ନୂଆଦିଲ୍ଲୀ: ଲୋକସଭାରେ ଆରମ୍ଭ ହୋଇଛି ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା । ଉତ୍ତର-ପୂର୍ବରୁ ସାଂସଦ ଥିବା ଗୌରବ ଗୋଗୋଇ ଏହି ପ୍ରସ୍ତାବକୁ ଆଗତ କରିଛନ୍ତି । ପ୍ରସ୍ତାବ ଆଗତ କରି ସେ ସିଧା ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀ କାହିଁକି ଏପର୍ଯ୍ୟନ୍ତ ମଣିପୁର ଗସ୍ତ କରିନାହାନ୍ତି । ସେ ତାଙ୍କ ସରକାରର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ନୀରବତା ଧାରଣ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ କାହିଁକି ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରିନାହାନ୍ତି ।
ଗୋଗୋଇ କହିଛନ୍ତି, ‘‘ସରକାରଙ୍କ ବିରୋଧରେ ଏହି ପ୍ରସ୍ତାବ କେବେ ହେଲେ ସଂଖ୍ୟା ସମ୍ପର୍କରେ ନୁହେଁ ବରଂ ମଣିପୁରବାସୀଙ୍କ ନ୍ୟାୟ ପାଇଁ । ଏହି ଅନାସ୍ଥା ପ୍ରସ୍ତାବ ଇଣ୍ଡିଆ ମେଣ୍ଟ ଦ୍ବାରା ଆଗତ କରାଯାଇଛି । ଆମେ ମଣିପୁର ପାଇଁ ନ୍ୟାୟ ଚାହୁଁଛୁ । ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ଏପର୍ଯ୍ୟନ୍ତ ମୌନବ୍ରତ ଧାରଣ କରିଛନ୍ତି । ଥରଟେ ମଧ୍ୟ ସେ ମଣିପୁର ଗସ୍ତ କଲେ ନାହିଁ । ଏହି ଅନାସ୍ଥା ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବା ପାଇଁ । ମଣିପୁର ହିଂସା ପ୍ରସଙ୍ଗରେ 80ଦିନ ପରେ ପ୍ରଧାନମନ୍ତ୍ରୀ ମୁଁହ ଖୋଲିଲେ । ସେ ବି ମାତ୍ର 30 ସେକେଣ୍ଡ ପାଇଁ । ବ୍ୟାପକ ହିଂସା ସତ୍ତ୍ବେ ମଧ୍ଯ ସେ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ବରଖାସ୍ତ କାହିଁକି କଲେ ନାହିଁ ।’’
ସେହିପରି ସେ କହିଥିଲେ,‘‘ବିଜେପି ରାଜନୀତି ପାଇଁ ମଣିପୁରର ଏବେ ଦୁଇ ଭାଗରେ ବିଭକ୍ତ ହେବା ପରି ଦେଖାଯାଉଛି । ହିଂସାର ଭାଇରାଲ ଭିଡିଓ ଆମେ ଦେଖିବାକୁ ପାଉଛୁ । ଇଣ୍ଡିଆ ମେଣ୍ଟ ପ୍ରତିନିଧି ଟିମ ମଣିପୁର ଗସ୍ତ କରି ଫେରିଛନ୍ତି । ପୋଲିସ ଓ ସରକାରୀ ଅସ୍ତ୍ରଗାରରୁ ହିଂସାକାରୀମାନେ ଅସ୍ତ୍ରଶସ୍ତ୍ର ଲୁଟ କରି ନେଇଗଲେଣି । ଏପରି ସମୟରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଭୂମିକା କ’ଣ ରହିଛି । ଏହା କ’ଣ ଜାତୀୟ ସୁରକ୍ଷା ପ୍ରସଙ୍ଗ ନୁହେଁ ।’’
ଏହା ମଧ୍ୟ ପଢନ୍ତୁ:-ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା; ଭାଗ ନେବେ ରାହୁଲ
ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନଠୁ ମଣିପୁର ହିଂସାକୁ ନେଇ ବିରୋଧୀ ହଙ୍ଗାମା କରୁଛନ୍ତି । ଏହି ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ବିରୋଧୀ ଅଡ଼ି ବସିଛନ୍ତି ଓ ଗୃହକାର୍ଯ୍ୟ ଚଳାଇ ଦେଉନଥିଲେ । ପରେ ଏହି ଗୃହ କ୍ରମଶଃ ସ୍ବାଭାବିକ ହେବା ସହ ଲୋକସଭା ଓ ରାଜ୍ୟସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲ ପାରିତ ହୋଇଛି । ବିଲ୍ ସପକ୍ଷରେ ୧୩୧ ଭୋଟ ପଡିଥିବା ବେଳେ ବିପକ୍ଷରେ ୧୦୨ଟି ଭୋଟ୍ ପଡିଥିଲା । ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । 3 ଦିନ ଧରି ଏହିଆଲୋଚନା ଜାରି ରହିବାକୁ ଥିବା ବେଳେ ଶେଷରେ ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିବେ । ଏହା ପରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ମଧ୍ୟ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ