ଲକ୍ଷ୍ନୌ: ବିଚ୍ ରାସ୍ତାରେ ଲକ୍ଷ୍ନୌ ଝିଅର ଉନ୍ମତ କାଣ୍ଡ । କ୍ୟାବ୍ ଡ୍ରାଇଭରର କଲର୍ ଧରି ମଝି ରାସ୍ତାରେ ମାରିଲେ ଚାପୁଡା ପରେ ଚାପୁଡା। କାହାରି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ ଯୁବତୀ । ମୁଣ୍ଡ ଉପରେ ଚଢିଥିଲା ରାଗ । ଆଉ ଭୁଲିଗଲେ ହିତାହିତଜ୍ଞାନ ।
ସୋସିଆଲ ମିଡିଆରେ ଜଣେ ଯୁବକକୁ ମଝି ରାସ୍ତାରେ ଜଣେ ଯୁବତୀ ମାଡ ମାରୁଥିବାର ଦୃଶ୍ୟ ଭାଇରାଲ ହେଉଛି । ଭିଡିଓ ସାମ୍ନାକୁ ଆସିବା ପରେ ଆକ୍ସନକୁ ଆସିଛି ପୋଲିସ । କ୍ୟାବ୍ ଡ୍ରାଇଭରକୁ ମାଡ ମାରିଥିବା ଅଭିଯୁକ୍ତ ଯୁବତୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଦାଏର ହୋଇଛି ଏଫଆଇଆର ।
ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର କୃଷ୍ଣାନଗର ଅଞ୍ଚଳରେ ଘଟିଛି ଏହି ଘଟଣା । ଭାଇରାଲ ଭିଡିଓରେ ଜଣେ ଯୁବତୀ ରାସ୍ତାରେ ଜଣେ ଯୁବକଙ୍କୁ ମାଡ ମାରୁଥିବା ନଜର ଆସୁଛନ୍ତି । ମାଡ ଖାଉଥିବା ଯୁବକ ଜଣକ କ୍ୟାବ୍ ଡ୍ରାଇଭର ବୋଲି ଜଣାପଡିଛି ।
ଭିଡିଓରେ ସେହି ଯୁବତୀ ଯୁବକଙ୍କୁ ଗୋଟିଏ ପରେ ଗୋଟିଏ ଚାପୁଡା ମାରିଚାଲିଛନ୍ତି । ସବୁଠୁ ବଡ କଥା ହେଲା ପାଖରେ ଥିବା ଟ୍ରାଫିକ ପୋଲିସ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଆଖପାଖର ଲୋକେ ମଧ୍ୟ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ କାହାରି କଥା ନ ଶୁଣି ମାଡ ମାରିଚାଲୁଛନ୍ତି ।
ଘଟଣା ସାମ୍ନାକୁ ଆସିବା ପରେ ଯୁବତୀ ଓ ଯୁବକଙ୍କୁ ଥାନାକୁ ନେଇଥିଲା ପୋଲିସ । ଝିଅକୁ ଚେତବନୀ ଦେଇ ଛାଡି ଦିଆଯାଇଥିଲା । ହେଲେ ଏବେ ନୂଆ ମୋଡ ନେଇଛି ଏହି ଘଟଣା । ଅଭିଯୁକ୍ତ ଯୁବତୀ ବିରୋଧରେ ମାମଲା ଦାଏର କରିଛି ପୋଲିସ । ଯୁବତୀ ବିରୋଧରେ ଆଇପିସି ଧାରା ୩୯୪ ଓ ୪୨୭ ଆଧାରରେ ଏଫଆଇଆର ଦାଏର ହୋଇଛି ।