ନୂଆଦିଲ୍ଲୀ: ତୁର୍କୀରେ ଧ୍ବଂସ ଲୀଳା ରଚିଛି ଭୂକମ୍ପ । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବା ବେଳେ ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାର ଲାଗିଛି । ଏହି ଭୟଙ୍କର ଭୂକମ୍ପ ପରେ ବିଭିନ୍ନ ଦେଶ ତୁର୍କୀକୁ ସହାୟତା ହାତ ବଢାଇଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୫ ହଜାର ପାର କଲାଣି । ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ତେବେ ତୁର୍କୀରେ ଭୂକମ୍ପ ଖବର ଟିଭିରେ ଦେଖିବା ପରେ ଏକ ଆଠ ବର୍ଷ ବାଳକର ମନକୁ ଏହା ଆନ୍ଦୋଳିତ କରିଥିଲା । ଶେଷରେ ତୁର୍କୀକୁ ସାହାଯ୍ୟରେ ହାତ ବଢାଇଛନ୍ତି ବାଳକ ଜଣଙ୍କ । ନିଜେ ସଞ୍ଚୟ କରିଥିବା ପକେଟ ମନିକୁ ସେ ତୁର୍କୀ ପାଇଁ ଦାନ କରିଛନ୍ତି ।
ଜାଇଦାନ କ୍ୟୁରେସି ନାମକ ଜଣେ ଆଠ ବର୍ଷର ବାଳକ ଦିଲ୍ଲୀରେ ଥିବା ତୁର୍କୀ ଦୂତାବାସକୁ ଯାଇଥିଲେ । ସେଠାରେ ପହଞ୍ଚି ନିଜେ ସଞ୍ଚୟ କରି ରଖିଥିବା ପକେଟ ମନିରେ ଜ୍ୟାକେଟ କିଣି ଦୂତାବାସକୁ ଦେଇଥିଲେ। ଟିଭିରେ ଭୂକମ୍ପର ଛାତିଥରା ଦୃଶ୍ୟ ଦେଖିବା ପରେ ନାବାଳକ ଜଣଙ୍କ ତୁର୍କୀବାସୀଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କରିଥିଲେ । ଏନେଇ ସେ ତାଙ୍କ ବାପାଙ୍କୁ ମଧ୍ୟ ଜଣାଇଥିଲେ । ଏହାପରେ ନିଜ ପକେଟ ମନିରେ ଜ୍ୟାକେଟ କିଣି ଦିଲ୍ଲୀରେ ଥିବା ତୁର୍କୀ ଦୂତା ବସାରେ ପହଞ୍ଚିଥିଲେ ଜାଇଦାନ ଓ ତାଙ୍କ ବାପା ।
ଏନେଇ ଜାଇଦାନ କ୍ୟୁରେସି କହିଛନ୍ତି ଯେ,"ପ୍ରତିଦିନ ମୋ ବାପା ମୋତେ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ଦିଅନ୍ତି । ମୁଁ ଏହାକୁ ଗୋଟିଏ ସ୍ଥାନରେ ଜମା କରି ରଖୁଥିଲି । ତୁର୍କୀରେ ଭୂକମ୍ପ ଖବର ଜାଣିବା ପରେ ସେଠାକାର ଲୋକଙ୍କ ଅବସ୍ଥା ବହୁତ ଖରାପ ସ୍ଥିତିରେ ଥିବା ଜାଣିବାକୁ ପାଇଥିଲି । ଏନେଇ ମୁଁ ବାପାକୁ କହିଥିଲେ ମୋତେ ତୁର୍କୀକୁ ସାହାଯ୍ୟ କରିବାର ଅଛି । ମୋ ସଞ୍ଚୟ ଟଙ୍କାକୁ ମୁଁ ବାପାଙ୍କୁ ଦେଇଥିଲି । ଏହାପରେ ବାପା ଏଥିରେ କିଛି ଚଙ୍କା ମିଶାଇ ୧୨୦ଟି ଜ୍ୟାକେଟ କିଣି ଦିଲ୍ଲୀରେ ଥିବା ତୁର୍କୀ ଦୂତାବାସରେ ଦେଇଛନ୍ତି ।"
ଜାଇଦାନଙ୍କ ବାପା କହିଛନ୍ତି ଯେ, "୧୧୨ ଟି ଜ୍ୟାକେଟ କିଣିବା ପାଇଁ ପ୍ରାୟ ୨୨,୦୦୦ ଟଙ୍କା ଖର୍ଚ୍ଚ ହୋଇଛି, ଯେଉଁଥିରେ ଜାଇଦାନ ତାଙ୍କ ପକେଟରୁ ୭,୫୦୦ ଟଙ୍କା ଦେଇଥଲେ ।" ଗତ କିଛି ଦିନ ତଳେ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ହୋଇଥିଲା । ଫଳରେ ମୃତ୍ୟୁ ସଂଖ୍ୟା ଏବେ ୩୫ ହଜାର ପାର କରିଛି । ଦିନ ଗଡ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି ।