ବେଙ୍ଗାଲୁରୁ: ଦୀର୍ଘ ଦିନର ବିବାଦ ପରେ ସାମାନ୍ୟ ଶାନ୍ତ ପଡିଥିବା ହିଜାବ ବିବାଦ ପୁଣି ଥରେ କର୍ଣ୍ଣାଟକର କିଛି ସ୍ଥାନରେ ଦେଖିବାକୁ ମିଳିବା ଆରମ୍ଭ କଲାଣି । କୋର୍ଟଙ୍କ ରାୟ ପରେ ମଧ୍ୟ ହିଜାବ ପରିଧାନ କରି କିଛି ଛାତ୍ରୀ କଲେଜରେ ପ୍ରବେଶ କରିବାକୁ ଜିଦ ଧରିଥିବାବେଳେ ସେମାନଙ୍କୁ ଫେରାଇ ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଦକ୍ଷିଣ କାନ୍ନାଡା ଜିଲ୍ଲାର ଏକ କଲେଜରେ ।
ଦକ୍ଷିଣ କାନ୍ନାଡାର ମାଙ୍ଗାଲୋର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଏକ କଲେଜରେ ପ୍ରାୟ 12 ଜଣ ସଂଖ୍ୟାଲଘୁ ଛାତ୍ରୀ ହିଜାବ ପରିଧାନ କରି କଲେଜ କ୍ୟାମ୍ପସ ଭିତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । କଲେଜ ଅଧ୍ୟକ୍ଷ ତାଙ୍କୁ ସ୍ପଷ୍ଟ ବାରଣ କରିବା ସହ ପ୍ରବେଶ ଅନୁମତି ଦେଇ ନଥିଲେ । କିଛି ସମୟର ଧାରଣା ପରେ ଉକ୍ତ ଛାତ୍ରୀମାନେ ଫେରିଯାଇଥିବା ସୂଚନା ମିଳିଛି ।
ଅନ୍ୟପଟେ ଏହି ପ୍ରସଙ୍ଗରେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବି.ସି ନାଗେଶଙ୍କ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ ଭିତରେ କେବଳ ନିର୍ଦ୍ଧାରିତ ୟୁନିଫର୍ମ ପରିଧାନ ପାଇଁ ଅନୁମତି ଦିଆଯାଇଛି । ତେଣୁ ଉକ୍ତ କଲେଜରେ ଛାତ୍ରୀମାନଙ୍କୁ ପ୍ରବେଶ ଅନୁମତି ମିଳିନାହିଁ । ସେମାନେ ଫେରିଯିବା ପାଇଁ ବାଧ୍ୟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ