ବକ୍ସର: ଆମ୍ବୁଲାନ୍ସ ବିବାଦରେ ଇଟିଭି ଭାରତ ସମ୍ବାଦଦାତାଙ୍କ ବିରୋଧରେ ମାମଲା । ଆମ୍ବୁଲାନ୍ସ ବିବାଦକୁ ନେଇ ବିହାର ବକ୍ସରରେ ଇଟିଭି ଭାରତ ସମ୍ବାଦଦାତାଙ୍କ ବିରୋଧରେ 10 ପୃଷ୍ଠାର ମାମଲା ରୁଜୁ କରାଯାଇଛି । ଇଟିଭି ଭାରତ ସମ୍ବାଦଦାତା ଉମେଶ ପାଣ୍ଡେଙ୍କ ବିରୋଧରେ ବକ୍ସର ସଦର ଥାନାରେ ଅଭିଯୋଗ କରିଛନ୍ତି ବିଜେପି ନେତା ପର୍ଶୁରାମ ଚତୁର୍ବେଦୀ।
ସମ୍ବାଦଦାତାଙ୍କ ବିରୋଧରେ 10 ପୃଷ୍ଠାର ମାମଲା ରୁଜୁ କରିଛନ୍ତି ବିଜେପି ନେତା ପର୍ଶୁରାମ ଚତୁର୍ବେଦୀ । ତାଙ୍କ ବିରୋଧରେ ଧାରା 500, 506, 290, 420, 34 ଅନୁସାରେ ମାମଲା ରୁଜୁ କରାଯାଇଛି । ଏହା ସହ ବକ୍ସରର ବିଜେପି ନେତା ପର୍ଶୁରାମ ଚତୁର୍ବେଦୀଙ୍କୁ ଧମକାଇବା ଓ କେନ୍ଦ୍ରମନ୍ତ୍ରୀ ଅଶ୍ବୀନ ଚୌବେଙ୍କ ଛବି ପ୍ରତି ଅଙ୍କୁଶ ଲଗାଇବା ପାଇଁ ସାମ୍ବାଦିକ ଚେଷ୍ଟା କରିଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ ବିହାର ବକ୍ସରରେ 14 ମେ 2021ରେ 5 ଟି ପୁରୁଣା ଆମ୍ବୁଲାନ୍ସରେ ନୂଆ ଷ୍ଟିକର ଲଗାଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ଚୌବେ ଭର୍ଚ୍ଚୁଆଲରେ ଉଦଘାଟନ କରିଥିବା ନେଇ ଇଟିଭି ଭାରତରେ ଖବର ପ୍ରକାଶିତ ହୋଇଥିଲା । ଏହାପରେ 15 ମେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିଲା । ପୁରୁଣା ଆମ୍ବୁଲାନ୍ସକୁ ନୂଆ ଷ୍ଟିକର ଲଗାଇ 4 ଥର ଉଦଘାଟନ କରିଥିବା ଖବର ପ୍ରକାଶ ହୋଇଥିଲା । ଏହି ଘଟଣା ପରେ ଇଟିଭି ଭାରତ ସମ୍ବାଦଦାତାଙ୍କ ବିରୋଧରେ ବିଜେପି ନେତା ମାମଲା ରୁଜୁ କରିଛନ୍ତି ।
ସେପଟେ ଏହି ମାମଲାକୁ ନେଇ ଆରଜେଡି ନେତା ତଥା ବିରୋଧୀଦଳ ନେତା ତେଜସ୍ବୀ ଯାଦବ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ଚୌବେଙ୍କୁ ଘେରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରି ରାଜ୍ୟର ସ୍ବାସ୍ଥ୍ୟାବସ୍ଥାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଆମ୍ବୁଲାନ୍ସ କେବଳ ଉଦଘାଟନ କରିବା ପାଇଁ ଅଣାଯାଉଛି ଏହା ପରେ ସେମାନଙ୍କ ମାଲିକ ନେଇଯାଉଛନ୍ତି ବୋଲି ତେଜସ୍ବୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ