ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ମଧ୍ୟରେ ରହିଛି ରାଜଧାନୀ ଦିଲ୍ଲୀର ଜାମିଆ ମିଲ୍ଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ । ଜାତିର ପିତା ଗାନ୍ଧିଜୀଙ୍କ ଗୋଟିଏ ଡାକରାରେ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲା ଏହି ବିଶ୍ବବିଦ୍ୟାଳୟ । ସ୍ବାଧୀନତା ସଂଗ୍ରାମରେ ଏହି ଶିକ୍ଷାନୁଷ୍ଠାନରୁ ସବୁଠାରୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ୨ ଜଣ ପ୍ରତିଷ୍ଠାତା ସଦସ୍ୟ ଡକ୍ଟର ମୁଖ୍ତାର ଅହମ୍ମଦ ଅନସାରୀ ଓ ହାକିମ ଅଜମଲ ଖାନ । ଯିଏକି ଦେଶର ସର୍ବଶ୍ରେଷ୍ଠ ଡାକ୍ତର ହୋଇଥିଲେ ମଧ୍ୟ ନିଜ ବୃତ୍ତିକୁ ଦେଶ ସେବାରେ ଲଗାଇଥିଲେ । ଏମାନେ ସଂଗ୍ରାମରେ ଆହତ ହେଉଥିବା ବିପ୍ଲବୀଙ୍କୁ ନିଶୁଳ୍କରେ ଚିକିତ୍ସା ଯୋଗାଉଥିଲେ । ଆଜି ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବାବେଳେ ଏହି ୨ ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଦେଶ ।
ଡକ୍ଟର ଅନସାରୀ ଓ ହାକିମ ଖାନ ଦେଶର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ 'ଜାମିଆ ମିଲ୍ଲିଆ ଇସଲାମିଆ'ରେ ସଂସ୍ଥାପକ ସଦସ୍ୟ ଥିଲେ । ୧୯୨୮ରୁ ୧୯୩୬ ପର୍ଯ୍ୟନ୍ତ ଡକ୍ଟର ଅନସାରୀ ବିଶ୍ବବିଦ୍ୟାଳୟ କୁଳପତି ମଧ୍ୟ ରହିଥିଲେ । ଏହି ୨ ଉଚ୍ଚଶିକ୍ଷିତ ବ୍ୟକ୍ତି ସ୍ବାଧୀନତା ସଂଗ୍ରାମରେ ବଡ଼ ଭୂମିକା ଗ୍ରହଣ କରିଥିଲେ । ଐତିହାସକାର ସୋହେଲ ହାସମିଙ୍କ କହିବା ଅନୁସାରେ ଡକ୍ଟର ଅନସାରୀ ସ୍ବାଧୀନତା ସଂଗ୍ରାମରେ ସ୍ବାସ୍ଥ୍ୟ ସେବା ଜରିଆରେ ଦେଶ ମାତୃକା ପାଇଁ ଦେଇଥିଲେ ବଡ଼ ବଳିଦାନ । ସେତେବେଳେ ଭାରତରେ ୩ ସର୍ବଶ୍ରେଷ୍ଠ ସର୍ଜନଙ୍କ ନାଁ ଶୁଣିବାକୁ ମିଳୁଥିଲା । ସେମାନଙ୍କ ମଧ୍ୟରେ ଥିଲେ କୋଲକାତାର ଡକ୍ଟର ବିଧାନ ଚନ୍ଦ୍ର ରାୟ, ବମ୍ବେର ମିରାଜକର ଓ ଦିଲ୍ଲୀର ଡକ୍ଟର ଅନସାରୀ । ଦିଲ୍ଲୀର ଦରିଆଗଞ୍ଜରେ ଡକ୍ଟର ଅନସାରୀଙ୍କ ଏକ ବିରାଟ ବଡ଼ ବାସସ୍ଥାନ ରହିଛି । ଏଠାରେ କଂଗ୍ରେସ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବଡ଼ ବଡ଼ ପ୍ରତିନିଧିମାନେ ମଧ୍ୟ ଆସୁଥିଲେ ।
ସେହି ଦିନକୁ ମନେ ପକାଇ ଐତିହାସକାର ସୋହେଲ ହାସମି କହିଛନ୍ତି ଯେ ଅନେକ ସ୍ବାଧୀନତା ସଂଗ୍ରାମୀ ଡକ୍ଟର ଅନସାରୀଙ୍କ ନିକଟକୁ ଚିକିତ୍ସା ପାଇଁ ଆସୁଥିଲେ, ଯାହାଙ୍କୁ ଡାକ୍ତର ଅନସାରୀ ତାଙ୍କ ଘରେ ଆଶ୍ରୟ ଦେଇ ଚିକିତ୍ସା କରୁଥିଲେ । ଐତିହାସକାରଙ୍କ କହିବା ଅନୁସାରେ ପ୍ରତ୍ୟେକ ବିଚାରଧାରାର ସଂଗ୍ରାମୀଙ୍କୁ ଡକ୍ଟର ଅନସାରୀ ଆଶ୍ରୟ ଦେଉଥିଲେ । ତେବେ ସେମାନେ କଂଗ୍ରେସ, ସମାଜବାଦୀ, କମ୍ୟୁନିଷ୍ଟ କିମ୍ବା ଭୂତଳ ଆନ୍ଦୋଳନର ବିପ୍ଳବୀ ହୁଅନ୍ତୁ, ସମସ୍ତେ ଡକ୍ଟର ଅନସାରୀଙ୍କ ଘରକୁ ଆସୁଥିଲେ ଏବଂ ଆବଶ୍ୟକ ସମୟରେ ସେଠାରେ ଆଶ୍ରୟ ନେଉଥିଲେ । ଯେତେବେଳେ ଗାନ୍ଧିଜୀ ଦିଲ୍ଲୀ ଆସିଲେ ସେତେବେଳେ ସ୍ବାଧୀନତା ସଂଗ୍ରାମୀଙ୍କୁ ପଚାରିଥିଲେ ଆପଣଙ୍କ ରାଜା କିଏ ? ଏହାର ଉତ୍ତରରେ ଡକ୍ଟର ଅନସାରୀଙ୍କ ନାମ ଶୁଣିବାକୁ ମିଳିଥିଲା ।
1868 ମସିହାରେ ଅନ୍ୟତମ ବୀର ହାକିମ ଅଜମଲ ଖାନ ଜନ୍ମ ନେଇଥିଲେ । ଖିଲାଫତ ଆନ୍ଦୋଳନ ଏବଂ ଅସହଯୋଗ ଆନ୍ଦୋଳନରେ ଭାଗ ନେଇଥିବା ସଂଗ୍ରାମୀଙ୍କୁ ନିଶୁଳ୍କରେ ଚିକିତ୍ସା ଯୋଗାଇଥିଲେ ହାକିମ । ଅସହଯୋଗ ଆନ୍ଦୋଳନରେ ବ୍ରିଟିଶ ଶିକ୍ଷା ପଦ୍ଧତିର ବିଦ୍ରୋହରେ ଶୌକତ ଅଲ୍ଲୀ, ମହମ୍ମଦ ଅଲ୍ଲୀ, ମୌଲାନା ଅବଦୁଲ କାଲାମ ଆଜାଦ ଓ ଗାନ୍ଧିଜୀଙ୍କ ସମେତ ଅନେକ ଲୋକ ସାମିଲ ଥିଲେ । 1920ରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ 200 ଛାତ୍ର ଡକ୍ଟର ଜାକିର ହୁସେନ୍ଙ୍କ ନେତୃତ୍ବରେ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରୁ ବାହାରିଥିଲେ, ଯାହା ପରେ ଜାମିଆ ମିଲ୍ଲିଆ ଇସଲାମିଆର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।
ପ୍ରଥମେ ଭଡ଼ା ଘରେ ପାଠପଢା ଆରମ୍ଭ ହେଲା । କିଛି ବର୍ଷ ପରେ ଏହି ବିଶ୍ବବିଦ୍ୟାଳୟକୁ ଦିଲ୍ଲୀର ତିବ୍ବିଆ କଲେଜକୁ ସ୍ଥାନାନ୍ତର କରାଗଲା । ହାକିମ ଖାନଙ୍କୁ ଇଂରେଜମାନେ ଭାରତର ବିଦ୍ବାନ ଉପାଧି ଦେଇଥିଲେ । କିନ୍ତୁ ଏହି ଉପାଧିକୁ ଗ୍ରହଣ କରିନଥିଲେ ହାକିମ । ଏଥିଲାଗି ଦେଶବାସୀ ତାଙ୍କୁ 'ମସିହା-ଉଲ୍ଲ-ମୁଲ୍କ' ନାଁ ଦେଇଥିଲେ । ହାକିମ ଖାନଙ୍କ ପିତା ବଲିମାରାନରେ ଅବସ୍ଥିତ ସରିଫ ମଞ୍ଜିଲରେ ଏକ ଡାକ୍ତରଖାନା ନିର୍ମାଣ କରିଥିଲେ । କିନ୍ତୁ ଧୀରେ ଧୀରେ ସରିଫ ମଞ୍ଜିଲ କଂଗ୍ରେସ କାର୍ଯ୍ୟାଳୟରେ ପରିଣତ ହେଲା । ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟିର ସମସ୍ତ ବୈଠକ ଏଠାରେ ଅନୁଷ୍ଠିତ ହେଉଥିଲା । ଅନେକ ଥର ଗାନ୍ଧିଜୀ ମଧ୍ୟ ସରିଫ ମଞ୍ଜିଲରେ ରହୁଥିଲେ ।
ଦେଶର ସ୍ବାଧୀନତା ତଥା ନିଜ ମାଟି ପାଇଁ ଚାଲିଥିବା ସ୍ବାଧୀନତା ସଂଗ୍ରାମରେ ନିଜର ବହୁ ମୂଲ୍ୟ ସମୟ ଦେବା ପରେ ଶେଷରେ 1934 ମସିହାରେ ଡକ୍ଟର ଅନସାରୀ ଏବଂ 1927ରେ ହକିମ ଅଜମଲ ଖାନ ସେହି ମାଟିରେ ବିଲୀନ ହୋଇଥିଲେ । ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ତାଙ୍କର ସେବା ପରବର୍ତ୍ତୀ ସମୟରେ ପାଲଟିଥିଲା ସଭିଁଙ୍କ ପାଇଁ ଏକ ନିଆରା ଉଦାହରଣ । ଭାରତ ମାଟିରେ ଏଭଳି ବ୍ୟକ୍ତିତ୍ବଙ୍କ ଜନ୍ମକୁ ନେଇ ଆଜି ସାରା ଦେଶ ଗର୍ବ ଅନୁଭବ କରୁଥିବାବେଳେ ଇଟିଭି ଭାରତ ଜଣାଉଛି ଗଭୀର ଶ୍ରଦ୍ଧାଞ୍ଜଳି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ