ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦୀର୍ଘ 8 ଘଣ୍ଟା କାଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଜେରା କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ ତଥା ଇଡି । ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ ଅଭିଷେକ ।
ଜେରା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଅଭିଷେକ ବାନାର୍ଜୀ । ସେ କହିଛନ୍ତି, ଇଡି, ସିବିଆଇ, ଆୟକର, ଯାହା ଇଚ୍ଛା ମୋ ପଛରେ ଲଗାଅ । ହେଲେ ମୁଁ ଭୟଭୀତ ହେବି ନାହିଁ । ସବୁର ଯାଞ୍ଚ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଅଭିଷେକ ।
ଅଭିଷେକ ଆହୁରି ମଧ୍ୟ କହିଛନ୍ତି ଯେ ଭିତରେ କଣ ଘଟିଛି ମୁଁ କହିପାରିବି ନାହିଁ। ଯଦି ବିଜେପି ଅନୁଭବ କରୁଛି ଯେ ଅନ୍ୟ ରାଜନୈତିକ ଦଳ ଭଳି ଟିଏମସି ମଧ୍ୟ ଘରେ ବସିବା, ତେବେ ଏହା ଘଟିବ ନାହିଁ । ସେ କହିଛନ୍ତି ଯେ 25 ଜଣ ବିଜେପି ବିଧାୟକ ଲାଇନରେ ଅଛନ୍ତି, ଆମେ ଏହାକୁ ନେଉନାହୁଁ । 2024ରେ ଆମେ ବିଜେପିକୁ ପରାସ୍ତ କରିବୁ । ଟିଏମସି ପ୍ରତ୍ୟେକ ରାଜ୍ୟକୁ ଯିବ ଯେଉଁଠାରେ ବିଜେପି ସରକାର ଅଛି ।
ମନି ଲଣ୍ଡରିଂ ମାମଲାରେ ପୁଣି ବଢିଛି ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଅଡୁଆ । ସୋମବାର ଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ହାଜର ହୋଇଥିଲେ ଅଭିଷେକ । ଏହାପୂର୍ବରୁ ଅଭିଷେକଙ୍କ ସ୍ତ୍ରୀଙ୍କୁ ହାଜର ହେବାକୁ ଡକାଇଥିଲା ଇଡି । ହେଲେ ମହାମାରୀ କୋରୋନା କାରଣରୁ ଘରେ ପଚରାଉଚୁରା କରିବାକୁ ତାଙ୍କ ସ୍ତ୍ରୀ ଅନୁରୋଧ କରିଛନ୍ତି ।
ନଭେମ୍ବର 2020ରେ ସିବିଆଇର ଅନୁମତି ଦେବା ପରେ PMLA ଅପରାଧିକ ଧାରା ଅଧୀନରେ ମାମଲା ରୁଜୁ କରିଥିଲା ଇଡି । ସିବିଆଇ ଏଫ୍ଆଇଆର୍ କପିରେ ଆସାନସୋଲ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଇଷ୍ଟର୍ଣ୍ଣ କୋଇଲଫିଲ୍ଡ ଲିମିଟେଡର ଖଣି ସହ ଜଡିତ ବହୁ କୋଟି କୋଇଲା ଚୋରି ସ୍କାମ ଅଭିଯୋଗ ହୋଇଛି ।
ଏହି ମାମଲାରେ ଅନୁପ ମାଝୀ ଓରଫ ଲାଲା ମୁଖ୍ୟ ସନ୍ଦିଗ୍ଧ ରହିଛି । ବେଆଇନ ବ୍ୟବସାୟରୁ ମିଳିଥିବା ଅର୍ଥର ଅଭିଷେକ ବାନାର୍ଜୀ ହିତାଧିକାରୀ ବୋଲି ଇଡି ପୂର୍ବରୁ ଦାବି କରିଥିଲାବେଳେ ସେ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଆସିଛନ୍ତି ।