ମୁମ୍ବାଇ: ଚାଞ୍ଚଲ୍ୟ ! ବନ୍ଦ ଘରେ ଭିତରେ ପଡିଛି ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତଦେହ । ଗୋଟିଏ ଘର ଭିତରୁ ବାପାମାଆ ସହ ଦୁଇ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ମହାରାଷ୍ଟ୍ର ପୁଣେରୁ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି ସ୍ପଷ୍ଟ ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହି ପରିବାରର ସମସ୍ତ ସଦସ୍ୟଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ଜଣେ ଦମ୍ପତିଙ୍କ ସମେତ ତାଙ୍କର ୧୭ ବର୍ଷର ଓ ୨୪ ବର୍ଷୀୟ ପୁଅ ରହିଛନ୍ତି । ଏହି ପରିବାର ପୁଣେ ସହରରେ ଏକ ଭଡା ଘରେ ରହୁଥିବା ବେଳେ ସେହି ଘର ଭିତରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ କେଉଁ ପରିସ୍ଥିତିରେ ସମସ୍ତଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡିନାହିଁ । ଏହି ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିନଥିବା ବେଳେ ସେମାନଙ୍କୁ ହତ୍ୟା କରାଯାଇଛି ନା ଏହା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏକଥା ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଇଛି । ଗୋଟିଏ ପରିବାରର ୪ ଜଣଙ୍କ ଏପରି ମୃତଦେହ ମିଳିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।