ହାଇଦ୍ରାବାଦ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ରାଜନୈତିକ ଦୃଷ୍ଟିକୋଣରୁ 2020ର ସମ୍ପୂର୍ଣ୍ଣ ବର୍ଷ ରହିଥିଲା ବେଶ ମହତ୍ବପୂର୍ଣ୍ଣ । ସଂକ୍ରମଣ ମଧ୍ୟରେ ରାଜନୈତିକ ପାଣିପାଗ ଉଷ୍ମତାକୁ ଅନୁଭବ କରିଛନ୍ତି ଦେଶବାସୀ । କୋରୋନାର ଭୟାବହତା ସତ୍ତ୍ବେ ବଡ ବଡ ନିର୍ବାଚନ ଅନୁଷ୍ଠିତ କରାଇ ସାରା ବିଶ୍ବରେ ଉଦାହରଣ ସୃଷ୍ଟି କରିଛି ଭାରତ ।
ଦିଲ୍ଲୀ ବିଧାନସଭା ନିର୍ବାଚନ 2020
ଫେବୃଆରୀ 8, ମତଦାନ- ନାଗରିକତା ସଂଶୋଧନ ଆଇନର ତାତି ମଧ୍ୟରେ ବିଧାନସଭା ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିଥିଲେ ଦୀଲ୍ଲିବାସୀ । ଗତଥର ନିର୍ବାଚନ ତୁଳନାରେ 2020 ଦିଲ୍ଲୀ ବିଧାନସଭା ନିର୍ବାଚନରେ ହୋଇଥିଲା କମ ମତଦାନ । 2015ରେ 67.13% ମତଦାନ ରେକର୍ଡ ହୋଇଥିବା ବେଳେ 2020ରେ 61.67 ପ୍ରତିଶତକୁ ଖସି ଆସିଥିଲା ।
ଫେବୃଆରୀ 11, ଫଳାଫଳ- ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧିନ ଆମ ଆଦମୀ ପାର୍ଟି ମଧ୍ୟରେ ରହିଥିଲା ସିଧାସଳଖ ଟକ୍କର । ହେଲେ ବିଜେପିକୁ ହରାଇ ପୂନର୍ବାର ପ୍ରଚଣ୍ଡ ବହୁମତ ସହିତ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲା ଆପ୍ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ 62ଟି ଆସନରେ ବିଜୟ ହାସଲ କରିଥିବା ବେଳେ ବିଜେପି ହାତରେ ଆସିଥିଲା ମାତ୍ର 8 ସିଟ୍ । ଅନ୍ୟପକ୍ଷେ ଏହି ନିର୍ବାଚନରେ ଖାତା ଖୋଲିପାରିନଥିଲା କଂଗ୍ରେସ ।
Party | Seats Won | Vote Share (%) |
AAP | 62 53.57 | |
BJP | 8 | 38.51 |
Congress | 0 4.26 | |
Others | 0 3.66 |
ଦିଲ୍ଲୀ ନିର୍ବାଚନର ମୁଖ୍ୟ ବିନ୍ଦୁ
- ଆପକୁ ମିଳିଥିଲା 53.6% ଭୋଟ ସେୟାର
- 38.5 % ଭୋଟ ସେୟାର ସହ 8ଟି ସିଟରେ ବିଜୟୀ ହୋଇଥିଲା ବିଜେପି
- 63ଟି ଆସନରେ ଅମାନତ ହରାଇଥିଲା କଂଗ୍ରେସ
ବିହାର ବିଧାନସଭା ନିର୍ବାଚନ
ମହାମାରୀ କୋରୋନାର ସଙ୍କଟ ମଧ୍ୟରେ କେବଳ ଦେଶ ନୁହେଁ ବରଂ ବିଶ୍ବରେ ସବୁଠୁ ବଡ ନିର୍ବାଚନ ଭାବେ ଆୟୋଜିତ ହୋଇଥିଲା ବିହାର ବିଧାନସଭା ନିର୍ବାଚନ । କୋଭିଡ ଗାଇଡଲାଇନ ପାଳନ କରି ମତାଧିକାର ସାବ୍ୟସ୍ତ କରିଥିଲେ ବିହାରବାସୀ ।
ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ବିଭାନ୍ନ ସଂସ୍ଥା ପକ୍ଷରୁ ଜାରି ଏକଜିଟ ପୋଲ ସତ୍ୟ ପ୍ରମାଣିତ ହୋଇନଥିଲା । ବଦଳିଥିଲା ସବୁ ଆକଳନ । ପୁଣି ଥରେ ବିହାରରେ ବାଜି ମାରିଥିଲେ ନୀତିଶ କୁମାର । ନୀତିଶ କୁମାର ଓ ତେଜସ୍ବୀଙ୍କ କଡା ଟକ୍କର ସତ୍ତ୍ବେ ସରକାର ଗଢିବାଲେ ସଫଳ ହୋଇଥିଲା ଏନଡିଏ । କାରଣ ବହୁମତ ସହ ଏନଡିଏକୁ ମିଳିଥିଲା ଜନାଦେଶ ।
243 ବିଶିଷ୍ଟ ଆସନରୁ ଏନଡିଏକୁ 125 ଟି ଆସନ, ମହାମେଣ୍ଟକୁ 110ଟି ଆସନ ଏବଂ ଏଆଇଏମଆଇଏମ, ବିଏସପି ଏବଂ ଅନ୍ୟ ଦଳଗୁଡିକ 8ଟି ଆସନ ପାଇଥିଲେ । ଏଲଜେପି ମାତ୍ର ଗୋଟିଏ ଆସନରେ ସୀମିତ ରହିଯାଇଥିଲା ।
ଏନଡିଏରେ ସବୁଠାରୁ ବଡ ଦଳ ଭାବେ ପ୍ରଥମଥର ବିହାରରେ ବିଜେପିକୁ 74 ଆସନ ମିଳିଥିବା ବେଳେ ଜେଡିୟୁକୁ 43, ହମକୁ ମିଳିଥିଲା 4ଟି ଆସନ । ସେପଟେ ମହାମେଣ୍ଟର ଆରଜେଡିକୁ 75, କଂଗ୍ରେସକୁ 19 ଓ ବାମଦଳକୁ 16ଟି ଆସନ ମିଳିଥିଲା ।
ବିହାର ବିଧାନସଭା ନିର୍ବାଚନର ମୁଖ୍ୟବିନ୍ଦୁ
- ବିହାର ବିଧାନସଭା ନିର୍ବାଚନରେ 57.05 ପ୍ରତିଶତ ମତଦାନ ହୋଇଥିଲା
- ଏନଡିଏରେ ବିଜେପି ସବୁଠୁ ବଡ ଦଳ ଭାବେ 74 ଆସନ ଜିତିଥିବା ବେଳେ ଜେଡିୟୁକୁ ମିଳିଥିଲା 43 ଆସନ । ଅନ୍ୟ 2 ସହଯୋଗୀ ହମ ଓ ଭିଆଇପି ହାତରେ ଆସିଥିଲା 4 ଲେଖାଏଁ ଆସନ
- ଗୟାର ଇମାମଗଞ୍ଜ ଆସନ ଜିତିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହମ ଅଧ୍ୟକ୍ଷ ଜୀତନରାମ ମାଝି
- ଭିଆଇପି ମୁଖିଆ ମୁକେଶ ସାହନୀ ସହଶ୍ର ଜିଲ୍ଲାର ସିମରି ଆସନରୁ ପରାଜିତ ହୋଇଥିଲେ
- ମହାମେଣ୍ଟରେ ଆରଜେଡି 75 ଆସନ ପାଇଥିଲା । ସେହିପରି 19 ଆସନରେ ସୀମିତ ରହିଯାଇଥିଲା କଂଗ୍ରେସ
- ନିର୍ବାଚନରେ ସର୍ବ ବୃହତ ଦଳ ହୋଇ ଛିଡା ହୋଇଥିଲା ଆରଜେଡି
ମଧ୍ୟପ୍ରଦେଶ ଉପନିର୍ବାଚନ
ମହାମାରୀ ସଙ୍କଟ ମଧ୍ୟରେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଥିଲା ରାଜନୈତିକ ମହାନାଟକ । ମାର୍ଚ୍ଚରେ କଂଗ୍ରେସର 22 ବିଧାୟକ ବିଦ୍ରୋହୀ ଆଭିମୁଖ୍ୟ ଆପଣାଇବା ପରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ବହୁମତ ନଥିବା କାରଣରୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କମଲନାଥ ।
22 ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ 16 ଜଣଙ୍କର ଇସ୍ତଫାକୁ ସ୍ବୀକାର କରିଥିଲେ ରବିଧାନସଭା ବାଚସ୍ପତି ଏନପି ପ୍ରଜାପତି । ଏହା ପରେ 92 ବିଧାୟକ ସହ ଅଳ୍ପମତକୁ ଆସିଯାଇଥିଲା ମଧ୍ୟପ୍ରଦେଶ ସରକାର । ପରେ ଆଉ 6 ଜଣ ବିଧାୟକଙ୍କ ଇସ୍ତଫା ମଧ୍ୟ ବାଚସ୍ପତି ସ୍ବୀକାର କରିଥିଲେ ।
ସେପଟେ 107 ବିଧାୟକଙ୍କ ସହ ବିଜେପି ପାଖରେ ରହିଥିଲା ମ୍ୟଜିକ ନମ୍ବର । ଫଳରେ ମାର୍ଚ୍ଚ ମାସରେ ହିଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଶିବରାଜ ସିଂହ ଚୌହାନ ।
Party | Won | Vote Share % |
Bharatiya Janata Party | 74 | 19.46 |
All India Majlis-E-Ittehadul Muslimeen | 5 | 1.24 |
Indian National Congress | 19 | 9.48 |
Janata Dal (United) | 43 | 15.39 |
Lok Jan Shakti Party | 1 | 5.66 |
Rashtriya Janata Dal | 75 | 23.11 |
Others | 26 | 25.66 |
ଦେଶର ବିଭିନ୍ନ ରାଜ୍ୟରେ ଉପନିର୍ବାଚନ
ବିହାର ବିଧାନସଭା ନିର୍ବାଚନ ସମେତ ଦେଶର 10 ଟି ରାଜ୍ୟର 58ଟି ବିଧାନସଭା ଆସନରେ ହୋଇଥିଲା ଉପ-ନିର୍ବାଚନ । 59 ଟି ଆସନରୁ ବିଜେପି ଏକାକୀ 41 ଟି ଆସନରେ ଜିତିଥିଲା ।
ହାଇଦ୍ରାବାଦ ନିର୍ବାଚନ
ଗ୍ରେଟର ହାଇଦ୍ରାବାଦ ନଗର ନିଗମ (GHMC) ନିର୍ବାଚନରେ ବିଜେପିକୁ ମିଳିଥିଲା ଜବରଦସ୍ତ ସଫଳତା । ହେଲେ ନଗର ନିଗମରେ ପୂନର୍ବାର ନିଜର ଦଖଲ ବଜାୟ ରଖିଥିଲା ରାଜ୍ୟରେ କ୍ଷମତାସୀନ ଟିଆରଏସ । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାୱଙ୍କ ପାର୍ଟି ଟିଆରଏସ 56ଟି ଆସନରେ ବିଜୟ ହାସଲ କରି ସର୍ବ ବୃହତ ପାର୍ଟି ଭାବରେ ଉଦ୍ଭା ହୋଇଥିବା ବେଳେ ବହୁମତ ପାଇଁ 76ଟି ଆସନର ରହିଥିଲା ଆବଶ୍ୟକତା ।
ସେପଟେ ମୋଟ 150ଟି ଆସନରୁ 49ଟି ଆସନରେ ଦ୍ବିତୀୟ ବଡ ଦଳ ହୋଇଥିଲା ବିଜେପି । ସେହିପରି ଅସଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ 43ଟି ଆସନ ସହ ତୃତୀୟ ନମ୍ବରରେ ରହିଥିଲା । ଏହି ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା । ମାତ୍ର 2ଟି ଆସନରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡିଥିଲା ।
ଜମ୍ମୁ କାଶ୍ମୀର DDC ନିର୍ବାଚନ
କ୍ରମାଗତ ଅଶାନ୍ତି ଓ ଆତଙ୍କବାଦକୁ ସାମ୍ନା କରୁଥିବା ଜମ୍ମୁ କାଶ୍ମୀରର ଜନସାଧାରଣ କେନ୍ଦ୍ର ଶାସିତ ଅଞ୍ଚଳର ବିକାଶ ପାଇଁ ଦେଇଥିଲେ ଜନମତ । ସୀମା ପାର ପାକିସ୍ତାନକୁ ବୁଲେଟର ଜବାବ ବାଲାଟରେ ମିଳିଥିଲା । ଜମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ (DDC) ନିର୍ବାଚନ ବିଜେପି ପାଇଁ ରହିଥିଲା ବେଶ ଖାସ ।
ଡିଡିସି ନିର୍ବାଚନରେ ଯଦିଓ ଗୁପକାର ମେଣ୍ଟ ବହୁମତ ହାସଲ କରିଥିଲା, ହେଲେ 75ଟି ଆସନ ଜିତି ସବୁଠୁ ବଡ ପାର୍ଟି ହୋଇ ଉଭା ହୋଇଥିଲା ବିଜେପି । ସେପଟେ ଘାଟିର କାଶ୍ମୀର ଉପରେ ଯଦି ନଜର ପକାଇବା ତେବେ ବିଜେପି ଏଠାରେ କୌଣସି କମାଲ ଦେଖାଇ ପାରିନଥିବା ବେଳେ 3ଟି ସିଟରେ ପଦ୍ମ ଫୁଟାଇବାରେ ହୋଇଥିଲା ସଫଳ ।
ଗୁପକାର ମେଣ୍ଟର ନ୍ୟାସନାଲ କନଫ୍ରେନ୍ସ 67, ପିଡିପି 27 ଓ କଂଗ୍ରେସ 26ଟି ଆସନ ଜିତିଛନ୍ତି । ସେପଟେ ଡିଡିସି ନିର୍ବାଚନରେ ଫଳାଫଳ ବିଜେପି ପାଇଁ ବେଶ ଉତ୍ସାହଜନକ କୁହାଯାଇପାରେ । ହେଲେ କାଶ୍ମୀର ଘାଟିରେ ଦଳର ସ୍ଥିତି ଏବେ ବି ଦୁର୍ବଳ ନଜର ଆସିଥଇଲା । ଘାଟିରେ ବିଜେପି 3ଟି ସିଟ କବଜା କରିବାରେ ସଫଳ ହୋଇଥିଲା । ଦଳ ଶ୍ରୀନଗର, ପୁଲୱାମା ଓ ବାନ୍ଦୀପୋରାରେ 3ଟି ଆସନ ଜିତିଥିଲା । ଜମ୍ମୁ କାଶ୍ମୀରରେ 10ରୁ 6ଟି ଜିଲ୍ଲାରେ ବହୁମତ ହାସଲ କରିଥିଲା ବିଜେପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ