ଇମ୍ଫାଲ: ଉତ୍ତର-ପୂର୍ବ ମଣିପୁରରେ କିଛି ସ୍ଥାନରେ ହିଂସା ସୂଚନା ମିଳିବା ପରେ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳ ଆଜି ଉଗ୍ରବାଦୀଙ୍କ ବିରୋଧରେ ଏନକାଉଣ୍ଟର ଜାରି ରଖିଛି । ଏଥିରେ ପ୍ରାୟ 40 ଉଗ୍ରବାଦୀ ନିପାତ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ସ୍ପଷ୍ଟ କରିଛନ୍ତି । ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ଏନକାଉଣ୍ଟର ଜାରି ରହିଥିବା ମୁଖ୍ୟମନ୍ତ୍ରୀ ସିଂ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘‘ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ଉଗ୍ରବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏବେ ସୁଦ୍ଧା ବିଭିନ୍ନ ସ୍ଥାନରେ ପ୍ରାୟ 40 ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ସରକାରଙ୍କ ନିକଟରେ ପହଞ୍ଚିଛି । ଅନ୍ୟ କିଛି ଉଗ୍ରବାଦୀଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହି ଉଗ୍ରବାଦୀମାନେ ଅତ୍ୟାଧୁନିକ ମାରଣାସ୍ତ୍ର ବ୍ୟବହାର କରି ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି । ସୁରକ୍ଷା ବାହିନୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରଖିଛି ।’’
ମୁଖ୍ୟମନ୍ତ୍ରୀ ବିରେନ ସିଂ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଏହା ଦୁଇ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ହିଂସା ନୁହେଁ ବରଂ ରାଜ୍ୟରେ ସକ୍ରିୟ ଥିବା କୁକି ସମ୍ପ୍ରଦାୟର ଉଗ୍ରବାଦୀ ଓ ସୁରକ୍ଷାବଳ ମଧ୍ୟରେ ଏହି ଏନକାଉଣ୍ଟର ଜାରି ରହିଛି । ଏହି ଉଗ୍ରବାଦୀମାନେ AK-47, M-16 ଏବଂ ସ୍ନାଇପର୍ ରାଇଫଲ ପରି ଅତ୍ୟାଧୁନିକ ମାରଣାସ୍ତ୍ର ବ୍ୟବହାର କରି ସାଧାରଣ ନାଗରିକଙ୍କୁ ଆକ୍ରମଣ କରୁଥିବା ଘଟଣା ସାମ୍ନାକୁ ଆସିଛି । ସୁରକ୍ଷାକର୍ମୀ ସେମାନଙ୍କ ଅଭିଯାନ ଜାରି ରଖିଛନ୍ତି । ସାଧାରଣ ଲୋକେ ଏହି ମିଶନରେ ବାଧା ନଦିଅନ୍ତୁ । ରାଜ୍ୟବାସୀ ସୁରକ୍ଷା ବଳ ଓ ସରକାର ଉପରେ ବିଶ୍ବାସ ରଖନ୍ତୁ । ରାଜ୍ୟ ଏବେ ବଡ ସାମ୍ପ୍ରଦାୟିକ ହିଂସାକୁ ସାମ୍ନା କରିଛି । ରାଜ୍ୟର ଏପରି ସ୍ଥିତି ସୃଷ୍ଟି କରୁଥିବା ଉଗ୍ରବାଦୀଙ୍କ ବରଦାସ୍ତ କରାଯିବ ନାହିଁ । ସେମାନଙ୍କୁ କଡ଼ା ଜବାବ ଦିଆଯିବ । ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି । ସାଧାରଣ ଲୋକେ ସେନାର ଏହି ମିଶନରେ ବାଧା ସୃଷ୍ଟି କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସିଂ କହିଛନ୍ତି ।
ଚଳିତମାସ ଆରମ୍ଭରେ ମଣିପୁରରେ ଦେଖାଯାଇଥିବା ହିଂସାରେ ପ୍ରାୟ 60 ସାଧାରଣ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ଚୋରାଚାନ୍ଦପୁର ଜିଲ୍ଲାରେ ସ୍ଥାନୀୟ ମୈତେଇ ଓ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏହି ହିଂସାକାଣ୍ଡ ସଂଗଠିତ ହେବା ପରେ ସାରା ରାଜ୍ୟକୁ ବ୍ୟାପି ଯାଇଥିଲା । ଏଥିରେ ରାଜ୍ୟର ପ୍ରାୟ ଅଘୋଷିତ ଜରୁରୀ ସ୍ଥିତି ସୃଷ୍ଟି ହେବା ସହ ସେନା ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥିଲା । ଏବେ ସ୍ଥିତିରେ ସୁଧାର ଆସିଛି । କେନ୍ଦ୍ରୀୟ ଫୋର୍ସ ମୁତୟନ ସଂଖ୍ୟା ହ୍ରାସ ପାଇଥିଲେ ସୁଦ୍ଧା ଏବେ ମଧ୍ୟ ସ୍ଥିତି ଉପରେ କଡା ନଜର ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ