କୋଚି: ହସ୍ପିଟାଲରେ ଭର୍ତ୍ତି କେରଳର ପୂର୍ବତନ ମନ୍ତ୍ରୀ ଗିରଫ । ଆଜି(ବୁଧବାର) ରାଜ୍ୟର ପୂର୍ବତନ ପିଡବ୍ଲ୍ୟୁଡି ମନ୍ତ୍ରୀ ଓ ତଥା ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML)ର ବରିଷ୍ଠ ବିଧାୟକ ଭିକେ ଇବ୍ରାହିମ କୁଞ୍ଜୁ ଗିରଫ କରିଛି ଭିଜିଲାନ୍ସ ଟିମ । ପାଲାରିଭତ୍ତମ ଫ୍ଲାଏ ଓଭର ଭୁଶୁଡିବା ଘଟଣାରେ ମନ୍ତ୍ରୀକୁ ଗିରଫ କରାଯାଇଛି ।
ଗିରଫ କରିବାର ଗୋଟିଏ ଦିନ ପୂର୍ବରୁ ମନ୍ତ୍ରୀଙ୍କ ଘରେ ଭିଜିଲାନ୍ସି ଟିମ ଚଢାଉ କରିଥିଲା । ଏହି ସମୟରେ ମନ୍ତ୍ରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ମନ୍ତ୍ରୀଙ୍କ ପତ୍ନୀ ଭିଜିଲାନ୍ସକୁ ସୂଚନା ଦେଇଥିଲେ ମଧ୍ୟ ଏଥିରେ ସନ୍ଦେହ ପ୍ରକାଶ କରି ଘରେ ଭିତରେ ପଶି ସର୍ଚ୍ଚ କରିଥିଲା ଟିମ । ଏହା ପରେ ଭିଜିଲାନ୍ସ ଟିମ ହସ୍ପିଟାଲରେ ପଶି ଚିକିତ୍ସାଧିନ ଅବସ୍ଥାରେ ଥିବା ମନ୍ତ୍ରୀଙ୍କୁ ଗିରଫ କରିଛି ।
ପାଲାରିଭତ୍ତମ ଫ୍ଲାଏ ଓଭର ନିର୍ମାଣ ଦୁର୍ନୀତି ହୋଇଥିବା ନେଇ କୁଞ୍ଜୁଙ୍କୁ ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ବ୍ୟୁରୋ(VACB) ପୂର୍ବରୁ କିଛି ଥର ପଚରାଉଚରା କରିଥିଲା । ଫ୍ଲାଏ ଓଭର ଭୁଶୁଡିବା ଘଟଣାରେ କୁଞ୍ଜୁ ହେଉଛନ୍ତି 5ମ ଅଭିଯୋଗ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଶାସନ କାଳରେ 42 କୋଟି ଟଙ୍କା ବ୍ୟୟରେ ନିର୍ମିତ 750 ମିଟରର ଫ୍ଲାଏ ଓଭର 100 ବର୍ଷରୁ ଅଧିକ ସମୟ ଚାଲିବାର ଥିଲା । ଏହାକୁ ସର୍ବସାଧାରଣ ପାଇଁ ଅକ୍ଟୋବର 2016ରେ ଖୋଲାଯାଇଥିଲା । ହେଲେ ଏହାର ତିନି ବର୍ଷ ମଧ୍ୟରେ ଫ୍ଲାଏ ଓଭର ନଷ୍ଟ ହେବାରୁ ଜୀବନ ପ୍ରତି ବିପଦ ଦର୍ଶାଇ ବନ୍ଦ କରାଗଲା ।
ରାଷ୍ଟ୍ରାୟତ୍ତ ସଡକ ଏବଂ ବ୍ରିଜ ବିକାଶ ନିଗମ ପାଇଁ ଦିଲ୍ଲୀ ସ୍ଥିତ ଆରଡିଏସ ପ୍ରୋଜେକ୍ଟ ଦ୍ବାରା ଏହି ଫ୍ଲାଏ ଓଭର ନିର୍ମାଣ କରାଯାଇଥିଲା । ତ୍ରୁଟିପୂର୍ଣ୍ଣ ଫ୍ଲାଏଓଭର ନିର୍ମାଣ ସମୟରେ କୁଞ୍ଜୁ ମନ୍ତ୍ରୀ ଥିଲେ ।
ସୂଚନାଯୋଗ୍ୟ, ଏହି ଘଟଣାରେ ପୂର୍ବରୁ 4 ଜଣକୁ ଗିରଫ କରାଯାଇଥିଲା । ସମସ୍ତେ ଜାମିନ ପାଇ ମୁକୁଳିଛନ୍ତି ।
@IANS