ନୂଆଦିଲ୍ଲୀ: ବଢିଲା ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ। ପୂର୍ବ ଅପେକ୍ଷା ଏଣିକି 10 ପ୍ରତିଶତ ଅଧିକ ଅର୍ଥ ବ୍ୟୟ କରିପାରିବେ ପ୍ରାର୍ଥୀ । ଏନେଇ ସୋମବାର ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂତନ ନିୟମ ବର୍ତ୍ତମାନ ନିର୍ବାଚନ ଠାରୁ ଲାଗୁ କରାଯିବ ।
ଏହି ସମ୍ପର୍କରେ ସୂଚନା ଦେଇ ପଞ୍ଜାବର ରାଜ୍ୟ ନିର୍ବାଚନ ଅଧିକାରୀ ଏସ କରୁଣା ରାଜୁ କହିଛନ୍ତି , କମିଶନ ପକ୍ଷରୁ ଦୁଇ ଜଣିଆ କମିଟି ଗଠନ କରାଯାଇଛି । ବର୍ତ୍ତମାନ ପଞ୍ଜାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ 70 ପରିବର୍ତ୍ତେ 77 ଲକ୍ଷ ଟଙ୍କା ଖର୍ଚ୍ଚ କରି ପାରିବେ । ସେହିଭଳି ବିଧାନସଭା ନିର୍ବାଚନରେ 28 ଲକ୍ଷ ପରିବର୍ତ୍ତେ 30.80 ଲକ୍ଷ ଟଙ୍କା ପ୍ରଚାର ପ୍ରସାରରେ ବ୍ୟୟ କରିବେ ।
ପୂର୍ବତନ ଆଇଆରଏସ ଅଧିକାରୀ ତଥା ଡିଜି ଅନୁସନ୍ଧାନ ହରିଶ କୁମାର ଏବଂ ମୁଖ୍ୟ ଶାସନ ସଚିବ ତଥା ଡିଜି ଉମେଶ ସିହ୍ନାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯାହା ପ୍ରତ୍ୟେକ ରାଜ୍ୟରେ ଭୋଟରଙ୍କ ସଂଖ୍ୟା ଏବଂ ସେହି ଅନୁପାତରେ ସାବଧାନତାର ସହ ଆକଳନ କରୁଛନ୍ତି । ଏଥିସହ ନିର୍ବାଚନ ଖର୍ଚ୍ଚ ଉପରେ ବର୍ଷ ବର୍ଷ ଧରି ବୃଦ୍ଧି ହୋଇଥିବା ମୁଦ୍ରାସ୍ପୀତିର ପ୍ରଭାବକୁ ମଧ୍ୟ କମିଟି ଆକଳନ କରିବ । ଏହା ଉପରେ ହୁଏତ ରାଜନୈତିକ ଦଳ ଠାରୁ ସାଧାରଣ ଜନତା ଆପତ୍ତି ଉଠାଇ ପାରନ୍ତି ।
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଏହି କମିଟି ଅନ୍ୟାନ୍ୟ ସମ୍ଭାବ୍ୟ ପ୍ରସଙ୍ଗକୁ ମଧ୍ୟ ବିଶ୍ଲେଷଣ କରିବ ଏବଂ ଉପରୋକ୍ତ ପ୍ରସଙ୍ଗ ବ୍ୟତୀତ ଗଠନ ହେବାର 120 ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ