ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ରାଜଧାନୀ ଦିଲ୍ଲୀରେ ବସିଛି ଜି-୨୦ ବୈଠକ । ଏହି ବୈଠକରେ ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ସମୟରେ ଋଷର ନାଁ ନନେଇ ବିଶ୍ବନେତାମାନେ ତେରେଚ୍ଛା ବାଣ ମାରିଛନ୍ତି । ପରମାଣୁ ଅସ୍ତ୍ରଶସ୍ତ୍ର ଉପଯୋଗ ଓ ଧମକ ଦେବା ଅସ୍ବୀକାର୍ଯ୍ୟ ବୋଲି ନୂଆଦିଲ୍ଲୀ ସଙ୍କଳ୍ପ ବା ଘୋଷଣାନାମାରେ ନିଷ୍ପତ୍ତି ନିଆଯାଇଛି । ୟୁଏନ ଚାର୍ଟର ଅଥବା ସୁରକ୍ଷା ପରିଷଦର ନିୟମ ଅନୁଯାୟୀ କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର କ୍ଷେତ୍ରୀୟ ଅଖଣ୍ଡତା, ରାଜନୈତିକ ସ୍ବତନ୍ତ୍ରତା ଓ କ୍ଷେତ୍ରୀୟ ଅଧିଗ୍ରହଣ ନେଇ ଧମକ ଦେବା ଗ୍ରହଣୀୟ ହେବ ନାହିଁ ବୋଲି ଘୋଷଣା କରାଯାଇଛି ।
ଋଷିଆର ନାଁ ନ ନେଇ ଜି-୨୦ ବୈଠକରେ ବିଶ୍ବନେତାମାନେ ଏ ନେଇ ନିଷ୍ପତ୍ତି ନେଇଛନ୍ତି । ୟୁକ୍ରେନ ଯୁଦ୍ଧକୁ ନେଇ ବାଲିରେ ହୋଇଥିବା ଆଲୋଚନାକୁ ପୁଣି ଦୋହରାଇଛନ୍ତି ଜି-୨୦ ସଦସ୍ୟ । ଏଥିରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିନାମାକୁ ରାଷ୍ଟ୍ରଗୁଡ଼ିକ ପାଳନ କରିବା ଉଚିତ । ଏହାସହ ୟୁଏନ ଚାର୍ଟର ଅଥବା ସୁରକ୍ଷା ପରିଷଦର ପ୍ରସ୍ତାବ ତଥା ନୀତି ଅନୁଯାୟୀ କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର କ୍ଷେତ୍ରୀୟ ଅଖଣ୍ଡତା, ରାଜନୈତିକ ସ୍ବତନ୍ତ୍ରତା ଓ କ୍ଷେତ୍ରୀୟ ଅଧିଗ୍ରହଣ ନେଇ ଧମକ ଦେବା ଗ୍ରହଣୀୟ ହେବ ନାହିଁ । ଏହାସହ ପରମାଣୁ ଅସ୍ତ୍ରଶସ୍ତ୍ର ଉପଯୋଗ ଓ ଏହାର ଉପଯୋଗକୁ ନେଇ ଧମକ ଦେବା ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ନିଷ୍ପତ୍ତି ନେଇଛନ୍ତି ବିଶ୍ବନେତା ଗଣ ।
ଏହା ବି ପଢନ୍ତୁ- G20 Summit: ଭାରତର ବଡ ଉପଲବ୍ଧି, ‘Delhi Declaration’ ଘୋଷଣାପତ୍ରକୁ 100% ସହମତି
ସେପଟେ ଆଜି ଜି-୨୦ ବୈଠକରେ ପ୍ରଥମ ଦିନର ଦ୍ବିତୀୟ ଅଧିବେଶନରେ 'ବର୍ତ୍ତମାନର ଯୁଗ ଯୁଦ୍ଧର ଯୁଗ' ନୁହେଁ ବୋଲି କହି ଶାନ୍ତି ପ୍ରତିଷ୍ଠା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବକୁ ଆହ୍ବାନ ଦେଇଥିଲେ । ପରୋକ୍ଷରେ ଏହା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ମଧ୍ୟ ରହିଥିଲା । ପୂର୍ବରୁ ସାଙ୍ଘାଇ ସହଯୋଗ ସଂଗଠନ (SCO) ବୈଠକରେ ଭ୍ଲାଦିମିର ପୁଟିନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା ସମୟରେ ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ହୋଇଥିଲା । ଏହି ସମୟରେ 'ବର୍ତ୍ତମାନର ଯୁଗ ଯୁଦ୍ଧର ଯୁଗ' ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦ୍ବିତୀୟ ଅଧିବେଶନର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରି କହିଥିଲେ, "ୟୁକ୍ରେନ ଯୁଦ୍ଧକୁ ନେଇ ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହା ବିଶ୍ବ ଉପରେ କୁପ୍ରଭାବ ପକାଉଛି ବୋଲି ମୋଦି କହିଥିଲେ । ଏହାସହ ବିଶ୍ବ ଖାଦ୍ୟ ଏବଂ ଶକ୍ତି ନିରାପତ୍ତା, ଯୋଗାଣ ଶୃଙ୍ଖଳା, ମାକ୍ରୋ-ଆର୍ଥିକ ସ୍ଥିରତା, ମୁଦ୍ରାସ୍ଫୀତି ଏବଂ ଅଭିବୃଦ୍ଧି ସଙ୍କଟରେ ପଡ଼ିଛି ।"
ୟୁକ୍ରେନ ଯୁଦ୍ଧକୁ ନେଇ ନୂଆଦିଲ୍ଲୀ ସଙ୍କଳ୍ପନାମାରେ ଆହୁରି କୁହାଯାଇଛି, "ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ସଙ୍କଟ ଦୂର କରିବା ପାଇଁ କୂଟନୈତିକ ସ୍ତରରେ ଆଲୋଚନା ଗୁରୁତ୍ବପୂର୍ଣ୍ଣ । ବିଶ୍ବ ଅର୍ଥନୀତିରେ ଯୁଦ୍ଧର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଆମେ ସମସ୍ତେ ଏକତ୍ରିତ ହେବା ଏବଂ ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟ ଏବଂ ସ୍ଥାୟୀ ଶାନ୍ତି ପାଇଁ ସମର୍ଥନ କରୁଥିବା ସମସ୍ତ ପ୍ରାସଙ୍ଗିକ ତଥା ଗଠନମୂଳକ ପଦକ୍ଷେପକୁ ସ୍ବାଗତ କରିବା । ଯାହାକି ମିଳିତ ଜାତିସଂଘ ଚାର୍ଟରର ସମସ୍ତ ଉଦ୍ଦେଶ୍ୟ ଏବଂ ନୀତିକୁ ସମର୍ଥନ କରିବ। 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ଆତ୍ମା ସହିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଶାନ୍ତିପୂର୍ଣ୍ଣ, ବନ୍ଧୁତ୍ବପୂର୍ଣ୍ଣ ଦିଗକୁ ପ୍ରୋତ୍ସାହିତ କରିବା ।"