ଏନ. ବିଶ୍ବ ପ୍ରସାଦ
ବିଶିଷ୍ଟ ଶିକ୍ଷାବିତ୍ ଏବଂ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କ୍ରିଷ୍ଣ କୁମାର କହନ୍ତି ଯେ, କୋଭିଡ୍-19 କାରଣରୁ ସାରା ଭାରତର କୋଟି କୋଟି ପିଲା ଶିକ୍ଷାଲାଭରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଶିକ୍ଷା କ୍ଷେତ୍ରରେ ଜରୁରୀକାଳୀନ ପରିସ୍ଥିତି ରୂପେ ବିଚାର କରାନଗଲେ ଭବିଷ୍ୟତରେ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଅଣଦେଖା କରାଗଲେ, ଦେଶର ସାମୂହିକ ଶିକ୍ଷାଦାନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି ବୋଲି ସେ ସତର୍କ କରାଇ ଦେଇଛନ୍ତି । ଅତୀତରେ କ୍ରିଷ୍ଣ କୁମାର ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (NCERT)ର ନିର୍ଦ୍ଦେଶକ ରୂପେ ଦାୟିତ୍ବ ତୁଲାଇଛନ୍ତି । ସେ ମଧ୍ୟ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶିକ୍ଷା ବିଭାଗ ପ୍ରାଧ୍ୟାପକ ଥିଲେ । ବନ୍ଦ ହୋଇଯାଇଥିବା ସ୍କୁଲଗୁଡ଼ିକୁ ପୁଣି ଖୋଲିବା ଏବଂ ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କର ପୁଣି ନାମ ଲେଖାଇବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି । କିନ୍ତୁ ସେ ଆହୁରି କହିଛନ୍ତି ଯେ, ଏସବୁ କରିବା ପୂର୍ବରୁ ସ୍କୁଲ ପିଲାମାନଙ୍କ ଉପରେ ବିଶ୍ବ ମହାମାରୀର କି ପ୍ରକାର ପ୍ରଭାବ ପଡ଼ିଛି, ତାହା ଜାଣିବା ପାଇଁ ସର୍ଭେ କରାଯିବା ଉଚିତ । ଈନାଡୁ ସହ ଏକ ସାକ୍ଷାତ୍କାରରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ କ୍ରିଷ୍ଣ କୁମାର ଅନେକ ପ୍ରସ୍ତାବ ଦେଇଛନ୍ତି । ସାକ୍ଷାତ୍କାରର ଉଦ୍ଧୃତାଂଶ ।
କୋରୋନାର ଦ୍ବିତୀୟ ଲହର ଶିକ୍ଷା ଉପରେ କିଭଳି ପ୍ରଭାବ ପକାଇବ ?
କର୍ମକ୍ଷେତ୍ର ଛାଡ଼ି ନିଜ ନିଜ ଗାଁକୁ ଫେରି ଯାଇଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କର ଶିକ୍ଷାଲାଭ ସ୍ଥିତି ସଂପର୍କରେ କୌଣସି ଅନୁଧ୍ୟାନ କରାଯାଇନାହିଁ । ଏମିତି କି ବିଭିନ୍ନ ମେଟ୍ରୋ ସହରରେ ମଧ୍ୟ ବହୁସଂଖ୍ୟକ ପିଲା ଶିକ୍ଷାଲାଭରୁ ବଞ୍ଚିତ ହୋଇଛନ୍ତି । କୋରୋନାର ପ୍ରଥମ ଲହର ପରେ ଗାଁରୁ ପୁଣି ସହରକୁ ଫେରିଥିବା ଶ୍ରମିକମାନେ ସେମାନଙ୍କ ପିଲାମାନଙ୍କୁ ସାଙ୍ଗରେ ନେଇ ନଥିଲେ । ଦେଶର ଲକ୍ଷ ଲକ୍ଷ ଘରୋଇ ସ୍କୁଲ ବନ୍ଦ ହୋଇଯାଇଛି । ସେହି ସବୁ ସ୍କୁଲରେ ପଢୁଥିବା ପିଲାମାନଙ୍କର ଅବସ୍ଥା ସଂପର୍କରେ କେହି ଜାଣିନାହାନ୍ତି ।
କୋରୋନା ପ୍ରଭାବକୁ ସୀମିତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରମାନେ କ’ଣ କରିବା ଉଚିତ ହୋଇଥାଆନ୍ତା ? ଏବେ ସେମାନେ କେଉଁ ସବୁ ପଦକ୍ଷେପ ଗ୍ରହଣ କରିପାରିବେ ?
ପ୍ରଥମେ ଛାତ୍ରଛାତ୍ରୀମାନଙ୍କ ଉପରେ କୋଭିଡ୍-19ର ପ୍ରଭାବ ସଂପର୍କରେ ଜାଣିବା ଲାଗି ଏକ ବିସ୍ତୃତ ସର୍ଭେ କରାଯିବା ଆବଶ୍ୟକ । ଏଥିପାଇଁ ବିଶ୍ବସନୀୟ ପରିସଂଖ୍ୟାନ ହାସଲ କରିବା ଦରକାର । ବାସ୍ତବ କ୍ଷେତ୍ର ସଂପର୍କରେ ସଠିତ ତଥ୍ୟ ବିନା କୌଣସି ସାମଗ୍ରିକ ଯୋଜନା କରାଯାଇପାରିବ ନାହିଁ । ଗତ ବର୍ଷକ ମଧ୍ୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କିଭଳି ପ୍ରଭାବିତ ହୋଇଛି ଏବଂ ଏହା ଦ୍ବାରା ସ୍କୁଲ ଯାଉଥିବା ପିଲାମାନଙ୍କ ଉପରେ କିପରି ପ୍ରଭାବ ପଡ଼ିଛି, ତାହାର ବିଶ୍ଲେଷଣ କରାଯିବା ଦରକାର । ବନ୍ଦ ହୋଇଯାଇଥିବା ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ କେଉଁଠି ପଢୁଛନ୍ତି କି ନାହିଁ ତାହା ଜାଣିବା ଗୁରୁତ୍ବପୂର୍ଣ୍ଣ କଥା । ସେମାନଙ୍କ ମଧ୍ୟରୁ କେତେ ଜଣ ହୁଏତ ସରକାରୀ ସ୍କୁଲରେ ନାମ ଲେଖାଇଥିବେ । କିନ୍ତୁ, ଆମେ ସେମାନଙ୍କ ସଂଖ୍ୟା ଜାଣିବା ଉଚିତ । ତା’ହେଲେ ହିଁ ଆମେ ବିଭିନ୍ନ ସରକାରୀ ସ୍କୁଲରେ ସେମାନଙ୍କ ପାଇଁ ଅତିରିକ୍ତ ସ୍ଥାନ ଓ ଶିକ୍ଷା ସୁବିଧା ସୃଷ୍ଟି କରିପାରିବା । ଯାହା ଜଣାପଡୁଛି, ଗ୍ରାମୀଣ ଗରିବ ଓ ପ୍ରବାସୀ ଶ୍ରମିକମାନଙ୍କର ବହୁସଂଖ୍ୟକ ପିଲା, ବିଶେଷତଃ ଝିଅମାନେ, ଅଧାରୁ ପାଠପଢ଼ା ଛାଡ଼ି ଶିଶୁ ଶ୍ରମିକରେ ପରିଣତ ହୋଇଛନ୍ତି । ଆମେ ଯଦି ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିପାରିବା, ତେବେ ଆମେ ସେମାନଙ୍କୁ ପୁଣି ସ୍କୁଲକୁ ଫେରାଇ ନେବା ଲାଗି ଏକ ଯୋଜନା ପ୍ରସ୍ତୁତ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିପାରିବା ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ବିଭିନ୍ନ ରାଜ୍ୟର ବୋର୍ଡ ପକ୍ଷରୁ ପରୀକ୍ଷା ବାତିଲ କରିଦିଆଯାଇଛି କିମ୍ବା ସ୍ଥଗିତ ରଖାଯାଇଛି । ଏହାର ପରିଣାମ କ’ଣ ହେବ ?
10ମ ଶ୍ରେଣୀ ପରୀକ୍ଷା ବାତିଲ କରିବା ଏବଂ 12ଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିବା ଯୁକ୍ତିଯୁକ୍ତ । ପ୍ରକୃତରେ ଗତ ବର୍ଷ 12ଶ ଶ୍ରେଣୀ ଛାତ୍ରଛାତ୍ରୀମାନେ କେବଳ ଅନ୍ଲାଇନ୍ କ୍ଲାସ୍ ଜରିଆରେ ଶିକ୍ଷାଲାଭ କରିଥିଲେ । ତେଣୁ, ପରୀକ୍ଷା ବି ଅନ୍ଲାଇନରେ କରାଯାଇପାରିବ । ଏଥିରୁ କୌଣସିଟି ଅସମ୍ଭବ ନୁହେଁ । ଯେଉଁ ପିଲାମାନଙ୍କର ଆବଶ୍ୟକତା ରହିଛି, ସେମାନଙ୍କ ପାଇଁ ଅସ୍ଥାୟୀ ଭାବରେ, ଡିଜିଟାଲ ଡିଭାଇସ୍ ବା ଉପକରଣ ସ୍ଥାପନ କରାଯାଇପାରିବ । ସଂପ୍ରତି, ଅନେକ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କର ଅନ୍ଲାଇନ୍ ପରୀକ୍ଷା କରାଯାଉଛି ।
ଗୁଣାତ୍ମକ ଶିକ୍ଷା ଉପରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ରହିଥିବା ବ୍ୟବଧାନର ପ୍ରଭାବ ପଡୁଛି । ଏହି ବ୍ୟବଧାନକୁ କିଭଳି ହ୍ରାସ କରାଯାଇପାରିବ ?
ବିଶ୍ବ ମହାମାରୀର ପ୍ରାଦୁର୍ଭାବ ପୂର୍ବରୁ ବି ସେହି ବ୍ୟବଧାନ ରହିଥିଲା । କିନ୍ତୁ ଏବେ ଏହା ସ୍ପଷ୍ଟ ହୋଇଗଲା । ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ଶିକ୍ଷକମାନଙ୍କ ପାଇଁ ସର୍ବନିମ୍ନ ବେତନ ଧାର୍ଯ୍ୟ କରାଯିବା ଦରକାର । ଯେଉଁ ବେସରକାରୀ ସ୍କୁଲଗୁଡ଼ିକ ଏହି ସର୍ବନିମ୍ନ ବେତନ ଦେବାରେ ସକ୍ଷମ ନୁହଁନ୍ତି, ସେମାନଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ଉଚିତ । ଏଭଳି ଭାବରେ ଆମେ ଦକ୍ଷ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇପାରିବା । ସେହିଭଳି, ବିଶ୍ବ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ସ୍କୁଲଗୁଡ଼ିକରେ ମୌଳିକ ସୁବିଧା ଯୋଗାଣ ଦିଗରେ ସରକାର ସହାୟତା ଦେବା ଉତିଚ । ଏହାକୁ ଏକ ବୋଝ ରୂପେ ବିଚାର କରାଯାଇ ପାରିବନାହିଁ । ଯଦି ସବୁ ପିଲା ସ୍କୁଲ୍କୁ ଫେରିଆସନ୍ତି, ତେବେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ସୁବିଧା ପ୍ରଦାନ ନିମନ୍ତେ ବହୁ ଅର୍ଥ ଆବଶ୍ୟକ । ଅମଲାତାନ୍ତ୍ରିକ ବାଧାବିଘ୍ନ ଯୋଗୁଁ ଏହାକୁ କାର୍ଯ୍ୟକାରୀ କରାଇବା ବିଳମ୍ବିତ ହେବ । ହେଲେ, ଶିକ୍ଷାଦାନ ସ୍ଥିତିରେ ସୁଧାର ଆଣିବା ପାଇଁ ଯାହା ସବୁ ଦରକାର ତାହା ନିଶ୍ଚିତ ଭାବରେ କରିବା ଆବଶ୍ୟକ ।
4 ବର୍ଷରୁ କମ୍ ବୟସର ପିଲାମାନେ ବି ଡିଜିଟାଲ କ୍ଲାସ୍ ଜରିଆରେ ଶିକ୍ଷାଲାଭ କରୁଛନ୍ତି । ଏହା ସେମାନଙ୍କୁ କିଭଳି ପ୍ରଭାବିତ କରିବ ?
ଭାରତ ବ୍ୟତୀତ, ଅନ୍ୟ କୌଣସି ଦେଶରେ କିଣ୍ଟରଗାର୍ଟନ ଏବଂ ପ୍ରାକ୍-ବିଦ୍ୟାଳୟ ପିଲାମାନଙ୍କ ପାଇଁ ଇ-କ୍ଲାସ୍ କରାଯାଉ ନାହିଁ । ଶିଶୁ ମନସ୍ତତ୍ତ୍ବ ଏବଂ ବିକାଶ ଦୃଷ୍ଟିକୋଣରୁ ଦେଖିଲେ, ଏହା ସେମାନଙ୍କ ମାନସିକ ସ୍ଥିତି ପାଇଁ ଆଦୌ ଭଲ ନୁହେଁ । ବୟସ୍କ ବ୍ୟକ୍ତି ଏବଂ ବଡ଼ ପିଲାମାନଙ୍କ ଜରିଆରେ ଛୋଟ ପିଲାମାନଙ୍କୁ ଶିକ୍ଷାଦାନ ସଂପର୍କରେ ବିଚାରବିମର୍ଶରୁ ହିଁ ଆମେମାନେ କୌଣସି ଏକ ଉପାୟ ପାଇପାରିବା । ମୋ ମତରେ, 4 ବର୍ଷ ବୟସର ଯେଉଁ ପିଲାମାନେ ଅନ୍ଲାଇନ କ୍ଲାସ୍ ମାଧ୍ୟମରେ ଶିକ୍ଷାଲାଭ କରୁଛନ୍ତି, ବିଶ୍ବ ମହାମାରୀ ସଂକଟର ପରିସମାପ୍ତି ପରେ, ସେମାନଙ୍କ ଆଖି ଏବଂ ସାମଗ୍ରିକ ବିକାଶ ସଂପର୍କରେ ପରୀକ୍ଷା କରାଇ ନେବା ଉଚିତ । ଏହି ବୟସର ପିଲାମାନେ ଶିକ୍ଷାଲାଭ ପାଇଁ କଠିନ ପରିଶ୍ରମ କରିବା ଉଚିତ ନୁହେଁ । କିଛିଟା ମୌଳିକ ଶିକ୍ଷାଦାନ ବ୍ୟତିରେକ ସେମାନଙ୍କୁ ମୁକ୍ତ ଭାବରେ ଛାଡ଼ି ଦିଆଯିବା ଦରକାର ।
ବିଶ୍ବ ମହାମାରୀ କାରଣରୁ କୋଟି କୋଟି ଲୋକ ସେମାନଙ୍କ ଜୀବିକା ହରାଇଛନ୍ତି । ଏହି ସବୁ ପରିବାରର ପିଲାମାନଙ୍କ ପାଇଁ ନିଶ୍ଚିତ ଭାବରେ ଶିକ୍ଷା ଉପଲବ୍ଧ କରାଇବା ଦିଗରେ ସରକାର କ’ଣ କରିବା ଉଚିତ ?
ନିଶ୍ଚିତ ଭାରେ ଏଭଳି ସବୁ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଆବଶ୍ୟକ । ଏମିତି କୋଟି କୋଟି ପିଲା ଅବହେଳିତ ଅବସ୍ଥାରେ ଅଛନ୍ତି, ଯେଉଁମାନଙ୍କ ପାଖରେ ମୌଳିକ ଶିକ୍ଷାଲାଭର ସୁଯୋଗ ନାହିଁ । ଥରେ ଏ ସଂପର୍କରେ ସର୍ଭେ ହୋଇଗଲେ, ସରକାର ଏହା ସ୍ଥିର କରିପାରିବେ ଯେ କେଉଁ ବର୍ଗର ପିଲାମାନଙ୍କୁ କେଉଁ ପ୍ରକାର ସହାୟତା ଦେବା ଦରକାର । ଲକ୍ଡାଉନ ଯୋଗୁଁ ବନ୍ଦ ହୋଇଯାଇଥିବା ସମସ୍ତ ଘରୋଇ ସ୍କୁଲକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ଆବଶ୍ୟକ । ବର୍ତ୍ତମାନ ସମୟରେ ସରକାରୀ କି ବେସରକାରୀ ବୋଲି ପ୍ରଶ୍ନ ଉଠୁନାହିଁ । ସ୍କୁଲରେ ଛାତ୍ରଛାତ୍ରୀ ଥିଲେ କି ନାହିଁ ତାହା ହିଁ ପ୍ରଥମ କଥା । ପରିସ୍ଥିତି ସୁଧୁରି ଯିବା ପରେ ସରକାର ସହାୟତା ଦେବା ଅବ୍ୟାହତ ରଖିବେ କି ନାହିଁ ସେ ସଂପର୍କରେ ସମୀକ୍ଷା କରିପାରିବେ । ଠିକ୍ ଏଇ ମୁହୂର୍ତ୍ତରେ ଆମେ ଏକ ଗୁରୁତର ସଂକଟରେ ପଡ଼ିଛୁ । ତଦନୁସାରେ ଆମକୁ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ହେବ । ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଆମେ ଯଦି ପୁଣି ସ୍କୁଲକୁ ଫେରାଇ ନ ଆଣିପାରିବା, ତେବେ ଏଥିପାଇଁ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିବ । ତାହା ନହେଲେ ଦେଶ ପୁଣି ପଛକୁ ଫେରିଯିବ । ସୁତରାଂ, ବର୍ତ୍ତମାନର ସ୍ଥିତିକୁ ଶିକ୍ଷା କ୍ଷେତ୍ରରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ବୋଲି ବିଚାର କରିବାକୁ ପଡ଼ିବ ।