ନୂଆଦିଲ୍ଲୀ: ଦେଶକୁ ମିଳିବାକୁ ଯାଉଛି ନୂଆ ସଂସଦ । ସ୍ବାଧୀନତାର 75 ବର୍ଷ ପରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ ସଂସଦ ଭବନରେ ବସିବେ ସାଂସଦ । ଭାରତୀୟଙ୍କ ଶ୍ରମ ଓ ସଂକଳ୍ପରେ ନିର୍ମାଣ ହୋଇଥିବା ନୂଆ ସଂସଦରୁ ଏଣିକି ଦେଶ ହେବ ପରିଚାଳିତ। ସମ୍ପୂର୍ଣ୍ଣ ଅତ୍ୟାଧୁନିକ ସେବା ସହ ସୁରକ୍ଷିତ ଭବନରେ ବସି ଦେଶର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ନିର୍ଦ୍ଧାରଣ କରିବେ ସାଂସଦ । ରବିବାର ଉଦଘାଟିତ ହେବ ଆତ୍ମନିର୍ଭର ଭାରତର ନୂଆ ସଂସଦ ଭବନ । ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆଜି ଠାରୁ 96 ବର୍ଷ ପୂର୍ବେ ତଥା 1927 ରେ ପରାଧୀନ ଭାରତର ପରିଚାଳନା ପାଇଁ ଇଂରେଜ ମାନେ ନିର୍ମାଣ କରିଥିଲେ ବର୍ତ୍ତମାନର ସଂସଦ । ସେତେବେଳେ ଇଂରେଜ ମାନେ ଏହାକୁ ‘କାଉନସିଲ ହାଉସ’ ନାମକରଣ କରିଥିଲେ । ପରେ ସ୍ବାଧୀନ ଭାରତରେ ଭାରତ ସରକାର ଏହାକୁ ସଂସଦ ଭବନ ଭାବେ ରୂପାନ୍ତରିତ କରିଥିଲେ । ସେବେଠାରୁ ଦୀର୍ଘ 72 ବର୍ଷ ଧରି ଦେଶର ଭାଗ୍ୟ ଭବିଷ୍ୟତ ନିର୍ଦ୍ଧାରଣ କରିଆସୁଥିଲା ଏହି ପୁରୁଣା ସଂସଦ ।
ଆସନ୍ତା 28 ତାରିଖରେ ନୂଆ ସଂସଦର ଉଦଘାଟନ ପରେ ଆଗାମୀ ମୌସୁମୀ ଅଧିବେଶନ ନୂଆ ସଂସଦରେ ଅନୁଷ୍ଠିତ ହେବ । ନୂଆ ସଂସଦ ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହୋଇଛି । ଏଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି । ଭବନରେ ଭାରତୀୟ ସଂସ୍କୃତି ପରମ୍ପରା ଐତିହ୍ୟ ସ୍ଥାନ ପାଇଛି । ନୂଆ ସଂସଦରେ ସାଂସଦଙ୍କ ବସିବା ପାଇଁ ଆସନ ବି ବୃଦ୍ଧି ପାଇଛି । ଏପରି ସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି କାହିଁକି ଆବଶ୍ୟକ ପଡିଲା ନୂଆ ସଂସଦ ଭବନ? ବଢିବ କି ସାଂସଦଙ୍କ ସଂଖ୍ୟା ? ସରକାର ନେବେ କି ବଡ ପଦକ୍ଷେପ? ଯଦି ସାଂସଦଙ୍କ ସଂଖ୍ୟା ବୃଦ୍ଧି କରାଯାଏ କେବେ କରାଯିବ? କେଉଁ ରାଜ୍ୟରୁ ସାଂସଦ ଆସନ ବଢିବ ? ଲୋକସଭା ଆସନ ବୃଦ୍ଧି କରିବା ପାଇଁ କଣ ରହିଛି ନିୟମ? ହେବ କି ସମ୍ବିଧାନର ସଂଶୋଧନ? ଯଦି ସାଂସଦଙ୍କ ଆସନ ବଢିବ, କେଉଁ ସଦନର କେତେ ସଂଖ୍ୟା ବଢିବ ?
ଏହାବି ପଢନ୍ତୁ- WATCH | ଦେଖନ୍ତୁ ନୂଆ ସଂସଦ ଭବନର ସମ୍ପୂର୍ଣ୍ଣ ଦୃଶ୍ୟ
ଉଭୟ ସଦନରେ କେତେ ରହିଛି ବର୍ତ୍ତମାନ ଆସନ: - ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ 1951 ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା । ସେତେବେଳେ ଦେଶର ନିମ୍ନ ସଦନ ତଥା ଲୋକସଭାର ମୋଟ ଆସନ ଥିଲା 489 । ପରବର୍ତ୍ତୀ ସମୟରେ 1971 ରେ ଦେଶର ଜନସଂଖ୍ୟାକୁ ଦେଖି 543 କୁ ବୃଦ୍ଧି କରାଯାଇଥିଲା । ଯାହା ବର୍ତ୍ତମାନ ଯାଏଁ ରହିଛି । ସେହି ହିସାବରେ ପୁରୁଣା ସଂସଦ ଭବନରେ ବ୍ୟବସ୍ଥା ହୋଇଛି । କିନ୍ତୁ ପୁରୁଣା ସଂସଦର ସ୍ଥିତି ଯାହା ଏଠାରେ ଆଉ କୌଣସି ସମ୍ପ୍ରସାରଣ ହୋଇପାରିବ ନାହିଁ । ବର୍ତ୍ତମାନ ନିର୍ମାଣ ହୋଇଥିବା ନୂଆ ସଂସଦ ଭବନରେ ରହିଛି ସବୁ ଅତ୍ୟାଧୁନିକ ବ୍ୟବସ୍ଥା । ବୃଦ୍ଧି ପାଇଛି ଆସନର କ୍ଷମତା । ନୂଆ ସଂସଦ ଭବନରେ ଲୋକସଭା ସଦନରେ 888 ସାଂସଦ ବସିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇଛି । ଉଚ୍ଚସଦନ ତଥା ରାଜ୍ୟସଭାରେ 384 ସାଂସଦଙ୍କ ବସିବାର ବ୍ୟବସ୍ଥା ହୋଇଛି । ସଂଯୁକ୍ତ ଅଧିବେଶନ ବେଳେ ନୂଆ ସଂସଦରେ ମୋଟ 1272 ସାଂସଦ ବସିବାର ବ୍ୟବସ୍ଥା ଅଛି ।
କାହିଁକି ବଢିବ ଉଭୟ ସଦନର ଆସନ ସଂଖ୍ୟା:- ବର୍ତ୍ତମାନ ନୂଆ ସଂସଦ ନିର୍ମାଣ ପରେ ଦେଶରେ ଲୋକସଭା ଓ ରାଜ୍ୟସଭା ଆସନ ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ ଏଥିରେ କୌଣସି ନୂତନତ୍ବ ନାହିଁ । କାରଣ ଦେଶରେ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇସାରିଛି । 2001 ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ସମ୍ବିଧାନର 84 ତମ ସଂଶୋଧନ ହୋଇଥିଲା । ଏହି ସଂଶୋଧନ ଆଧାରରେ 1971 ଜନଗଣନା ଅନୁସାରେ ଦେଶର ସମସ୍ତ ରାଜ୍ୟକୁ ଆବଣ୍ଟିତ ହୋଇଥିବା ସାଂସଦଙ୍କ ସଂଖ୍ୟା 2026 ତଥା ପରବର୍ତ୍ତୀ ଦୁଇଟି ଜନଗଣନା ପର୍ଯ୍ୟନ୍ତ ଅପରିବର୍ତ୍ତି ରହିବ । 2026 ପୂର୍ବରୁ ହୋଇଥିବା ଜନଗଣନା ଆଧାରରେ 2026 ପରେ ଦେଶରେ ଉଭୟ ସଦନର ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ନିଯାଯିବ । ଏଥପାଇଁ ନୂଆ ପରିସୀମନ ହେବ । ପରିସୀମନ ଆଧାରରେ କେଉଁ ସଦନର କେତେ ଆସନ ବଢିବ ନିଷ୍ପତ୍ତି ନିଆଯିବ । ଦେଶର ଶେଷ ଥର ପାଇଁ 2011 ରେ ଜନଗଣନା ହୋଇଛି । ପରବର୍ତ୍ତୀ ଜନଗଣନା 2021 ରେ ହେବାର ଥିଲା । କିନ୍ତୁ କେନ୍ଦ୍ର ସରକାର କୋଭିଡ ସ୍ଥିତି ପାଇଁ ଏହାକୁ ସ୍ଥଗିତ ରଖିଛନ୍ତି । କେବେ ହେବ ମଧ୍ୟ ସ୍ପଷ୍ଟ ହୋଇନାହିଁ। ସାମ୍ପ୍ରତିକ ସ୍ଥିତିକୁ ନେଇ ଅନୁମାନ କରାଯାଇ ପାରେ ଯେ 2031 ପୂର୍ବରୁ କେନ୍ଦ୍ର ସରକାର ଜଣଗଣନା ସହ ପରିସୀମନ କରିପାରନ୍ତି । ଜନଗଣନା ହେବା ସତ୍ବେ ପରିସୀମନ ନହେବା ଯାଏ ଦେଶରେ ସାଂସଦଙ୍କ ସଂଖ୍ୟା ବଢାଯାଇପାରିବ ନାହିଁ ।
ଏହାବି ପଢନ୍ତୁ- New Parliament Inauguration: ସକାଳ 7.30ରୁ ଆରମ୍ଭ ହେବ ପୂଜା
କେବେ ହୋଇଥିଲା ଲୋକସଭା ପରିସୀମନ (ସୀମା ନିର୍ଦ୍ଧାରଣ):- ଦେଶରେ ଶେଷ ଥର ପାଇଁ 1973 ରେ ଲୋକସଭା ପରିସୀମନ ହୋଇଥିଲା । ସେତେବେଳ ଦେଶର ଜନସଂଖ୍ୟା 54.80 କୋଟି ଥିଲା । ଅର୍ଥାତ ପ୍ରତି ସାଂସଦଙ୍କ ଦାଯିତ୍ବରେ ଥିଲେ ହାରାହାରି 10 ଲକ୍ଷ ଜନତା । ବର୍ତ୍ତମାନ ଭାରତ ହେଉଛି ବିଶ୍ବର ସର୍ବବୃହତ ଜନସଂଖ୍ୟା ରାଷ୍ଟ୍ର । ଦେଶର ଜନସଂଖ୍ୟା 150 କୋଟି ଦିଗରେ ଅଗ୍ରସର ହେଉଛି । ବିଗତ 50 ବର୍ଷରେ ଦେଶର ଜନସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି । କିନ୍ତୁ କୌଣସି ସଦନର ସଂଖ୍ୟା ବୃଦ୍ଧି ପାଇନାହିଁ । ଏବେ ପ୍ରତି ସାଂସଦଙ୍କ ଦାୟିତ୍ବରେ 25 ଲକ୍ଷରୁ ଅଧିକ ଜନତା ଅଛନ୍ତି । ଯାହାଦ୍ବାରା ସାଂସଦଙ୍କ କାର୍ଯ୍ୟଭାର ବଢିଛି । ଏପରି ସ୍ଥିତିରେ ଏବେ ଚର୍ଚ୍ଚା ହେଉଛି ପରିସୀମନ ହେବ । ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇବ ।
ହେବ କି ସମ୍ବିଧାନ ସଂଶୋଧନ:- ସମ୍ବିଧାନର ଧାରା 81 ରେ ଲୋକସଭାର ସରଞ୍ଚନା ତଥା ଗଠନକୁ ନେଇ ପୁରା ନିର୍ଦ୍ଦେଶାବଳୀ ରହିଛି । ଧାରା 81 ଅନୁସାରେ ଦେଶର ଲୋକସଭା ଆସନ ସଂଖ୍ୟା 552ରୁ ଅଧିକ ହୋଇପାରିବ ନାହିଁ । ଏଥିରୁ 530 ଦେଶର ପୂର୍ଣ୍ଣାଙ୍ଗ ରାଜ୍ୟରୁ ନିର୍ବାଚିତ ହୋଇଆସିବେ । 20 ଜଣ ସାଂସଦ କେନ୍ଦ୍ର ଶାସିତ ଅଞ୍ଚଳରୁ ନିର୍ବାଚିତ ହେବେ । ଏତତ ବ୍ୟତୀତ ଅନୁଛେଦ 331 ଅନୁସାରେ ରାଷ୍ଟ୍ରପତି ଦୁଇଜଣ ସଦସ୍ୟଙ୍କୁ ମନୋନୀତ ମଧ୍ୟ କରିପାରିବେ । ଅର୍ଥାତ ଧାରା 81 ଅନୁସାରେ ଲୋକସଭାର ସାଂସଦ ସଂଖ୍ୟା 552 ସର୍ବାଧିକ ରହିବ । ଯଦି ସାଂସଦ ସଂଖ୍ୟା ସରକାର ବୃଦ୍ଧି କରିବା ପାଇଁ ଚାହିଁବେ ପରିସୀମନ କରିବେ ତେବେ ସମ୍ବିଧାନ ସଂଶୋଧନ କରିବାକୁ ପଡିବ ।
ସେତେବେଳର ଆବଶ୍ୟକ ଅନୁସାରେ ହୋଇଥିଲା ନିର୍ମାଣ: - ବର୍ତ୍ତମାନର ପୁରୁଣା ସଂସଦ ଭବନ 102 ବର୍ଷ ପୂର୍ବେ ନିର୍ମାଣ ଆରମ୍ଭ ହୋଇଥିଲା । ସେତେବେଳେର ସ୍ଥିତି ଓ ଆବଶ୍ୟକତାକୁ ଦେଖି ଏହା ନିର୍ମାଣ ହୋଇଥିଲା । ଯାହା ବର୍ତ୍ତମାନ ଯାଏଁ ଆବଶ୍ୟକତା ପୂରଣ କରୁଛି । କିନ୍ତୁ ଯଦି ପରିସୀମନ ହୁଏ, ତେବେ ସାଂସଦଙ୍କ ସଂଖ୍ୟା ବଢିବ । ଯଦି ସାଂସଦଙ୍କ ସଂଖ୍ୟା ବଢିବ ପୁରୁଣା ସଂସଦ ଭବନ ଏହାର ଆବଶ୍ୟକତା ପୂରଣ କରିପାରିବ ନାହିଁ । ଫଳରେ ନୂଆ ସଂସଦ ଭବନ ଜରୁରୀ ଥିଲା । ପୁଣି 2001 ସମ୍ବିଧାନ ସଂଶୋଧନ ଅନୁସାରେ 2026 ପରେ ଦେଶରେ ପରିସୀମନ ପାଇଁ ପ୍ରସ୍ତାବ ରହିଛି । ସେହି ଆଧାରରେ ନୂଆ ସଂସଦ ଭବନ ମଧ୍ୟ ସରକାର 2026 ପୂର୍ବରୁ ନିର୍ମାଣ କରିଛନ୍ତି ।
ଏହାବି ପଢନ୍ତୁ- New Parliament Inauguration: ପୁରୁଣା ସଂସଦଠୁ କେତେ ଭିନ୍ନ ନୂଆ ସଂସଦ ? ଜାଣନ୍ତୁ ପାର୍ଥକ୍ୟ
ଭୂକମ୍ପ ନିରୋଧୀ ନୂଆ ସଂସଦ ଭବନ:- ନୂଆ ସଂସଦ ଭବନ ଭୂକମ୍ପ ନିରୋଧୀ । ଏହାକୁ ସେସମିକ୍ ଜୋନ-5 କୁ ନଜରରେ ରଖି ନିର୍ମାଣ କରାଯାଇଛି । କିନ୍ତୁ ଦିଲ୍ଲୀ ଭୂକମ୍ପ ସେସମିକ୍ ଜୋନ-4ରେ ଆସୁଛି। ଦେଶର ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ଗୁଜୁରାଟ, ବିହାରର କିଛି ଅଂଶ ସମେତ ଉତ୍ତରପୂର୍ବ ଭାରତ ସହ ଆଣ୍ଡାମାନ ନିକୋବର ସେସ୍ମିକ ଜୋନ-5 ରେ ଆସୁଛି । ଏହା ନିଶ୍ଚିତ କୁହାଯାଇପାରିବ ଯେ ଭୂକମ୍ପ ଦୃଷ୍ଟିରୁ ନୂଆ ସଂସଦ ଭବନ ଦେଶର ସବୁଠାରୁ ସୁରକ୍ଷିତ ଭବନ ।