ଲକ୍ଷ୍ନୌ: ବିବାଦୀୟ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଶେଷ ହୋଇଛି 3 ଦିନିଆ ଭିଡିଓଗ୍ରାଫି ସର୍ଭେ । ତେବେ ସର୍ଭେ ରିପୋର୍ଟ ଦାଖଲ କରିବା ପାଇଁ ଆଉ ଦୁଇ ଦିନ ସମୟ ମାଗିଛନ୍ତି ମାମଲାର ତଦନ୍ତ ତଥା ସର୍ଭେ ପାଇଁ ଗଠିତ ହୋଇଥିବା କୋର୍ଟ କମିଶନ । ସର୍ଭେର ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ପାଇଁ କୋର୍ଟକୁ ଆଉ ଦୁଇ ଦିନ ସମୟ ମଗାଯାଇ ଏକ ମାମଲା ଦାଏର ହୋଇଛି । ଯାହାର ଶୁଣାଣି ଆସନ୍ତାକାଲି (ଗୁରବାର) ହେବା ନେଇ ସ୍ଥିର କରାଯାଇଥିବା କୋର୍ଟ କମିଶନର ଅଜୟ ପ୍ରତାପ ସିଂ ସୂଚନା ଦେଇଛନ୍ତି ।
କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ 14 ରୁ 16 ତାରିଖ ଯାଏଁ ତିନି ଦିନ ଧରି ଏହି ସର୍ଭେ କରାଯାଇଥିଲା । ଏଥିରେ ପ୍ରାୟ 50 ପ୍ରତିଶତ ରିପୋର୍ଟ ହସ୍ତଗତ ହୋଇଛି । ସମ୍ପୂର୍ଣ୍ଣ ରିପୋର୍ଟ ହସ୍ତଗତ ହୋଇନଥିବା କାରଣରୁ ଏହାକୁ ଆଜି କୋର୍ଟରେ ଦାଖଲ କରିବା ସମ୍ଭବପର ନୁହେଁ ଦର୍ଶାଇ ଆଉ 2 ଦିନ ସମୟ ମାଗିଛନ୍ତି କୋର୍ଟ କମିଶନର । ଆସନ୍ତାକାଲିର ଶୁଣାଣିରେ ସେମାନ ଆଉ 3 ରୁ 4 ଦିନ ସମୟ ମାଗିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । କମିଶନର ଅନ୍ୟ ଜଣ ସଦସ୍ୟ ତଥା ସ୍ବତନ୍ତ୍ର ଓକିଲ କମିଶନର ବିଶାଲ ସିଂ ଏହି ମାମଲାରେ ରିପୋର୍ଟ ସଠିକ ସମୟରେ କୋର୍ଟରେ ଦାଖଲ ହେବା ନେଇ ସୂଚନା ଦେଇ ସାରିଥିବାବେଳେ ବର୍ତ୍ତମାନ ରିପୋର୍ଟ ପ୍ରସ୍ତୁତ ପାଇଁ ଆଉ 2 ଦିନ ସମୟ ମାଗିଛନ୍ତି ।
କୋର୍ଟଙ୍କ ନିର୍ଦ୍ଦେଶ ପରେ କାଶୀ ବିଶ୍ବନାଥ ମନ୍ଦିର ଓ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଭିଡିଓଗ୍ରାଫି ସର୍ଭେ ଆରମ୍ଭ ହୋଇଥିଲା । 14 ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ଭେ 3 ଦିନ ପରେ ଅର୍ଥାତ 16 ତାରିଖରେ ଶେଷ ହୋଇଛି । ସର୍ଭେ ଶେଷ ଦିନରେ ଅର୍ଥାତ ଗତକାଲି ହିନ୍ଦୁ ପକ୍ଷ ଆବେଦନକାରୀ ଶୋହନ ଲାଲ ଶର୍ମା ଭିଡିଓଗ୍ରାଫି ସମୟରେ ମସଜିଦ ପରିସରରେ ଏକ ଶିବଲିଙ୍ଗ ମିଳିଥିବା ଦାବି କରିବା ପରେ ମାମଲା ଭିନ୍ନ ମୋଡ ନେଇଥିଲା । ତୁରନ୍ତ ଉକ୍ତ ସ୍ଥାନକୁ ସିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବାରାଣାସୀ କୋର୍ଟ । ଅନ୍ୟପଟେ ଏହି ଭିଡିଓଗ୍ରାଫି ସର୍ଭେକୁ ବିରୋଧ କରି ସର୍ବୋଚ୍ଚ କୋର୍ଟରେ ମୁସଲିମ ପକ୍ଷ ଦାଖଲ କରିଥିବା ମାମଲାର ଆଜି ଶୁଣାଣି ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ