ମୁମ୍ବାଇ: ଭୂମିକମ୍ପରେ ଥରିଲା ମହାରାଷ୍ଟ୍ରର କୋହ୍ଲାପୁର(earthquake hits Kolhapur) । ବୁଧବାର ମଧ୍ୟରାତ୍ରିରେ କୋହ୍ଲାପୁରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୧୨ଟା ୪ ମିନିଟ୍ ସମୟରେ ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି । ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୫ କିମି ତଳେ ଚିହ୍ନଟ ହୋଇଛି । ଏହାର କେନ୍ଦ୍ରସ୍ଥଳ କୋହ୍ଲାପୁରରୁ ୧୭୧ କିମି ଦୂର ପୂର୍ବରେ ଅବସ୍ଥିତ । ତେବେ ଭୂକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା ଘରଦ୍ବାର ନଷ୍ଟ ହୋଇଥିବାର ସୂଚନା ନାହିଁ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Centre for Seismology) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଅନ୍ୟପଟେ ବୁଧବାର ରାତିରେ ଜମ୍ମୁ-କଶ୍ମୀର କତାରରେ ମଧ୍ୟ ଭୂମିକମ୍ପ କମ୍ପନ ଅନୁଭୂତ ହୋଇଛି । କିଛି ସମୟ ବ୍ୟବଧାନରେ ଏଠାରେ ଦୁଇ ଦୁଇଥର ଭୂମିକମ୍ପ ଆସିଛି । ପ୍ରଥମେ ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ କତାରରେ ଭୂକମ୍ପ ସଂଘଠିତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ର ୪.୧ ରେକର୍ଡ କରାଯାଇଥିଲା । ଏହାର ଗଭୀରତା ମାଟିରୁ ୫ କିମି ତଳେ ରହିଛି । କତାର ୬୨ କିଲୋମିଟର ପୂର୍ବ-ଉତ୍ତର-ପୂର୍ବରେ ହୋଇଥିବା ଏହି ଭୂକମ୍ପ ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ ।
ଏହାପରେ ବୁଧବାର ରାତି ପ୍ରାୟ ୧୧ଟା ୫୨ ମିନିଟ୍ ସମୟରେ କତ୍ରାରେ ଦ୍ବିତୀୟଥର ଭୂମିକମ୍ପ ଝଟକା ଲାଗିଥିଲା । ଭୂକମ୍ପର ତୀବ୍ରତା ୩.୨ ରହିଥିବା ବେଳେ ଏହାର ଗଭୀରତା ଭୂପୃଷ୍ଠରୁ ୫ କିମି ତଳେ ଚିହ୍ନଟ କରାଯାଇଛି । କତାର ଠାରୁ ୬୦ କିମି ଦୂର ପୂର୍ବରେ ଏହି ମୃଦୁ ଭୂମିକମ୍ପ ସଂଘଠିତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦୁଇଟିଯାକ ଭୂମିକମ୍ପରେ କେହି ମୃତାହତ ହୋଇନାହାନ୍ତି କିମ୍ବା ଅନ୍ୟ କିଛି କ୍ଷୟକ୍ଷତି ଘଟିନାହିଁ । ଏହାପୂର୍ବରୁ ଜମ୍ମୁ ଓ କଶ୍ମୀରର ଦକ୍ଷିଣ-ଦକ୍ଷିଣପଶ୍ଚିମ ଅଞ୍ଚଳରେ ଥିବା ହାନ୍ଲୀ ଗ୍ରାମରେ ମଧ୍ୟ ୩.୧ ତୀବ୍ରତାର ମୃଦୁ ଭୂମିକମ୍ପ ଝଟକା ଲାଗିଥିଲା ।
ଉଲ୍ଲେଖଯୋଗ୍ୟ, ରିକ୍ଟର ସ୍କେଲରେ ୨.୦ କିମ୍ବା ତା' ଠାରୁ କମ୍ ତୀବ୍ରତା ଭୂମିକମ୍ପକୁ ମାଇକ୍ରୋଆର୍ଥକ୍ବେକ୍ (microearthquake) କୁହାଯାଏ । ଏହାକୁ ସାଧାରଣ ଲୋକେ ଅନୁଭବ କରିପାରନ୍ତି ନାହିଁ । ୩.୦ ରୁ ୩.୯ ତୀବ୍ରତାର ଭୂମିକମ୍ପକୁ ମାଇନର କୁହାଯାଏ । ସେହିପରି ୪.୦ରୁ ୪.୯ ତୀବ୍ରତା ସମ୍ପନ୍ନ ଭୂମିକମ୍ପକୁ ଲାଇଟ୍ ଆର୍ଥକ୍ବେକ୍ କୁହନ୍ତି । ୫ରୁ ୬ ତୀବ୍ରତା ଭୂମିକମ୍ପରେ ଆଂଶିକ କ୍ଷୟକ୍ଷତି ଘଟିପାରେ । ୭ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅଧିକ କ୍ଷତି କରିଥାଏ ।