ନୂଆଦିଲ୍ଲୀ: ପୋଲିସକୁ ଚକମା ଦେବା ଲାଗି ବେଶ ବଦଳାଉଛି ୱାରିସ ପଞ୍ଜାବ ଦେ'ର ମୁଖ୍ୟ ତଥା ପଳାତକ ଅମ୍ରିତପାଲ ସିଂ । ଏହି ନୂଆ ଭିଡିଓରେ ବିନା ପଗଡ଼ି ଓ କଳା ଚଷମାରେ ଅମ୍ରିତପାଲକୁ ଦେଖିବାକୁ ମିଳିଛି । ଅମ୍ରିତପାଲ ସହିତ ସହଯୋଗୀ ପପଲପ୍ରିତ ସିଂ ମଧ୍ୟ ତା' ପଛରେ ଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି । ଅମ୍ରିତପାଲ ଏବେ ନେପାଳରେ ଲୁଚି ରହିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଭିଡିଓରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ।
ଏହି ଭିଡିଓ ଗତ ୨୩ ତାରିଖର ବୋଲି ଜଣାପଡ଼ିଛି । ନୂଆ ଭିଡିଓରେ ଦିଲ୍ଲୀ ରାସ୍ତାରେ ସହଯୋଗୀ ପପଲପ୍ରିତ ସହ ବୁଲୁଛି ଅମ୍ରିତପାଲ । ଏହା ପୂର୍ବ ଭିଡିଓରେ ପଗଡି ଓ ଚଷମା ସହିତ ଅମ୍ରିତପାଲକୁ ପଟିଆଲାରେ ଦେଖିବାକୁ ମିଳିଥିଲା । ହେଲେ ଏବେ ନିଜ ବେଶ ବଦଳାଇ ବିନା ପଗଡ଼ିରେ ଅମ୍ରିତପାଲକୁ ଦେଖିବାକୁ ମିଳିଛି । ସହଯୋଗୀ ପପଲପ୍ରିତ ହାତରେ ବ୍ୟାଗ ଧରି ଅମ୍ରିତପାଲ ପଛେ ପଛେ ଯାଉଥିବା ଦେଖିବାକୁ ମିଳିଛି । ଏଯାବତ ପୋଲିସ ଅମ୍ରିତପାଲର ପ୍ରାୟ ୧୦୦ଜଣ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଅମ୍ରିତପାଲ ଓ ପପଲପ୍ରିତକୁ ଧରିବାରେ ଅକ୍ଷମ ହୋଇଛି । ପୋଲିସ ହାତରେ ଧରାନପଡ଼ିବା ଲାଗି ବାରମ୍ବାର ନିଜ ସ୍ଥାନ ବଦଳାଉଛି ଅମ୍ରିତପାଲ ।
ଏହା ବି ପଢନ୍ତୁ-ବେଶ ପରେ ବେଶ ବଦଳାଉଛି ଅମ୍ରିତପାଲ, ଚଷମା କୋଟ୍ରେ ଆସିଲା ନଜର
ଅମ୍ରିତପାଲକୁ ପଳାତକ ଘୋଷିତ ହେବା ପରେ ସର୍ବପ୍ରଥମେ ତାକୁ ପ୍ଲାଟିନା ମୋଟର ସାଇକେଲରେ ବସି ଯାଉଥିବା ଦେଖିବାକୁ ମିଳିଥିଲା । ଏହି ଫଟୋରେ ସେ ଗୋଲାପୀ ରଙ୍ଗର ପଗଡ଼ି ପିନ୍ଧିଥିଲା । ଏହାପରେ ପୋଲିସ ଉକ୍ତ ମୋଟର ସାଇକେଲକୁ ଜବତ କରିଥିଲା । ଏହାପରେ ଅମ୍ରିତପାଲକୁ ଲୁଧିଆନାରେ ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳର ରାସ୍ତାଘାଟରେ ପ୍ରାୟ ୪୦ରୁ ୫୦ ମିନିଟ ପର୍ଯ୍ୟନ୍ତ ବୁଲୁଥିଲା ଅମ୍ରିତପାଲ । ଏହାପରେ ନିଜ ସହଯୋଗୀ ସହିତ ଲାଡୋଭାଲ ଟୋଲ ପ୍ଲାଜା ଦେଇ ଖସି ପଳାଇଥିଲା । ଏହାପରେ ଖବର ମିଳିଥିଲା ଯେ ଅମ୍ରିତପାଲ ନିଜ ସହଯୋଗୀ ସହିତ ହରିୟାଣାରେ ରହିଛି ।
ଏହାପରେ ହରିୟାଣା ଶାହବାଦରୁ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା । ଯେଉଁଥିରେ ଅମ୍ରିତପାଲ ଏକ ଛତା ଧରି ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ପରେ ପୋଲିସ ଜାଣିବାକୁ ପାଇଥିଲେ ଯେ ହରିୟାଣାରେ ବଲଜିତ କୌରଙ୍କ ଘରେ ରହିଥିଲା ସେ । ବଲଜିତ କୌର ଅମ୍ରିତପାଲକୁ ନିଜ ଘରେ ୩ ଦିନ ଆଶ୍ରୟ ଦେଇଥିଲା ବୋଲି ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏବେ ନୂଆ ଭିଡିଓରେ ଅମ୍ରିତପାଲ ବିନା ପଗଡ଼ି ଓ ଲମ୍ବା କେଶରେ ନଜର ଆସିଛି ।
ବାରମ୍ବାର ବେଶ ବଦଳାଇ ଆତ୍ମଗୋପନ କରିବାରେ ଏଯାବତ ସଫଳ ରହିଛି ପଳାତକ ଘୋଷିତ ଖଲିସ୍ତାନୀ ଆତଙ୍କବାଦୀ ଅମ୍ରିତପାଲ ସିଂ । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଅମ୍ରିତପାଲର ସମ୍ପୃକ୍ତି ରହିଥିବା ଜଣାପଡିଛି । ଦୁବାଇରେ ISI ସହ ସମ୍ପର୍କରେ ଆସିଥିଲା ଅମ୍ରତିପାଲ । ପଞ୍ଜାବରେ ଆଇନ ଶୃଙ୍ଖଳା ସ୍ଥିତି ବିଗାଡିବାକୁ ରାଜ୍ୟର ଯୁବବର୍ଗଙ୍କୁ ନିଜ ଗୋଷ୍ଠୀରେ ସାମିଲ କରିବା ପାଇଁ ISI ପକ୍ଷରୁ ତାକୁ ନିର୍ଦ୍ଦେଶ ମିଳିଥିଲା । ସେଠାରୁ ପଞ୍ଜାବ ଫେରିବା ପରେ ଅମ୍ରିତପାଲ ଗାଁ ଗାଁକୁ ଯାଇ ନିଜର ସଂଗଠନ ସୁଦୃଢ କରିବାକୁ ଉଦ୍ୟମ କରିଥିଲା । ସେ ପଞ୍ଜାବର ବିଭିନ୍ନ ମୁଦ୍ଦା ଉଠାଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଶିଖ୍ମାନଙ୍କୁ ଉସକାଇବାକୁ ଚେଷ୍ଟା କରିଥିଲା ।