ମୁମ୍ବାଇ: ମହାରାଷ୍ଟ୍ରର ଥାନେ ନିକଟସ୍ଥ ଭିୱାଣ୍ଡିରେ ଥିବା ଏକ ବୁଣା କାରଖାନାରେ ଶୁକ୍ରବାର ସକାଳ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଲୋକ କ୍ଷତିଗ୍ରସ୍ତ ହୋଇନଥିବା ବେଳେ କାରଖାନାଟି ସଂପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି ।
ଭିୱାଣ୍ଡିର ଖୋକାଠାରେ ଥିବା ବୁଣା କାରଖାନାରେ କର୍ମଚାରୀମାନେ କାର୍ଯ୍ୟରତ ଥିବା ବେଳେ ହଠାତ୍ ସକାଳ 6ଟା 45 ମିନିଟ୍ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ପରେ କାର୍ଯ୍ୟରତ କର୍ମଚାରୀମାନେ କାରଖାନା ମଧ୍ୟରୁ ବାହରକୁ ଚାଲି ଆସିଥିଲେ । ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ 3ଟି ନିଆଁ ଲିଭା ଗାଡି ସହ ଘଟଣା ସ୍ଥଳରେ ପହଞ୍ଚିଥିଲା ।
ତେବେ ଅଗ୍ନିଶମ ବାହିନୀ ଦୀର୍ଘ 4ଘଣ୍ଟା ଉଦ୍ୟମ କରିବା ପରେ ଦିନ 11ଟାରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା । ଏବେ ମଧ୍ୟ ନିଆଁ ଲାଗିଥିବା ସ୍ଥାନକୁ ଥଣ୍ଡା କରିବା ପାଇଁ ଅଗ୍ନିଶମ ବାହିନୀ କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି । ସେପଟେ ଅଗ୍ନିକାଣ୍ଡ ଘଟିବାର କାରଣ ସଂପର୍କରେ ଜଣାପଡିନଥିବା ବେଳେ କାରଖାନାଟି ସଂପୂର୍ଣ୍ଣ ଜଳି ଯାଇଛି ।