ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ କୋର୍ଟରେ ହାଜର ହେଲେ ଚର୍ଚ୍ଚିତ ସିନେ ନିର୍ମାତା ଓ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । 2018 ମସିହାର ଏହି ମାମଲାରେ ସେ ଆଜି(ସୋମବାର) ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି । ପୂର୍ବରୁ ତାଙ୍କୁ ମାର୍ଚ୍ଚ 16 ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ସେ ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ହାଜର ହୋଇନଥିଲେ । ପରବର୍ତ୍ତୀ ସମୟରେ ସେ ଅନ୍ୟ ଏକ ତାରିଖ ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ । ପରେ କୋର୍ଟ ତାଙ୍କୁ ପୁନର୍ବାର ଏପ୍ରିଲ 10 ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ସେ କ୍ଷମା ମଧ୍ୟ ପ୍ରାର୍ଥନା କରିସାରିଥିଲେ ସୁଦ୍ଧା ତାଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
କ‘ଣ ଏହି ମାମଲା: 2018 ମସିହାରେ ବିବେକ ଅଗ୍ନିହୋତ୍ରୀ ଜଷ୍ଟିସ୍ ଏସ୍ ମୁରଲୀଧର (ବର୍ତ୍ତମାନର ଓଡିଶା ହାଇକୋର୍ଟର ମୁଖ୍ଯ ବିଚାରପତି)ଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ । ଭୀମା କୋରେଗାଓଁ ହିଂସା ମାମଲାରେ ସାମାଜିକ କାର୍ଯ୍ୟକର୍ତ୍ତା ଗୌତମ ନବଲାଖାଙ୍କୁ ଜଷ୍ଟିସ୍ ଏସ୍ ମୁରଲୀଧର ଅନୁକମ୍ପା ଦେଖାଇଥିବା ଅଗ୍ନିହୋତ୍ରୀ ଅଭିଯୋଗ କରିଥିଲେ । ମାମଲାର ତତ୍କାଳୀନ ଅଭିଯୁକ୍ତ ଗୌତମ ନବଲାଖାଙ୍କ ନଜରବନ୍ଦୀ ଏବଂ ଟ୍ରାଞ୍ଜିଟ ରିମାଣ୍ଡକୁ କୋର୍ଟ ଖାରଜ କରିଦେବା ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।
ଏ ରାୟ ସମ୍ପର୍କରେ ଜଷ୍ଟିସ୍ ଏସ୍ ମୁରଲିଧରଙ୍କୁ ପକ୍ଷପାତିତା ଅଭିଯୋଗ କରି ଅଗ୍ନିହୋତ୍ରୀ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି ସମାଲୋଚନା ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ହେଲେ ତାଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ମିଳିଥିଲା । ଏଠରେ ଉଲ୍ଲଖ୍ୟଯୋଗ୍ଯ ଯେ, ଏବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ମୁରଲୀଧର 2006ରୁ 2020 ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟରତ ଥିଲେ ।
‘କାଶ୍ମୀର୍ ଫାଇଲ୍ସ’ ପରଠାରୁ ଚର୍ଚ୍ଚାରେ ଅଗ୍ନିହୋତ୍ରୀ: ବିବେକ ଅଗ୍ନିହୋତ୍ରୀ ତାଙ୍କ ନିର୍ମିତ ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’ ପାଇଁ ଉଭୟ ଚର୍ଚ୍ଚା ଓ ବିବାଦ ମଧ୍ୟରେ ରହି ଆସିଛନ୍ତି । ତାଙ୍କ ଦ୍ବାରା ପ୍ରଯୋଜିତ ଓ ନିର୍ଦ୍ଦେଶିତ ହୋଇଥିବା ଏହି ବାସ୍ତବଧର୍ମୀ ସିନେମା ଗତବର୍ଷ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର 1990 ମସିହାରେ ଘାଟିରେ କାଶ୍ମୀର୍ ପଣ୍ଡିତଙ୍କୁ ପ୍ରତାଡନା ଓ ବିସ୍ଥାପନର କାହାଣୀ ଉପରେ ଆଧାରିତ । ଚଳଚ୍ଚିତ୍ରରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀଙ୍କ ସମେତ ଅନେକ ବରିଷ୍ଠ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ।
ରାଜନୈତିକ ଉଷ୍ମତା ବଢାଇଥିଲା ‘କାଶ୍ମୀର ଫାଇଲ୍ସ’: ଏହି ସିନେମା ରିଲିଜ ହେବା ପରେ ଭିନ୍ନ ଏକ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା । ବିଜେପି ଶାସିତ କିଛି ରାଜ୍ୟରେ ଏହି ସିନେମାକୁ ଟିକସ ମୁକ୍ତ କରାଯିବା ପରେ ଏହା ରାଜନୈତିକ ଚର୍ଚ୍ଚା ପରିଧିକୁ ଆସିଥିଲା । ବିରୋଧୀ ରାଜନୈତିକ ଦଳମାନେ ଏହାକୁ ଏକ ବାସ୍ତବଧର୍ମୀ ଚଳଚିତ୍ର ନୁହେଁ ବରଂ ପ୍ରୋପାଗାଣ୍ଡା ବୋଲି କହିଥିଲେ । କିଛି ବିରୋଧୀ ଏହାକୁ ସମାଜରେ ଧାର୍ମିକ ଭେଦଭାବ ସହ ଘୃଣା ସୃଷ୍ଟିକାରୀ ସିନେମା ବୋଲି ବିବେଚନା କରିଥିଲେ । ତମାମ ବିବାଦ ପରେ ମଧ୍ୟ ଏହି ଫିଲ୍ମ ଭାରତ ସମେତ ବିଦେଶରେ ମଧ୍ୟ ରିଲିଜ ହୋଇ ବେଶ ଭଲ ବ୍ୟବସାୟିକ ସଫଳତା ପାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ