ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆସନ୍ତାକାଲି (ରବିବାର) ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ମଧ୍ୟ ଜାରି ରହିଛି । ତେବେ ଆଜି ଦଳ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ଗୋଣ୍ଡା ଜିଲ୍ଲାର କର୍ନେଲଗଞ୍ଜରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ରାଜନାଥ କହିଛନ୍ତି ଯଦି ୟୁପିରେ ବିଜେପି ସରକାର ଗଠନ ହୁଏ ତେବେ ହୋଲି ଏବଂ ଦୀପାବଳୀରେ ରାଜ୍ୟବାସୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ ।
ଫଳରେ ରାଜ୍ୟବାସୀ ଉତ୍ସବ ସମୟରେ ସହଜରେ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରିପାରିବେ ବୋଲି କହିଛନ୍ତି ରାଜନାଥ । ଆଜି କର୍ନଲଗଞ୍ଜ ବିଧାନସଭା ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ଅଜୟ କୁମାର ସିଂଙ୍କ ସମର୍ଥନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ରାଜନାଥ । ଯେଉଁଥିରେ ସେ କେନ୍ଦ୍ର ସରକାରଙ୍କ ଏକାଧିକ ଯୋଜନାର ସଫଳତାକୁ ଦର୍ଶାଇ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି ।
ତେବେ ଏହି ରାଲିରେ ରାଜନାଥ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଏକ ମନ୍ତବ୍ୟକୁ ଉଲ୍ଲେଖ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ରାଜୀବ ଗାନ୍ଧୀ ୧୦୦ ପଇସା ପଠାଉଥିବା ବେଳେ ଉତ୍ତର ପ୍ରଦେଶକୁ ମାତ୍ର 10 ପଇସା ମିଳୁଥିଲା । କିନ୍ତୁ ପ୍ରଧାମନ୍ତ୍ରୀ ମୋଦି ଭ୍ରଷ୍ଟାଚାରକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ସହ ବିକାଶ ରାସ୍ତା ପରିଷ୍କାର କରିଛନ୍ତି ବୋଲି ରାଜନାଥ କହିଛନ୍ତି ।
ରାଜନାଥଙ୍କ ମାଗଣା ଏଲପିଜି ଗ୍ୟାସ ପ୍ରତିଶ୍ରୁତି ଆସିବା ପରେ ରାଜନୈତିକ ବୟାନବାଜୀ ମଧ୍ୟ ଜୋର ଧରିବାରେ ଲାଗିଛି । କଂଗ୍ରେସ ପୂର୍ବରୁ ଏହି ପ୍ରତିଶ୍ରୁତି ଦେଇ ସାରିଥିବା ବେଳେ ରାଜନାଥ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁଣି ସେହି ପନ୍ଥା ଆପଣାଉଛନ୍ତି ବୋଲି ବିରୋଧୀ ସମାଲୋଚନା କରିବା ମଧ୍ୟ ଆରମ୍ଭ କରିଛନ୍ତି । ଯଦି ଉତ୍ତର ପ୍ରଦେଶରେ ସରକାର ଗଠନ ହୁଏ, ତେବେ ମାତ୍ର 500 ଟଙ୍କାରେ ଜାଳେଣି ସିଲିଣ୍ଡର ଉପଲବ୍ଧ ହେବା ନେଇ ପୂର୍ବରୁ ଘୋଷଣା କରିସାରିଛି କଂଗ୍ରେସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ