ନୂଆଦିଲ୍ଲୀ: ମଝି ସମୁଦ୍ରରେ ହେଲା ଭୂମିକମ୍ପ । ଗତକାଲି(ରବିବାର) ବିଳମ୍ବିତ ରାତିରେ ବଙ୍ଗୋପସାଗରରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ତେବେ ସମୁଦ୍ରରେ ଭୂମିକମ୍ପ ଯୋଗୁଁ କୌଣସି କ୍ଷତକ୍ଷତିର ସୂଚନା ନାହିଁ । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବର ଟ୍ବିଟର) ଜରିଆରେ ସୂଚନା ଦିଆଯାଇଛି । ରବିବାର ରାତି ୧ଟା ୨୯ରେ ଏହି ଭୂକମ୍ପ କମ୍ପନ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୭୦ କିଲୋମିଟର ରହିଛି ।
ଏହାପୂର୍ବରୁ ଶନିବାର ତ୍ରିପୁରାର ଧର୍ମାନଗରରେ ୪.୪ ତୀବ୍ରତାର ଭୂମିକମ୍ପ ସଂଘଠିତ ହୋଇଥିଲା । ଏଥିରେ କାହାର କିଛି କ୍ଷତି ଘଟିନଥିଲା । ବର୍ତ୍ତମାନ ସମୟରେ ପ୍ରତିଦିନ ଦେଶ ବିଦେଶରୁ ଭୂମିକମ୍ପର ଖବର ଆସୁଛି । ଶୁକ୍ରବାର ବିଳମ୍ବିତ ରାତିରେ ଆଫ୍ରିକୀୟ ଦେଶ ମରକ୍କୋରେ ଭୂମିକମ୍ପ ମୃତ୍ୟୁର ତାଣ୍ଡବ ରଚିଥିଲା । ଦେଶରେ ୬.୮ ତୀବ୍ରତାର ଭୂମିକମ୍ପ କମ୍ପନ ପରେ ଧନଜୀବନ ମାଟିରେ ମିଶି ଯାଇଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ମରକ୍କୋରେ ୨୦୦୦ରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଏବେ ବି ଅନେକ ଲୋକଙ୍କ ପତ୍ତା ମିଳୁନି । ଶତାଧିକ ଘର ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି । ଆହୁରି ଅନେକ ଲୋକ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଇ ରେସ୍କ୍ୟୁ ଅପରେସନ ଜାରି ରହିଛି । ବିଗତ ୬ ଦଶନ୍ଧି ମଧ୍ୟରେ ମରକ୍କୋରେ ଏହା ସବୁଠୁ ଭୟାନକ ଭୂମିକମ୍ପ ବୋଲି କୁହାଯାଇଛି ।
ଏହାମଧ୍ୟ ପଢନ୍ତୁ: Morocco Earthquake: ମରକ୍କୋରେ ୨୦୦୦ ଟପିଲା ମୃତ୍ୟୁସଂଖ୍ୟା, ରେସ୍କ୍ୟୁ ଅପରେସନ ଜାରି
ଚଳିତ ବର୍ଷ ଆରମ୍ଭରେ ତୁର୍କୀ ଓ ସିରିଆରେ ଭୂମିକମ୍ପ ମୃତ୍ୟୁ ବିଭୀଷିକା ରଚିଥିଲା । ଦୁଇ ଦେଶରେ ଲଗାତାର ଶକ୍ତିଶାଳୀ ଭୂକମ୍ପ ସଂଘଠିତ ହେବା କାରଣରୁ ହଜାର ହଜାର ଜୀବନ ଦୀପ ଲିଭି ଯାଇଥିଲା । ଏଥିରେ ଦୁଇ ଦେଶର ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । କେବଳ ତୁର୍କୀରେ ୪୪ରୁ ଊର୍ଦ୍ଧ୍ବ ପ୍ରାଣ ହରାଇଥିବା ବେଳେ ସିରିଆରେ ମୃତ୍ୟୁସଂଖ୍ୟା ୫ ହଜାରରୁ ଅଧିକ ଥିଲା । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ତୁର୍କୀ ଇତିହାସରେ ଥିଲା ପ୍ରଥମ । ସେହି ସମୟର କରୁଣ ଦୃଶ୍ୟ ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଥିଲା ।
ଏହାମଧ୍ୟ ପଢନ୍ତୁ: ଅନେକ ବଡ ଭୂମିକମ୍ପ ଦେଖିଛି ବିଶ୍ବ: ଲିଭିଥିଲା ଜୀବନ ଦୀପ, ମାଟିରେ ମିଶିଥିଲା ଅଟ୍ଟାଳିକା