିବଦଳରେ ସଂଖ୍ୟାଲଘୁ ଛାତ୍ରୀଜଣଙ୍କ ମଧ୍ୟ ଆଲ୍ଲା ହୁ ଆକବର ନାରା ଦେଇଥିଲେ । ତେବେ ଏହି ବିରୋଧ ବେଳର ଭିଡିଓଟି ଭାଇରାଲ ହେବା ପରେ ଦେଶବ୍ୟାପୀ ରାଜନୀତି ଆରମ୍ଭ ହୋଇଛି । କିଛି ମୌଳବାଦୀ ସଂଗଠନ ଉକ୍ତ ଛାତ୍ରୀଜଣଙ୍କୁ ପ୍ରଶଂସା ମଧ୍ୟ କରିବାରେ ଲାଗିଥିବା ବେଳେ ଦକ୍ଷିଣପନ୍ଥୀ ସଂଗଠନ ମାନେ ତୀବ୍ର ବିରୋଧ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ