ଡେରାଡୁନ: ଉତ୍ତରାଖଣ୍ଡ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ଆତ୍ମହତ୍ୟା କରିଛନ୍ତି । ନିଜ ନାତୁଣୀ ବୋହୂଙ୍କୁ ଅସଦାଚରଣ କରିବା ନେଇ ଥାନାରେ ଅଭିଯୋଗ କରିବାର ତିନିଦିନ ପରେ ଗତକାଲି (ଶୁକ୍ରବାର) ଉତ୍ତରାଖଣ୍ଡର ହଲଦୱାନୀ ସ୍ଥିତ ବାସଭବନରେ ରାଜେନ୍ଦ୍ର ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ନାତୁଣୀ ବୋହୂଙ୍କ ଅଭିଯୋଗ କ୍ରମେ ବହୁଗୁଣାଙ୍କ ବିରୋଧରେ ପୋକ୍ସୋ ଅଧିନିୟମ ଆଇନ ଅନୁସାରେ ମାମଲା ରୁଜୁ ହୋଇଥିଲା ।
ସୂଚନା ଅନୁଯାୟୀ, ସେ ନିଜ ମୃତ୍ୟୁ ଯୋଜନା ନେଇ ଜରୁରୀକାଳିନ ନମ୍ବର ୧୧୨କୁ ଫୋନ କରିଥିଲେ । ଏହାପରେ ସେ ଏକ ପାଣି ଟାଙ୍କି ଉପରେ ଚଢ଼ିଯାଇ ନିଜକୁ ଗୁଳି କରିବାର ଧମକ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ତାଙ୍କ ପଡ଼ୋଶୀ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ । ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଦିଆଯାଇଛି, ଯାହା ତାଙ୍କୁ ବିବ୍ରତ କରୁଥିବା ସେ କହିଥିଲେ । ଏହା ପରେ ସେ ନିଜକୁ ବନ୍ଧୁକରେ ଗୁଳି କରି କରିଥିଲେ । ପୋଲିସ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପଟେ ଆତ୍ମହତ୍ୟା ପାଇଁ ବୋହୂ ପ୍ରବର୍ତ୍ତାଇଥିବା ଅଭିଯୋଗ କରି ତାଙ୍କ ପୁଅ ମାମଲା ରୁଜୁ କରିଛନ୍ତି ବୋଲି ନୈନିତାଲ ଏସପି ପଙ୍କଜ ଭଟ୍ଟ ସୂଚନା ଦେଇଛନ୍ତି । ସୂଚନା ଥାଉକି, ୨୦୦୪ରେ ଏନ୍.ଡି ତିୱାରିଙ୍କ ମନ୍ତ୍ରୀମଣ୍ଡଳରେ ବହୁଗୁଣା ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।