ନୂଆଦିଲ୍ଲୀ: ପରଲୋକରେ ଜମ୍ମୁକାଶ୍ମୀରର ବିଚ୍ଛିନ୍ନତାବାଦ ନେତା ସୟଦ ଅଲ୍ଲୀ ଶାହ ଗିଲାନୀ । ଗତକାଲି (ବୁଧବାର) ୯୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ୨୦୧୮ରେ ସେ ହୃଦଘାତର ଶିକାର ହେବା ପରେ କ୍ରମଶଃ ଅସୁସ୍ଥ ରହୁଥିଲେ । ଗତ ବର୍ଷ ସେ ରାଜନୀତିରୁ ଅବସର ନେଇଥିଲେ । ତାଙ୍କ ମୃତ୍ୟୁ ନେଇ ପିଡିପି ମୁଖ୍ୟ ମେହେବୁବା ମୁଫତି ଟ୍ବିଟ ଯୋଗେ ସୂଚନା ଦେବା ସହ ଶୋକପ୍ରକାଶ କରିଛନ୍ତି ।
ଗିଲାନିଙ୍କ ମୃତ୍ୟୁକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୋକ ପ୍ରକାଶ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ ପାକିସ୍ତାନ ଗିଲାନିଙ୍କ ମୃତ୍ୟୁକୁ ନେଇ ଶୋକ ଦିବସ ପାଳନ କରିବ ଏବଂ ଆମ ଦେଶର ଜାତୀୟ ପତାକା ଅର୍ଦ୍ଧ ନମିତ ହୋଇ ରହିବ । ତେବେ ସୟଦ ଅଲ୍ଲୀ ଶାହଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ ରହିବ । ଏନେଇ କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର ଏହି ସୂଚନା ଦେଇଛନ୍ତି ।
୯ ସେପ୍ଟେମ୍ବର ୧୯୨୯ରେ ସୋପାରରେ ଜନ୍ମଗ୍ରହଣ କରିଥଲେ ଗିଲାନି । ବହୁ ବର୍ଷ ଧରି ସେ ହୁରିୟାତର ଅଧ୍ୟକ୍ଷ ହୋଇଥିଲେ । ଗିଲାନି ଚଳିତ ବର୍ଷ ଜୁନ୍ ମାସରେ ଅଲ୍ ପାର୍ଟି ହୁରିୟାଟ୍ ସମ୍ମିଳନୀ (APHC)ରୁ ଇସ୍ତଫା ଦେଇଥିଲେ । ନିକଟରେ ୧୪.୪ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ତାଙ୍କୁ ଏକ ନୋଟିସ ପଠାଯାଇଥିଲା । ଏହି ଜରିମାନା ତାଙ୍କୁ FEMA ଅଧୀନରେ ଥିବା ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ, ଇଡି ଦ୍ୱାରା ଲାଗୁ କରାଯାଇଥିଲା ।
@ANI