ଦେଶରେ ନୂତନ ଭାବେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଚାରି ଲକ୍ଷକୁ ଟପି ଯାଇଥିବା ସମୟରେ, ଏହି ଭୂତାଣୁର କୁପ୍ରଭାବ ଯୋଗୁଁ ବିଭିନ୍ନ କ୍ଷେତ୍ର ତଳିତଳାନ୍ତ ହେବାକୁ ବସିଛି । ବିଭିନ୍ନ ବୃତ୍ତି, ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଅଭାବନୀୟ ସଂକୋଚନ ପରିଲକ୍ଷିତ ହୋଇଥିବା ବେଳେ ଏସବୁ ଉପରେ ନିର୍ଭରଶୀଳ ଅସଂଖ୍ୟ ପରିବାର ଏବେ ଖୁବ୍ ଦୟନୀୟ ଅବସ୍ଥାରେ କାଳ କାଟିବାକୁ ବାଧ୍ୟ ହେଉଛନ୍ତି । ଏଇ କିଛି ଦିନ ପୂର୍ବରୁ ଯେଉଁମାନେ ବିଭିନ୍ନ ସମ୍ମାନଜନକ ବୃତ୍ତିରେ ରହି ପରିବାର ପ୍ରତିପୋଷଣ କରୁଥିଲେ, ସେମାନେ ଆଜି କ୍ଷୁଧାର ଜ୍ବାଳା ପ୍ରଶମନ କରିବା ଲାଗି ଛୋଟମୋଟ ଓ ଅପେକ୍ଷାକୃତ ଅଳ୍ପ ବେତନଯୁକ୍ତ ଚାକିରିକୁ ଏଥିପାଇଁ ଆପଣେଇ ନେଇଛନ୍ତି ଯେ, ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।
ସରକାରଙ୍କ ଆତ୍ମନିର୍ଭର ପ୍ୟାକେଜ୍ ସେମାନଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ର ଅନେକ ଆଶା ବାନ୍ଧିଥିଲା । ସେହି ସମସ୍ତ ଆଶା ଧୂଳିସାତ୍ ହୋଇଯିବା ପରେ ଏବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ପ୍ରାୟ ଏକ ତୃତୀୟାଂଶ ସଂସ୍ଥା ବନ୍ଦ ହେବା ହିଁ ସମାଧାନର ଏକମାତ୍ର ପନ୍ଥା ବୋଲି ଧରି ନେଇଛନ୍ତି । ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଦେଶର ଗ୍ରାମାଞ୍ଚଳରେ ବେକାରି ହାର 7.13 ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହା 9.78 ପ୍ରତିଶତ ରହିଛି । ଦେଶର ପାଞ୍ଚ କୋଟି ଲୋକଙ୍କୁ ଜୀବିକା ଅର୍ଜନର ସୁଯୋଗ ଦେଉଥିବା ଖୁଚୁରା କାରବାର କ୍ଷେତ୍ରର ଅବସ୍ଥା ଏବେ ଏକ ବୁଡ଼ି ଯାଉଥିବା ଜାହାଜ ସଦୃଶ ।
କୋରୋନାର ଦ୍ବିତୀୟ ଲହରକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁସବୁ ପ୍ରୋତ୍ସାହନମୂଳକ ପଦକ୍ଷେପ ଘୋଷଣା କରିଛି, ସେସବୁ ବାସ୍ତବରେ ଚମକପ୍ରଦ । ବୋଧହୁଏ, ବ୍ୟାବସାୟିକ କାରବାର ନିହାତି ତଳକୁ ଖସିବାର ଆଶଙ୍କା ନାହିଁ ବୋଲି କଳନା କରି କେବଳ ଋଣ ପରିଶୋଧର ସମୟସୀମା ସଂପ୍ରସାରଣ କରିଦେବା ହିଁ ଲୋକଙ୍କ ପାଇଁ ବରଦାନ ସଦୃଶ ହେବ ବୋଲି ରିଜର୍ଭ ବ୍ୟାଙ୍କ ସ୍ଥିର କରିଛି ।
ଦେଶରେ 12 କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନର ସାମର୍ଥ୍ୟ ରଖୁଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ଏବେ ଯେଉଁସବୁ ସମସ୍ୟା ଘେରରେ ରହିଛି, ସେଗୁଡ଼ିକ ହେଲା ପାଣ୍ଠିର ଅଭାବ, ଦିନକୁ ଦିନ ପୁରୁଣା ଋଣ ଉପରେ ସୁଧ ପରିମାଣ ବୃଦ୍ଧି ଏବଂ ବିଭିନ୍ନ ସରକାରୀ ସଂସ୍ଥା ଉପରେ ବକେୟା ରହିଥିବା ଅର୍ଥ । ଏହି ସବୁ ସମସ୍ୟାରୁ ମୁକୁଳି ପାରିଲେ ହିଁ ଲଘୁ ଶିଳ୍ପ କ୍ଷେତ୍ର ତିଷ୍ଠି ରହିପାରିବ ।
ଗତ ବର୍ଷର ଲକ୍ଡାଉନ୍ ଯୋଗୁଁ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଏକ ତୃତୀୟାଂଶ ଶ୍ରମିକଙ୍କ ଜୀବନଧାରା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଯଦିଚ ପରବର୍ତ୍ତୀ ସମୟରେ ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଳ୍ପ କେତେ ଜଣଙ୍କୁ ସ୍ବଳ୍ପ ରୋଜଗାରଯୁକ୍ତ ବୃତ୍ତିରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା, ତଥାପି ସଂଖ୍ୟାଧିକ ଶ୍ରମିକ ଏବେ ବି ଭୋକଉପାସରେ କାଳ କାଟିବାକୁ ବାଧ୍ୟ ହେଉଛନ୍ତି । ଦେଶର କୁଟୀର ଶିଳ୍ପ ଓ କ୍ଷୁଦ୍ର ବ୍ୟବସାୟ ସଂସ୍ଥାଗୁଡ଼ିକ ଦ୍ରୁତ ହାରରେ ଭୁଶୁଡ଼ି ପଡୁଥିବା ବେଳେ ଏଭଳି ବ୍ୟକ୍ତିଙ୍କ ତାଲିକା ମଧ୍ୟ ଦିନକୁ ଦିନ ଲମ୍ବିବାରେ ଲାଗିଛି ।
ସହରାଞ୍ଚଳରେ ନିଶ୍ଚିତ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବା ଲାଗି ଦାବି ହୋଇଆସୁଥିବା ବେଳେ ଏଥର କେନ୍ଦ୍ର ବଜେଟ୍ରେ ଏହା ସ୍ଥାନ ପାଇନାହିଁ । ବାସ୍ତବରେ, ଦୀର୍ଘ ଦିନ ପୂର୍ବରୁ ପ୍ରସ୍ତାବିତ ସହରାଞ୍ଚଳ ନିଶ୍ଚିତ ନିଯୁକ୍ତି ଯୋଜନାକୁ ମଧ୍ୟ ପ୍ରଦେଶ ସରକାର ଦୁଇ ବର୍ଷ ତଳେ କାର୍ଯ୍ୟକାରୀ କରାଇଥିଲେ ।
ଏଠାରେ ସ୍ମରଣଯୋଗ୍ୟ ଯେ, ଅଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟର ଏକ ଅନୁଧ୍ୟାନ ରିପୋର୍ଟରେ ପ୍ରଦତ୍ତ ପ୍ରସ୍ତାବ ଅନୁସାରେ ଶିକ୍ଷିତ ଯୁବ ବର୍ଗକୁ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଦେଶରେ ପାଞ୍ଚ କୋଟି ଚାକିରି ସୃଷ୍ଟି କରାଯାଇପାରିବ । ପ୍ରତି ପ୍ରଶିକ୍ଷାର୍ଥୀଙ୍କୁ ମାସିକ 13,000 ଟଙ୍କା ଭତ୍ତା ପ୍ରଦାନ ପାଇଁ ମଧ୍ୟ ଏଥିରେ ପ୍ରସ୍ତାବ ଦିଆଯାଇଥିଲା । ମୌଳିକ ସୁବିଧା ସୁଯୋଗ ପ୍ରଦାନ କ୍ଷେତ୍ରରେ ଉନ୍ନତି ଏବଂ ଯୁବ ବର୍ଗର ଦକ୍ଷତା ବୃଦ୍ଧି ଅଭିପ୍ରାୟ ନେଇ ସହରାଞ୍ଚଳରେ ନିଶ୍ଚିତ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରାଗଲେ ଏହା ବହୁବିଧ ଭାବରେ ଦେଶ ପାଇଁ ଲାଭଦାୟକ ସିଦ୍ଧ ହେବ ।
ଉପଯୁକ୍ତ ଜୀବିକା ଅର୍ଜନର ଉପାୟ ନଥିବା ଦେଶର 80 କୋଟି ହିତାଧିକାରୀଙ୍କୁ ମାସକୁ ପାଞ୍ଚ କିଲୋ ଖାଦ୍ୟ ଶସ୍ୟ ପ୍ରଦାନ ନିମନ୍ତେ ସରକାର ନେଇଥିବା ନିଷ୍ପତ୍ତି ବାସ୍ତବରେ ପ୍ରଶଂସାଯୋଗ୍ୟ । ଏହି ଯୋଜନାରେ ବାସ୍ତବ ହିତାଧିକାରୀଙ୍କ ସଂଖ୍ୟା ଯେଭଳି ହ୍ରାସ ନପାଏ, ସେ ଦିଗରେ ମଧ୍ୟ ସରକାର ପଦକ୍ଷେପ ନେବା ଉଚିତ । ଲୋକଙ୍କ ଭିତରେ କ୍ଷୁଧାର ଜ୍ବାଳା ପ୍ରଶମନ ସହିତ ସେମାନଙ୍କ ଜୀବନଧାରଣ କ୍ଷେତ୍ରରେ ସହାୟତା ପ୍ରଦାନ ନିମନ୍ତେ କେବଳ ବେକାର ସମସ୍ୟା ନିୟନ୍ତ୍ରଣ ଦିଗରେ ନୁହେଁ, ବରଂ ନିଯୁକ୍ତି ସୁଯୋଗ ସୃଷ୍ଟି ପରିସର ସଂପ୍ରସାରଣ ଦିଗରେ ମଧ୍ୟ ସରକାର ଲକ୍ଷ୍ୟ ରଖିବା ଉଚିତ ।