ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପ୍ରକୃତିର ତାଣ୍ଡବ । ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ସ୍ଥିତି ସଙ୍ଗୀନ ରହିଛି । ବର୍ଷା ,ବଜ୍ରପାତ ଓ ଘୂର୍ଣ୍ଣିଝଡ ଯୋଗୁଁ ମଙ୍ଗଳବାର ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଆହତ ହୋଇଛନ୍ତି । ତେବେ, ମୋଟ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି ।
ଲଗାଣ ବର୍ଷା ଯୋଗୁଁ ଜଳାର୍ଣ୍ଣବ ହୋଇପଡିଛି ବିଭିନ୍ନ ସ୍ଥାନ । ଅନେକ ସ୍ଥାନ ପାଣି ଘେରରେ ରହିଛି । ପ୍ରବଳ ବର୍ଷା ଯୋଗୁଁ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଗ୍ରା ଓ ବନାରସରେ ନଦୀ ଓ ଘାଟରେ ବୁଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଜିପୁର, କୈସମ୍ବୀରେ ୨ ଜଣଙ୍କ ଆଖି ବୁଜିଛନ୍ତି । ସେହିପରି ପ୍ରତାପଗଡରେ ମଧ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩ ପଶୁଙ୍କର ମୃତ୍ୟୁ ହୋଇଥିବା ରାଜସ୍ବ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଅଲିଗଡ, ସାହାଜାନପୁର, ବାନ୍ଦ୍ରାରେ ବଜ୍ରାପାତରେ ୩ ମୃତ୍ୟୁ ହୋଇଥିବା ବେଳେ ଲଖିମପୁର ଖେରୀରେ ୨ ଜଣଙ୍କ ଜୀବନ ଯାଇଛି । ଧୂଳିଝଡରେ ଆମେଠି, ଚିତ୍ରାକୋଟ, ଫିରୋଜାବାଦ,ମୁଜାଫରନଗର, ଜାଉନପୁରରେ ଜଣେ ଲେଖାଏଁ ଆଖି ବୁଜିଥିବା ବେଳେ ବାରଣାସୀ , ବୋରିବାଙ୍କ, ଆମ୍ବେଦକରନଗର, ବଲ୍ଲିଆ ଓ ଗୋଣ୍ତାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ, ସୀତାପୁର ଓ କୌସାମ୍ବିରେ ୩ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ତେବେ, ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।