ମୁମ୍ବାଇ: ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସାମିଲ ଜଣେ ଫେରାର ସାର୍ପ ସୁଟରକୁ ପୁଣେରୁ ଗିରଫ କରିଛି ପୋଲିସ । ସାର୍ପ ସୁଟରର ନାମ ସୌରଭ ମହାକାଲ ଓ ସେ ହତ୍ୟାକାଣ୍ଡ ପରେ ଫେରାର ଥିବା ପୋଲିସ କହିଛି । ତାକୁ ଚିହ୍ନଟ ପରେ ଗିରଫ ଉଦ୍ୟମ ଜାରି ରହିଥିଲା । ଆଜି (ବୁଧବାର) ପୁଣେ ରୁରାଲ ପୋଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି ।
ପଞ୍ଜାବର ମାନସା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏକାଧିକ ସାର୍ପ ସୁଟର ଏହି ହତ୍ୟାକାଣ୍ଡକୁ ରୂପ ଦେବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ମାମଲାରେ ପୋଲିସ ଏକାଧିକ ସହଯୋଗୀଙ୍କୁ ଗିରଫ କରିଥିଲା । ସାର୍ପ ସୁଟରମାନେ ଭିନ୍ନଭିନ୍ନ ରାଜ୍ୟରୁ ଆସିଥିବା ସନ୍ଦେହ କରିଥିଲା ପୋଲିସ । ତେବେ ଆଜି ପୂର୍ବ ସୂଚନା ଅନୁସାରେ ପୁଣେରୁ ଜଣେ ସାର୍ପ ସୁଟରକୁ ଗିରଫ କରାଯାଇଛି । ଅଭିଯୁକ୍ତ ପୁଣେ ସହରର ସ୍ଥାନୀୟ ବାସିନ୍ଦା ହୋଇଥିବା ଜଣାପଡିଛି ।
ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଜଣେ ସାର୍ପ ସୁଟର ସନ୍ତୋଷ ଯାଦବକୁ ଚିହ୍ନଟ କରିସାରିଥିବା ବେଳେ ତାକୁ ଖୁବ ଶୀଘ୍ର ଗିରଫ କରାଯିବା ନେଇ ମଧ୍ୟ ଉଦ୍ୟମ ଜାରି ରହିଥିବା ପୋଲିସ କହିଛି । ପଞ୍ଜାବ, ଦିଲ୍ଲୀ ଓ ହରିୟାଣା ପୋଲିସର ଏକାଧିକ ଟିମ ଏହି ହାଇପ୍ରୋଫାଇଲ ମର୍ଡର କେସର ତଦନ୍ତ ଜାରି ରଖିଛନ୍ତି । ଆବଶ୍ୟକ ସ୍ଥଳେ ଅନ୍ୟ ପ୍ରଦେଶର ପୋଲିସର ସହୟତା ମଧ୍ୟ ନିଆଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ