ବେଙ୍ଗାଲୁରୁ: ଜମିଜମା ବିବାଦକୁ କେନ୍ଦ୍ରକରି ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା । ଏକାସାଙ୍ଗରେ ବାପାମାଆ ଓ ପୁଅ-ବୋହୂକୁ ହାଣି ରକ୍ତର ନଦୀ ବୁହାଇଲା ସମ୍ପର୍କୀୟ । କର୍ଣ୍ଣାଟକ ଉତ୍ତରକନ୍ନଡ ଜିଲ୍ଲାର ବଦାଭାଲ୍ଲି ଅଞ୍ଚଳରେ ଗତକାଲି(ଶୁକ୍ରବାର) ଏଭଳି ଲୋମହର୍ଷଣକାରୀ କାଣ୍ଡ ଘଟିଛି । ଜମିଜମାକୁ ନେଇ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ଅଭିଯୁକ୍ତ ସମ୍ପର୍କୀୟକୁ ପୋଲିସ ଗିରଫ କରି ପଚରାଉଚରା କରୁଛି ।
ମୃତକମାନେ ହେଲେ ଶମ୍ଭୁ ଭଟ୍ଟ(୬୫), ତାଙ୍କର ପତ୍ନୀ ମାଦେବୀ ଭଟ୍ଟ ଏବଂ ସେମାନଙ୍କ ପୁଅ ବୋହୂ ରାଜୀବ ଓ କୁସୁମା ଭଟ୍ଟ । ଏହି ହତ୍ୟାକାଣ୍ଡ ସମୟରେ ପରିବାରର ଜଣେ ଶିଶୁ ଶୋଇଥିବା ବେଳେ ଅନ୍ୟ ଜଣେ ପଡୋଶୀଙ୍କ ଘରେ ଥିବାରୁ ଦୁହିଁଙ୍କର ଜୀବନ ବଞ୍ଚିଯାଇଛି । ହେଲେ ପୁରା ପରିବାରର ମୃତ୍ୟୁ ପରେ ଦୁଇ ଶିଶୁ ଏବେ ଅସହାୟ ହୋଇଯାଇଛନ୍ତି । ପୋଲିସର ସୂଚନା ଅନୁସାରେ, ବିନୟ ଭଟ୍ଟ ନାମକ ମୃତକଙ୍କ ସମ୍ପର୍କୀୟ ଏହି ବର୍ବବକାଣ୍ଡ ଭିଆଇଛି ।
ସୂଚନା ମୁତାବକ, ୭ ମାସ ତଳେ ଶମ୍ଭୁ ଭଟ୍ଟଙ୍କ ବଡ ପୁଅ ଶ୍ରୀଧରଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ମୃତ ଶ୍ରୀଧରଙ୍କ ପତ୍ନୀ ବିଦ୍ୟା ଭଟ୍ଟ ସମ୍ପତ୍ତି ପାଇଁ ଶାଶୁଘର ସହ ଝଗଡା କରିଥିଲେ । ପରେ ବୁଝାମଣା ହୋଇ ଶମ୍ଭୁ ବୋହୂ ବିଦ୍ୟାଙ୍କ ନାମରେ କିଛି ସମ୍ପତ୍ତି କରିଥିଲେ । ବିନୟ ନାମକ ବ୍ୟକ୍ତି ବିଦ୍ୟାଙ୍କୁ ମିଳିଥିବା ଏହି ସମ୍ପତ୍ତିର ଦେଖାଶୁଣା କରୁଥିଲେ ଏବଂ ସେ ହିଁ ଶମ୍ଭୁଙ୍କ ପରିବାରକୁ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ବିନୟକୁ ହେପାଜତକୁ ନେଇ ପଚରାଉଚରା କରୁଛି ।
ଏହାମଧ୍ୟ ପଢନ୍ତୁ: ଜେଲରୁ ମୁକୁଳିଲା ଲଭପ୍ରୀତ ତୁଫାନ, ଖଲିସ୍ତାନୀଙ୍କ ସମର୍ଥକଙ୍କ ସହ ବୈଠକ ପରେ ନିଆଗଲା ନିଷ୍ପତ୍ତି
ଜମିଜମାକୁ ନେଇ ଶମ୍ଭୁଙ୍କ ପରିବାର ସହ ବିନୟର ବିବାଦ ଲାଗି ରହିଥିଲା । ତେଣୁ ସେ ପୁରା ପରିବାରକୁ ନିପାତ କରିବାକୁ ଯୋଜନା କରିଥିଲା । ଗତକାଲି ଏକ ଧାରୁଆ ଅସ୍ତ୍ରରେ ବିନୟ ଶମ୍ଭୁଙ୍କ ସମେତ ତାଙ୍କର ପତ୍ନୀ ଓ ପୁଅବୋହୂଙ୍କ ହାଣି ହତ୍ୟା କରିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତଦେହଗୁଡିକ ଏଣେତେଣେ ପଡିଥିବାର ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ