ଶ୍ରୀନଗର: ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ ଆକ୍ସନମୋଡରେ କେନ୍ଦ୍ରୀୟ ସଂସ୍ଥା । କାଶ୍ମୀରର ଏକାଧିକ ସ୍ଥାନରେ ବିଚ୍ଛିନ୍ନତାବାଦୀ ନେତାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ଜାରି ରହିଛି । ବିଛିନ୍ନତାବାଦୀ ନେତା କାଜି ୟାସିର ଓ ଜାଫର ଭଟ୍ଟର ଘରେ ଆଜି କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଏହି ଚଢାଉ ଜାରି ରହିଛି । ସକାଳୁ ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏବେ ସୁଦ୍ଧା ଫଳାଫଳ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ସଂସ୍ଥାର ଏକାଧିକ ଟିମ ସ୍ଥାନୀୟ ପୋଲିସର ସହଯୋଗରେ ଏହି ଦୁଇ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମହମ୍ମଦ ଅକବର ଭଟ୍ଟ ଓରଫ ଜାଫର ଭଟ୍ଟ ଘରେ ଆଜି ସକାଳ ଚଢାଉ ଆରମ୍ଭ ହୋଇଥିଲା । ଭଟ୍ଟ ବିଚ୍ଛିନ୍ନତାବାଦୀ ସଂଗଠନ ଜମ୍ମୁ କାଶ୍ମୀର ମୁକ୍ତି ଆନ୍ଦୋଳନ (J&K Salvation Movement)ର ଅଧ୍ୟକ୍ଷ ରହିଛି । ସେହିପରି ଚଢାଉ ଜାରି ରହିଥିବା ଅନ୍ୟଜଣେ ବିଚ୍ଛିନ୍ନତାବାଦୀ ନେତା କାଜି ୟାସିର ହେଉଛି ହୁରିୟତ ସଂଗଠନର କାର୍ଯ୍ୟକର୍ତ୍ତା ।
ଉଭୟ ସଂଗଠନ ସ୍ବତନ୍ତ୍ର କାଶ୍ମୀର ନାମରେ ପାକିସ୍ତାନ ପ୍ରରୋଚନାରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ଜାରି ରଖିଥିବା ଅନେକ ଉଦାହରଣ ରହିଛି । ଘାଟିରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ସ୍ଥାନୀୟ ଯୁବକମାନଙ୍କୁ ଦେଶ ବିରୋଧୀ ସ୍ରୋତରେ ସାମିଲ କରିବା, ହିଂସା ଓ ଅସ୍ଥିରତା ସୃଷ୍ଟି କରିବା, ସେନା ବିରୋଧରେ ସ୍ଥାନୀୟ ଯୁବପିଢିକୁ ପ୍ରବର୍ତ୍ତାଇବା, ବିଦେଶୀ ତଥା ଆତଙ୍କୀ ପାଣ୍ଠି ଯୋଗାଡ, ଘାଟିରେ ହିଂସା, ଅରାଜକତା ପରି ଅନେକ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ଜାରି ରଖିଥାନ୍ତି ଏହି ସଂଗଠନଗୁଡିକ ।
ପୂର୍ବରୁ ଏହି ସଂଗଠନ ଗୁଡିକୁ ବେଆଇନ ଓ ଆତଙ୍କୀ ସଂଗଠନ ଭାବେ ମଧ୍ୟ ଘୋଷଣା କରାଯାଇଛି । ଏହି ବିଚ୍ଛିନ୍ନତାବାଦୀ ନେତାଙ୍କ ପାକିସ୍ତାନୀ ଲିଙ୍କ ଥିବାରୁ ଏମାନଙ୍କ ଗତିବିଧି ଉପରେ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ନଜର ରଖିଥାଏ । ଏମାନଙ୍କ ବିଦେଶୀ ଲିଙ୍କ ଓ ଆତଙ୍କୀ ପାଣ୍ଠି ଯୋଗାଡ ନେଇ ସୂଚନା ମିଳିଥିବା ବେଳେ ଏବେ ଏମାନଙ୍କ ଆୟ ଓ ଅନ୍ୟାନ୍ୟ ଆର୍ଥିକ କାରବାର ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏବେ ସୁଦ୍ଧା ଉଭୟ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ମିଳିଥିବା ସାମଗ୍ରୀ କିମ୍ବା କାର୍ଯ୍ୟାନୁଷ୍ଠାନ ନେଇ ସଂସ୍ଥା ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ଗତବର୍ଷ କାଶ୍ମୀରର ଅନ୍ୟତମ ବିଚ୍ଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆତଙ୍କୀ ପାଣ୍ଠି ଯୋଗାଡ ମାମଲାରେ ଏନଆଇଏ ସ୍ବତନ୍ତ୍ର କୋର୍ଟ ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେ ଏବେ ଜେଲରେ ସଜ୍ଜା କାଟୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ