ଭାରତୀୟ ସଂସଦ ଏମିତି ଏକ ନୀତି ପ୍ରଣୟନକାରୀ ସଂସ୍ଥା, ଯାହାକି ବିଶ୍ବ ଜନସଂଖ୍ୟାର 17.7 ପ୍ରତିଶତ ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ କରେ । ବ୍ରିଟିଶ ଶାସନ ଅମଳରେ, 1927 ମସିହାରେ ନିର୍ମିତ ବର୍ତ୍ତମାନର ସଂସଦ ଭବନ ଗତ ନଅ ଦଶନ୍ଧି ଧରି ଅସଂଖ୍ୟ ଐତିହାସିକ ଘଟଣାବଳୀର ମୂକସାକ୍ଷୀ ।
ଗଣତନ୍ତ୍ରର ଏକ ଐତିହ୍ୟସଂପନ୍ନ ନିଦର୍ଶନ ରୂପେ ଏହି ଭବନ ଦଣ୍ଡାୟମାନ । ଏହି ଭବନର ପବିତ୍ରତାକୁ ସାଇତି ରଖିବା ସହିତ ଭାରତୀୟ ସ୍ବାଧୀନତାର 75ତମ ବାର୍ଷିକୀ ପାଳନ ସୁଦ୍ଧା ଏକ ନୂତନ ସଂସଦ ଭବନ ଗଢ଼ିବା ଲାଗି ମୋଦି ସରକାର ସଂକଳ୍ପବଦ୍ଧ । ପ୍ରସ୍ତାବିତ ସଂସଦ ଭବନ, ପ୍ରାଚୀନ ପରମ୍ପରା ଏବଂ ଆଧୁନିକ ପ୍ରତ୍ୟାଶାର ସମ୍ମିଳିତ ନିଦର୍ଶନ ହେବ ବୋଲି ସ୍ଥିର କରାଯାଇଛି ।
ସଂସଦ ପାଇଁ ଏକ ନୂତନ କୋଠା ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରଦତ୍ତ ନିବେଦନ ପତ୍ରରେ ସଂସଦର ଉଭୟ ସଦନର ଅଧ୍ୟକ୍ଷ ଉଲ୍ଲେଖ କରିଥିଲେ ଯେ, ଯଦିଓ 1975, 2002 ଏବଂ 2017 ମସିହାରେ ବର୍ତ୍ତମାନର କୋଠାରେ କେତେକ ନୂତନ ନିର୍ମାଣ କରାଯାଇଥିଲା, ତଥାପି ସଂସଦ ଭବନରେ କେତେକ ଅଭାବ ବିଦ୍ୟମାନ ଏବଂ ଆଜିକାଲିର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ପୂର୍ବକ ଅଧିବେଶନ ପରିଚାଳନା କରିବା ଲାଗି ଏଥିରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ ।
ବର୍ତ୍ତମାନର କୋଭିଡ୍-19 ସମୟରେ ସାମାଜିକ ଦୂରତା ବଜାୟ ରଖିବାର ଆବଶ୍ୟକତା ରହିଥିବା କାରଣରୁ ସଂସଦର ବର୍ଷାକାଳୀନ ଅଧିବେଶନ ପରିଚାଳନାରେ ଯେଉଁ ଅସୁବିଧା ସୃଷ୍ଟି ହୋଇଥିଲା ତାହା ସାରା ଦେଶର ଲୋକେ ଦେଖିଛନ୍ତି । ଅଧିବେଶନ ପରିଚାଳନା ଲାଗି ଯେ ସ୍ଥାନାଭାବ ରହିଛି ତାହା ସାରା ଦେଶବାସୀଙ୍କ ଆଗରେ ପ୍ରମାଣିତ ହୋଇସାରିଛି । ଏହି ପୃଷ୍ଠଭୂମିରେ, 2020 ଡିସେମ୍ବର 10 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏକ ନୂତନ ସଂସଦ ଭବନ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ପ୍ରସ୍ତାବିତ ଭବନଟି କେନ୍ଦ୍ର ସରକାରଙ୍କର ‘ସେଣ୍ଟ୍ରାଲ ଭିଷ୍ଟା ମଡର୍ଣ୍ଣାଇଜେସନ୍’ ପ୍ରକଳ୍ପର ଅଂଶ ରୂପରେ ନିର୍ମାଣ କରାଯିବ । କେବଳ କୋର୍ଟଙ୍କ ଚୂଡ଼ାନ୍ତ ରାୟ ଭିତ୍ତିରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଉ ବୋଲି ପୂର୍ବରୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ, ପରବର୍ତ୍ତୀ ସମୟରେ ସୁପ୍ରିମ କୋର୍ଟଙ୍କ ଏକ ଖଣ୍ଡପୀଠ ସଂଖ୍ୟାଗରିଷ୍ଠ ମତ ଭିତ୍ତିରେ ଏହି ପ୍ରକଳ୍ପକୁ କେନ୍ଦ୍ର କରି ରହିଥିବା ଆପତ୍ତିକୁ ନାକଚ କରିଦେଇଥିଲେ ।
ସାରା ଦେଶ ପାଇଁ ଏହା ଏକ ଗର୍ବର କଥା ଯେ, ଆଗାମୀ 100 ବର୍ଷର ଆବଶ୍ୟକତାକୁ ଆଖିରେ ରଖି ଆସନ୍ତା ବର୍ଷ ସୁଦ୍ଧା ଏକ ଭବ୍ୟ ସଂସଦ ଭବନର ନିର୍ମାଣ ସଂପନ୍ନ ହେବାକୁ ଯାଉଛି। ବିଭିନ୍ନ ଧର୍ମରେ ପବିତ୍ରତାର ସନ୍ତକ ରୂପରେ ଆବଶ୍ୟକ ତ୍ରିଭୁଜାକାର ଗଠନ ଶୈଳୀକୁ ବିଚାରକୁ ନେଇ ନୂତନ ସଂସଦ ଭବନର ମଡେଲକୁ ତ୍ରିଭୁଜାକାର କରାଯାଇଛି ।
ଲୋକସଭା, ରାଜ୍ୟସଭା ଏବଂ ସାମ୍ବିଧାନିକ କକ୍ଷ ଗଠନରେ ଯଥାକ୍ରମେ ମୟୂର, ପଦ୍ମଫୁଲ ଏବଂ କଦଳୀ ଗଛ ଭଳି ଜାତୀୟ ସଂକେତର ପ୍ରତିଫଳନ ଘଟିବ । ଶ୍ରେଷ୍ଠ ଭାରତର ଲକ୍ଷ୍ୟସାଧନ ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ସାବ୍ୟସ୍ତ ହେବ । ଭାରତ ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର । ମୋଟ ଘରୋଇ ଉତ୍ପାଦ ବା ଜିଡିପି ଦୃଷ୍ଟିରୁ ବିଶ୍ବରେ ଭାରତ ଷଷ୍ଠ ସ୍ଥାନରେ ରହିଛି ।
ସଂଶୋଧିତ ଆକଳନ ଅନୁସାରେ, ଏ ବର୍ଷ କେନ୍ଦ୍ରୀୟ ବଜେଟ୍ର ଅଟକଳ ପରିମାଣ 27 ଲକ୍ଷ କୋଟି ଟଙ୍କା ହେବାକୁ ଯାଉଛି । ଆମର ଏତେ ବିଶାଳ ଅର୍ଥବ୍ୟବସ୍ଥା ରହିଥିବା ବେଳେ 1000 କୋଟି ଟଙ୍କା ବ୍ୟୟରେ ସଂସଦର ଏକ ନୂତନ କୋଠା ନିର୍ମାଣ ପ୍ରସ୍ତାବରେ ଦୋଷ ଖୋଜିବାର ଆବଶ୍ୟକତା କେଉଁଠି ?
130 କୋଟି ଲୋକଙ୍କର ଦେଶ ଭାରତରେ ଅତି କମ୍ରେ 1000 ସଂସଦ ସଦସ୍ୟ ରହିବା ଉଚିତ ବୋଲି ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ପ୍ରସ୍ତାବ ଦେଇଥିଲେ । 2026 ମସିହା ସୁଦ୍ଧା ସାଂସଦମାନଙ୍କ ସଂଖ୍ୟା ପୁନଃ ନିର୍ଦ୍ଧାରିତ ହେବାକୁ ଯାଉଥିବା ବେଳେ ଲୋକସଭାରେ 888 ଜଣ ସଦସ୍ୟଙ୍କୁ ସ୍ଥାନ ଦେବା ଲାଗି ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି ।
ସେହିଭଳି ରାଜ୍ୟସଭାରେ 384 ଜଣ ସଦସ୍ୟଙ୍କ ବସିବା ବ୍ୟବସ୍ଥା ଲାଗି ଯୋଜନା ରହିଛି । ଆଗାମୀ 100 ବର୍ଷର ଆବଶ୍ୟକତା ପୂରଣ ଦିଗରେ ଏହା ଯଥେଷ୍ଟ ହେବ କି ନାହିଁ ସେ ସଂପର୍କରେ ପୁଣି ଆକଳନ କରାଯିବ । ଭୂକମ୍ପ ଜନିତ ବିପଦ ଆଶଙ୍କା ଦୃଷ୍ଟିରୁ ଦେଶକୁ ପାଞ୍ଚଟି ଜୋନ୍ରେ ବିଭକ୍ତ କରାଯାଇଛି ।
ଚତୁର୍ଥ ଜୋନ୍ରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କରାଯାଉଛି । ଯାହାକି ଏକ ଅତ୍ୟଧିକ ବିପଦ ସମ୍ଭାବନା ରହିଥିବା ଜୋନ୍ । 26 ବର୍ଗ କିଲୋମିଟର ପରିମିତ ଏହି ଅଞ୍ଚଳରେ ରାଷ୍ଟ୍ରପତି ଭବନ, ସଂସଦ, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନ, କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ସୁପ୍ରିମ କୋର୍ଟ ଏବଂ ବିଭିନ୍ନ ତଳକୋର୍ଟ, ସାଂସଦମାନଙ୍କ ବାସଗୃହ, ସେନା ବାହିନୀର ତିନି ବିଭାଗର ବହୁ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନ ସମେତ ବହୁ ଗୁରୁତ୍ବପୂର୍ଣ୍ଣ କୋଠା ରହିଛି ।
ପ୍ରଚଣ୍ଡ ଭୂମିକମ୍ପର ପ୍ରଭାବକୁ ପ୍ରତିହତ କରିବାର କ୍ଷମତା ରହିଥିବା ଏହି ଭବ୍ୟ କୋଠାଗୁଡ଼ିକ ଭାରତ ପାଇଁ ଅନ୍ତହୀନ ଗୌରବର ଗାଥା ବହନ କରିବେ । ଭାରତର ଆତ୍ମ ନିର୍ଭରଶୀଳତା ଦିଗରେ ପ୍ରୟାସର ପ୍ରତୀକ ରୂପରେ ଏହି କୋଠାଗୁଡ଼ିକ ଦେଶରେ ତ୍ବରାନ୍ବିତ ଏବଂ ଉଦାରୀକୃତ ପ୍ରଗତିର ଧାରାକୁ ପ୍ରେରଣା ଯୋଗାଇବେ !