ରାଞ୍ଚି: ଝାଡ଼ଖଣ୍ଡର କୋଡର୍ମା ଥର୍ମାଲ ପାୱାର ପ୍ଲାଣ୍ଟରେ ଗୁରୁବାର ସନ୍ଧ୍ୟା ସମୟରେ ଘଟିଛି ଅଘଟଣ । ପ୍ଲାଣ୍ଟରେ ଥିବା ଚିମିନିରେ ଲାଗିଥିବା ଲିଫ୍ଟର ତାର ଛିଣ୍ଡିଯିବାରୁ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଚିମିନିଟି ମାଟିଠାରୁ ୮୦ ଫୁଟ ଉଚ୍ଚରେ ରହିଥିବା ବେଳେ ଶ୍ରମିକମାନେ ଖସି ପଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା । ତେବେ ବର୍ତ୍ତମାନ ଚିମିନି ଉପରେ ଫସି ରହିଥିବା ୨୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଉଥିବା ସୂଚନା ମିଳିଛି ।
କ'ଣ ପୁରା ଘଟଣା ?
କୋଡର୍ମା ଥର୍ମାଲ ପାୱାର ପ୍ଲାଣ୍ଟରେ ଚିମିନି ନିର୍ମାଣ କରାଯାଉଛି । ଏହି ଚିମିନିଟି ଚଟାଣଠାରୁ ପ୍ରାୟ ୮ ଫୁଟ ଉଚ୍ଚରେ ରହିଛି । ନିର୍ମାଣ କାର୍ଯ୍ୟରେ ଲାଗିଥିବା ଲିଫ୍ଟର ତାର ଛିଣ୍ଡିଯିବାରୁ ସେଥିରେ ଥିବା ୪ ଜଣ ଶ୍ରମିକ ତଳେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ମୃତକ ୪ ଜଣ ଚିମିଣି କାର୍ଯ୍ୟର ନିରୀକ୍ଷଣ କରିବା ପାଇଁ ଉପରକୁ ଯାଇଥିଲେ । ଲିଫ୍ଟର ତାର ଛିଣ୍ଡିଯିବାରୁ ଅସ୍ଥାୟୀ ଭାବରେ ଚିମିନିର ବାହର ତାର ସହାୟତାରେ ଅନ୍ୟ ଶ୍ରମିକଙ୍କୁ ତଳକୁ ଅଣାଯାଇଛି । ସେଠାରେ ମୋଟ ୨୦ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଦୁର୍ଘଟଣାରେ କାହାର ଘଟିଛି ମୃତ୍ୟୁ ?
ଏହି ଦୁର୍ଘଟଣାରେ ଚିମିନି ନିର୍ମାଣ କରୁଥିବା ବିଜୟା କନଷ୍ଟ୍ରକ୍ସନ କମ୍ପାନୀର ସଞ୍ଚାଳକ କୃଷ୍ଣ ପ୍ରସାଦ କୋଡାଲିଙ୍କ ମୃତ୍ୟୁ ଘଟିଛି । କୃଷ୍ଣଙ୍କ ଘର ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି । ଅନ୍ୟ ମୃତକଙ୍କ ମଧ୍ୟରେ ରହିଛନ୍ତି କର୍ଣ୍ଣାଟକର ଇଞ୍ଜିନିୟର କାର୍ତ୍ତିକ ସାଗର, ବିହାର ଗୟାର ସୁରକ୍ଷା ଅଧିକାରୀ ନବୀନ କୁମାର ଓ କମ୍ପାନୀର MD ଡକ୍ଟର ବିନୋଦ କୁମାର ଚୌଧୁରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ