ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରମୂଳା ଜିଲ୍ଲାରେ ବାଦଲ ଫାଟି ଗୋଟିଏ ପରିବାରର ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ବାରମୂଳା ଜିଲ୍ଲାର ମିଡୋରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ରଫିଆବାଦ ଅଞ୍ଚଳରେ ମୃତକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।
ରଜୌରି ଜିଲ୍ଲାର ହାଜି ବଶୀର ଅହମଦଙ୍କ ଏହି ପରିବାର ବୋଲି ଜଣାପଡ଼ିଛି । କୌଣସି କାର୍ଯ୍ୟକୁ ନେଇ ଏହି ପରିବାରର ୬ ଜଣ ସଦସ୍ୟ ବାରମୂଳା ଆସିଥିବା ବେଳେ ଅଚାନକ ବାଦଲ ଫାଟିଥିଲା । ଫଳରେ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ରହିଛି । ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି ପୋଲିସ ।
ନିଖୋଜ ଥିବା ପରିବାର ସଦସ୍ୟ କାଦୁଅରେ ଦବି ରହିଥିବା ଅନୁମାନ କରୁଛି ଉଦ୍ଧାରକାରୀ ଦଳ । ବର୍ତ୍ତମାନ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନରେ ରହିଛି ଉଦ୍ଧାରକାରୀ ଦଳ । ଅଚାନକ ବାଦଲ ଫାଟିବା ଯୋଗୁଁ ମିଡୋରୁ ରଫିଆବାଦ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସରକାରୀ ଅଟ୍ଟାଳିକାଠାରୁ ଆରମ୍ଭ କରି ସ୍ଥାନୀୟ ସ୍କୁଲରେ ବନ୍ୟା ପାଣି ଭର୍ତ୍ତି ହୋଇଛି । ଅପ୍ରତ୍ୟାଶିତ ବନ୍ୟାରେ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛି ଉଦ୍ଧାରକାରୀ ଦଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ