ଲକ୍ଷ୍ନୌ: ବହୁଚର୍ଚ୍ଚିତ ବାରଣାସୀ ଜ୍ଞାନବ୍ୟାପୀ ମସଜିଦରେ ସର୍ଭେ ଜାରି ରଖିବା ଲାଗି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ASI)କୁ ମିଳିଲା ଅତିରିକ୍ତ ସମୟ । ଆଉ ୮ ସପ୍ତାହ ଅତିରିକ୍ତ ସମୟ ଦେଲେ ବାରଣାସୀ କୋର୍ଟ । ଏହି ୮ ସପ୍ତାହ ପରେ ମସଜିଦରେ ସର୍ଭେ ପରେ କୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିବ ଏଏସ୍ଆଇ । ଜିଲ୍ଲା ଜଜ୍ ଏକେ ବିଶବେଶ ମସଜିଦ ପରିଚାଳନା କମିଟିର ଆବେଦନକୁ ଖାରଜ କରି ଏଏସଆଇକୁ ଏହି ଅତିରିକ୍ତ ସମୟ ପ୍ରଦାନ କରିଥିବା ସରକାରୀ ଓକିଲ ରାଜେଶ ମିଶ୍ରା ଶୁକ୍ରବାର ସୂଚନା ଦେଇଛନ୍ତି ।
କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଜ୍ଞାନବ୍ୟାପୀ ମସଜିଦରେ ସର୍ଭେ କରୁଛି ଏଏସଆଇ । ଏହି ମସଜିଦଟି ସପ୍ତଦଶ ଶତାବ୍ଦୀରେ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଏହା ଉପରେ ମସୁଲିମ ଧର୍ମାବଲମ୍ବୀଙ୍କ ଆରାଧନା ସ୍ଥଳୀ ନିର୍ମିତ ହୋଇଥିବା ଚର୍ଚ୍ଚା ହୋଇଥିଲା । ଏହା ଭିତରେ ଶିବଲିଙ୍ଗ ମଧ୍ୟ ମିଳିଥିଲା । ହେଲେ ମୁସଲିମ ପକ୍ଷ ଏହାକୁ ଏକ ଫାଉଣ୍ଟେନ ପଥର ବୋଲି କହିଥିଲେ । ଆହ୍ଲାବାଦ କୋର୍ଟ ସର୍ଭେ ନେଇ ଅନୁମତି ଦେବା ପରେ ଏଏସଆଇ ପକ୍ଷରୁ ମସଜିଦରେ ସର୍ଭେ ଆରମ୍ଭ ହୋଇଥିଲା ।
ଏହା ବି ପଢନ୍ତୁ- Gyanvapi survey: କାଲି ରିପୋର୍ଟ ଦାଖଲର ଶେଷ ତାରିଖ, ଅତିରିକ୍ତ ସମୟ ଲୋଡିବ ASI !
ମସଜିଦ ପରିସରରେ ଏବେ ଏଏସଆଇ ପକ୍ଷରୁ ସର୍ଭେ ଜାରି ରହିଛି । ହେଲେ ଏଯାବତ ମସଜିଦର ଅନେକ ସ୍ଥାନରେ ସର୍ଭେ ହୋଇପାରିନାହିଁ । ଏହାରି ମଧ୍ୟରେ ସେପ୍ଟେମ୍ବର-୨ ତାରିଖରେ ଶୁଣାଣି ଥିବା ସମୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏଏସଆଇ ପକ୍ଷରୁ ଅତିରିକ୍ତ ସର୍ଭେ ଲାଗି କୋର୍ଟଙ୍କ ଅନୁମତି ଲୋଡିଥିଲା । ଗତ ମଙ୍ଗଳବାର ଏଏସଆଇ ପକ୍ଷରୁ ଅତିରିକ୍ତ ସମୟ ମଗାଯାଇଥିଲା ।
ଏହାପରେ ମୁସଲିମ ପକ୍ଷରୁ ଏହାକୁ ପ୍ରତିବାଦ କରାଯାଇ ଏକ ଆବେଦନ ହୋଇଥିଲା । ଏହି ଆବେଦନରେ ଏଏସ୍ଆଇକୁ ଅତିରିକ୍ତ ସମୟ ନଦେବା ଲାଗି ଅନୁରୋଧ କରାଯାଇଥିଲା । ମୁସଲିମ୍ ପକ୍ଷ ଅଭିଯୋଗ କରିଥିଲା ଯେ, ଏଏସ୍ଆଇ ସର୍ଭେ ସମୟରେ କୋର୍ଟଙ୍କ ବିନା ଅନୁମତିରେ ମସ୍ଜିଦ ପରିସରରେ ଖନନ କରୁଛି । ହେଲେ କୋର୍ଟ ମୁସଲିମ ପକ୍ଷର ଆବେଦନକୁ ଖାରଜ କରିବା ସହ ଏଏସ୍ଆଇକୁ ଆଉ ୮ ସପ୍ତାହ ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି । ୮ ସପ୍ତାହ ପରେ ସର୍ଭେ ଶେଷ କରି କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବ ଏଏସ୍ଆଇ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ