ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥିତ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାରକୁ ଆତଙ୍କବାଦୀ ଘୋଷଣା କରାଯାଇଛି । ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବେଆଇନ କାର୍ଯ୍ୟକଳାପ ନିରୋଧ ଅଧିନିୟମ (UAPA) ଅଧୀନରେ ଏହି କୁଖ୍ୟାତ ମାଫିଆକୁ ଆତଙ୍କବାଦୀ ଘୋଷଣା କରିଛି । ସତିନ୍ଦ୍ରଜିତ ସିଂ ଓରଫ ଗୋଲ୍ଡି ନାମରେ ପଞ୍ଜାବ ସମେତ ଏକାଧିକ ରାଜ୍ୟରେ ହତ୍ୟା, ଦାଦାବଟି ଓ ଅପହରଣ ପରି ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି । ଗୋଲ୍ଡି ଏବେ ଭାରତରୁ ପଳାୟନ କରି କାନାଡାରେ ରହୁଛି । ସେଠାରେ ରହି ମଧ୍ୟ ସେ ଭାରତରେ ନିଜ ନେଟଓ୍ବାର୍କ ସାହାଯ୍ୟରେ ଅପରାଧ ଘଟାଇ ଚାଲିଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ସ୍କାନରରେ ଏହି କୁଖ୍ୟାତ ମାଫିଆ ଦୀର୍ଘ ବର୍ଷ ହେବ ଥିବା ସତ୍ତ୍ବେ ମଧ୍ୟ ତାକୁ ଗିରଫ କରିବା ଭାରତ ପକ୍ଷରେ ସମ୍ଭବପର ହୋଇପାରିନି ।
2022 ମସିହାରେ ପଞ୍ଜାବ ମନସାରେ ଘଟିଥିବା ବହୁଚର୍ଚ୍ଚିତ କଂଗ୍ରେସ ନେତା ତଥା ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ମଧ୍ୟ ଗୋଲ୍ଡିର ଗ୍ୟାଙ୍ଗ ହିଁ ସମ୍ପୃକ୍ତ ଥିଲା । କାନାଡାରେ ରହି ନିଜ ସହଯୋଗୀ ଅପରାଧୀ ଓ ସୁଟରଙ୍କ ମାଧ୍ୟମରେ ଏହି ହତ୍ୟାକାଣ୍ଡ ଘଟାଇଥିବା ସେ ନିଜେ ସୋସିଆଲ ମିଡିଆରେ ଦାବି କରିଥିଲା । ଅନ୍ୟତମ କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ଗୋଲ୍ଡି ବରାର ଗ୍ୟାଙ୍ଗର ସମ୍ପୃକ୍ତ ରହିଛି । ଲରେନ୍ସ ଏବେ ପଞ୍ଜାବର ଏକ ଜେଲରେ ଥିବା ବେଳେ ତାର ଅପରାଧିକ ନେଟଓ୍ବାର୍କ ମଧ୍ୟ ବିଭିନ୍ନ ଅପରାଧ ଘଟାଇବା ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ :- କୁସ୍ତି ମହାସଂଘ ନିଲମ୍ବନ ପ୍ରତ୍ୟାହାର ସମ୍ଭାବନା କ୍ଷୀଣ !
ଭାରତ ବାହାରେ କାନାଡାରେ ହିଁ ସର୍ବାଧିକ ଖଲିସ୍ତାନୀ ସମର୍ଥକ ଓ ଭାରତ ଦ୍ବାରା ଆତଙ୍କବାଦୀ ଘୋଷିତ ସଂଗଠନ ‘ଶିଖ ଫର ଜଷ୍ଟିସ’ର ଅନେକ ନେତା ରହିଛନ୍ତି । ସେମାନେ ନିୟମିତ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା ସତ୍ତ୍ବେ ମଧ୍ୟ କାନାଡା ସେମାନଙ୍କୁ ସଂରକ୍ଷଣ ଓ ପୃଷ୍ଠପୋଷକତା ଦେବା ଜାରି ରଖିଛି । ନିକଟରେ ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାରର ହତ୍ୟା ପଛରେ ଭାରତର ଭୂମିକା ଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଚରମ ତିକ୍ତତାପୂର୍ଣ୍ଣ ସ୍ଥିତରେ ପହଞ୍ଚିଥିଲା । ଯାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ପୂର୍ବପରି ସ୍ବାଭାବିକ ହୋଇପାରିନି । ଭାରତରେ ଏକାଧିକ ଅପରାଧରେ ମୋଷ୍ଟ ଓ୍ବାଣ୍ଟେଡ ଥିବା ଗୋଲ୍ଡି ବରାର ମଧ୍ୟ କାନାଡାରେ ଗତ ବର୍ଷ ହେବ ଆତ୍ମଗୋପନ କରିଛି । ଏବେ ତାକୁ ଗୃହ ମନ୍ତ୍ରଣାଳୟ ଆତଙ୍କବାଦୀ ଘୋଷଣା କରିବା ପରେ ଭାରତର ତାର ପ୍ରତ୍ୟର୍ପଣ ପାଇଁ କାନାଡା ଉପରେ କୂଟନୈତିକ ଚାପ ସୃଷ୍ଟି କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ