ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମାତ୍ର ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଉ ୬ ପର୍ଯ୍ୟାୟ ମତଦାନ ବାକି ରହିଛି । ତେବେ ଏହାରି ମଧ୍ୟରେ ଦଳର ବିଜୟ ନିଶ୍ଚିତ ହୋଇସାରିଥିବା ଦମ୍ଭ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରଚାର ପାଇଁ ଉତ୍ତର ପ୍ରଦେଶର କନ୍ନୌଜରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏପରି ଦୃଢୋକ୍ତି ପ୍ରକାଶ କରିବା ସହ ପୁଣି ବଂଶବାଦ ରାଜନୀତି ଉପରେ ବର୍ଷିଛନ୍ତି ।
ମୋଦି କହିଛନ୍ତି, ପ୍ରଥମ ପର୍ଯ୍ୟାୟ ମତଦାନ ନିଶ୍ଚିତ କରିସାରିଛି ଯେ ବିଜେପି ପୁନର୍ବାର ରାଜ୍ୟରେ କ୍ଷମତାକୁ ଆସିବାକୁ ଯାଉଛି । ରାଜ୍ୟରେ ବଂଶବାଦ ରାଜନୀତି କରୁଥିବା କିଛି ଗୋଷ୍ଠୀ କ୍ଷମତାକୁ ଆସିବା ପାଇଁ ଦିବାସ୍ବପ୍ନ ଦେଖୁଛନ୍ତି । ସେମାନଙ୍କ ପାଇଁ ଗଣତନ୍ତ୍ରର ମନ୍ତ୍ର ହେଉଛି ପରିବାରର ସରକାର, ପରିବାର ଏବଂ ପରିବାର ପାଇଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପୂର୍ବରୁ ମଧ୍ୟ ମୋଦି ଏକାଧିକ ଥର ବଂଶବାଦ ରାଜନୀତି ନେଇ ଉତ୍ତର ପ୍ରଦେଶର ପୂର୍ବ ଶାସକ ଗୋଷ୍ଠୀଙ୍କୁ ତୀକ୍ଷ୍ଣ ସମାଲୋଚନା କରି ସାରିଛନ୍ତି ।
403 ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଫେବୃଆରୀ 10 ତାରିଖରେ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୧ ଜିଲ୍ଲାର ୫୮ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ 60.17 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଅନ୍ୟ ୬ ପର୍ଯ୍ୟାୟ ମତଦାନ ବର୍ତ୍ତମାନ ବାକି ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ପୁଣି ପ୍ରଚାର ଜୋରଦାର କରିଛନ୍ତି ବିଭିନ୍ନ ଦଳ । ସୋମବାର ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ