ନୂଆଦିଲ୍ଲୀ: ପରଲୋକରେ ଅର୍ଥନୀତିଜ୍ଞ ଅଭିଜିତ୍ ସେନ (Abhijit Sen passed away) । ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଅର୍ଥନୀତିଜ୍ଞ ଅଭିଜିତ୍ ସେନ୍ ଯୋଜନା ଆୟୋଗର(Planning Commission) ପୂର୍ବତନ ସଦସ୍ୟ ଥିଲେ । ଏହାସହିତ ସେ ଗ୍ରାମୀଣ ଅର୍ଥବ୍ୟବସ୍ଥାର ଅଗ୍ରଣୀ ବିଶେଷଜ୍ଞ ମଧ୍ୟ ଥିଲେ । ସୋମବାର ରାତି ପ୍ରାୟ ୧୧ଟା ସମୟରେ ହୃଦଘାତରେ ସେ ପ୍ରାଣ ହରାଇଥିବା ନେଇ ତାଙ୍କ ଭାଇ ପ୍ରଣବ ସେନ୍ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ରାତି ପ୍ରାୟ ୧୧ଟା ସମୟରେ ଅଭିଜିତ୍ ସେନ ହୃଦଘାତରେ ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ବେଳକୁ ସେ ଆଖି ବୁଜିଥିଲେ । ଚାରି ଦଶକରୁ ଅଧିକ ସମୟ ଧରି ସେ ଦିଲ୍ଲୀ ସ୍ଥିତ ଜବହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟ(Jawaharlal Nehru University)ରେ ଅର୍ଥନୀତି ପଢାଇଥିଲେ । ଏହାବ୍ୟତୀତ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ସମୟରେ ସେ କମିଶନ ଅଫ୍ ଅଗ୍ରିକଲଚରାଲ କଷ୍ଟ ଆଣ୍ଡ ପ୍ରାଇସ (Commission of Agricultural Cost and Prices) ସମେତ ଅନେକଗୁଡିଏ ସରକାରୀ ପଦବୀରେ ରହିଥିଲେ । ତାଙ୍କର ଭାଇ ପ୍ରଣବ ସେନ ମଧ୍ୟ ଜାତୀୟ ପରିସଂଖ୍ୟାନ ଆୟୋଗ( National Statistical Commission)ର ଚେୟାରମ୍ୟାନ ଥିଲେ ।
ଏହାମଧ୍ୟ ପଢନ୍ତୁ: Coal Smuggling Case, ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଇଡିର ସମନ
ନୂଆଦିଲ୍ଲୀର ଏକ ବଙ୍ଗୀୟ ପରିବାରରେ ଅଭିଜିତ ସେନ ଜନ୍ମଗ୍ରହଣ କରିଥିଲେ । ସେ ସର୍ଦ୍ଦାର ପଟେଲ ବିଦ୍ୟାଳୟ ଏବଂ ସେଣ୍ଟ ଷ୍ଟିଫେନ କଲେଜରୁ ପଦାର୍ଥ ବିଜ୍ଞାନରେ ଅନର୍ସ ଡିଗ୍ରୀ ହାସଲ କରିଥିଲେ । ଏହାପରେ ୧୯୮୧ ମସିହାରେ କାମ୍ବ୍ରିଜ ବିଶ୍ବବିଦ୍ୟାଳରେ ଅର୍ଥନୀତିରେ ପିଏଚଡି ସମାପ୍ତ କରିଥିଲେ (PhD in Economics from Cambridge University) । ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଅଭିଜିତ ଯୋଜନା ଆୟୋଗର ସଦସ୍ୟ ରହିଥିଲେ ।