ନୂଆଦିଲ୍ଲୀ: ପଡୋଶୀ ଶ୍ରୀଲଙ୍କାରେ ଜାରି ରହିଥିବା ସଙ୍କଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । କ୍ରମଶଃ ଗମ୍ଭୀର ହେବାରେ ଲାଗିଥିବା ସ୍ଥିତିକୁ ଦେଖି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ମଙ୍ଗଳବାର ସଂଧ୍ୟାରେ ଏହି ବୈଠକ ଆୟୋଜିତ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ପ୍ରହ୍ଲାଦ ଏହା ମଧ୍ୟ ସୂଚନା ଦେଇଛନ୍ତି, ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଉପସ୍ଥିତ ରହି ଶ୍ରୀଲଙ୍କା ସଙ୍କଟ, ଭାରତର ଭୂମିକା ଓ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ଆଭିମୁଖ୍ୟ ସମ୍ପର୍କରେ ବିଶେଷ ତଥ୍ୟ ରଖିବେ ।
ଏହି ବୈଠକ ମଙ୍ଗଳବାର ସଂଧ୍ୟାରେ ଆରମ୍ଭ ହେବା ନେଇ ସୂଚନ ରହିଛି । ଏଥିରେ ବୈଦେଶିକ ସଚିବଙ୍କ ଦ୍ବାରା ପ୍ରସ୍ତୁତ ଏକ ପ୍ରଜେଣ୍ଟଟେସନ ମଧ୍ୟ ଉପସ୍ଥାପିତ ହେବ । ଏଥରେ ଭାରତ ଗ୍ରହଣ କରିଥିବା ପଦକ୍ଷେପ, ପ୍ରଦାନ କରିଥିବା ସହାୟତା ସାମଗ୍ରୀ ଆଦି ସମ୍ପର୍କରେ ଅବଗତ ହେବେ ସମସ୍ତ ଦଳର ସାଂସଦ । ପୂର୍ବରୁ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ମଧ୍ୟ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କେନ୍ଦ୍ର ସରକାର ଶ୍ରୀଲଙ୍କାକୁ ସହାୟତାର ହାତ ବଢାନ୍ତୁ ବୋଲି ଦାବି କରିଥିଲେ ।
ଶ୍ରୀଲଙ୍କାରେ ସଙ୍କଟ ଆରମ୍ଭ ହେବା ପରଠାରୁ ଭାରତ ଏକାଧିକ ପର୍ଯ୍ୟାୟରେ ସହୟତା ସାମଗ୍ରୀ ପଠାଇସାରିଛି । ଖାଦ୍ୟ ସାମଗ୍ରୀ, ଔଷଧ ଓ ଇନ୍ଧନ ଆଦି ଏକାଧିକ ସିପମେଟରେ ନୂଆଦିଲ୍ଲୀ ଠାରୁ ଗ୍ରହଣ କରିଛି କଲୋମ୍ବୋ । ପଡୋଶୀ ପ୍ରଥମ ମନ୍ତ୍ରରେ ବିଶବାସ କରୁଥିବା ଭାରତ ତାର ନୈତିକ ଉତ୍ତରଦାୟିତ୍ବ ଲିଭାଇ ଚାଲିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିସାରିଛି ।
ତେବେ ଶ୍ରୀଲଙ୍କାରେ ସଙ୍କଟ ଅତି ଗମ୍ଭୀର ରୂପ ନେବା ସହ ଗୃହଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ଦେଶ ଛାଡି ପଳାନୟ କରିସାରିଥିବାବେଳେ, ଅନ୍ୟ ଜନପ୍ରତିନିଧିମାନେ ଆକ୍ରମଣ ଭୟରେ ଆତ୍ମଗୋପନ କରିଛନ୍ତି । ଇସ୍ତଫା ଦେଇଥିବା ପ୍ରଧାନମନ୍ତ୍ରୀ ବିକ୍ରମ ରନିଲସିଙ୍ଘେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ବରେ ରହିଛନ୍ତି । ସମଗ୍ର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲେ ସୁଦ୍ଧା, ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରିନାହିଁ । ଏପରି ସ୍ଥିତିରେ ନିକଟତମ ପଡୋଶୀ ଭାବେ ଭାରତର ଉତ୍ତର ଦାୟିତ୍ବ ମଧ୍ୟ ବଢିଛି । ମଙ୍ଗଳବାର ଏହି ପ୍ରସଙ୍ଗ ନେଇ ସର୍ବଦଳୀୟ ବୈଠକ ଡାକିଛି କେନ୍ଦ୍ର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ