ନୂଆଦିଲ୍ଲୀ: ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । କ୍ଲାସ ମନିଟରରୁ ସୁପ୍ରିମୋ କମାଣ୍ଡର ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି ଗର୍ବିତ ପ୍ରତିଟି ଓଡିଆ । ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ସ୍ବାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ଓ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସର୍ବକନିଷ୍ଠ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ସଂସଦର କେନ୍ଦ୍ରୀୟ ହଲରେ ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହେବା କ୍ଷଣି ଜୟ ଜଗନ୍ନାଥ ଉଚ୍ଚାରଣରେ କମ୍ପି ଉଠିଥିଲା ସଂସଦ ଭବନର ସେଣ୍ଟ୍ରାଲ ହଲ । ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା । ସମୟ ୧୦ଟା 14ରେ ଦ୍ରୌପଦୀ ମୁର୍ମୁ ଶପଥ ନେବା ପରେ ଓଡ଼ିଶା ଓ ଦେଶ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ସେ ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ ଭାବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି । ଜଣେ ଓଡ଼ିଆ ଝିଅର ଏପରି ସଫଳତା ପାଇଁ ରାଜଧାନୀରୁ ରାଇରଙ୍ଗପୁର ଯାଏଁ ଉତ୍ସବର ମାହୋଲ । ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି ସମସ୍ତେ ଗର୍ବ ଅନୁଭବ କରୁଛନ୍ତି ।
ଶପଥ ଗ୍ରହଣ ସମାରୋହ ପୂର୍ବରୁ ଦୀକ୍ଷିତ ଲେନରେ ଥିବା ଅସ୍ଥାୟୀ ବାସଭବନରୁ ବାହାରି ପ୍ରଥମେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଦ୍ରୌପଦୀ ମୁର୍ମୁ । ଏହାପରେ ରାଷ୍ଟ୍ରପତି ଭବନ ଯାଇ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କୁ ଭେଟିଥିଲେ । ସେଠାରୁ ସଂସଦ ଭବନ ଅଭିମୁଖେ ବାହାରିଥିଲେ । ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରୀୟ ସଲାମୀ ଦିଆଯାଇଥିଲା । ସଲାମୀ ପରେ ଉଭୟ ଗାଡ଼ିରେ ଅଶ୍ୱ ଅଙ୍ଗ ରକ୍ଷକଙ୍କ ସହ ସଂସଦର ସେଣ୍ଟ୍ରାଲ ହଲରେ ପହଞ୍ଚିଥିଲେ । ଏହି ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ପ୍ରଥମେ ନୌସେନା, ପରେ ବାୟୁସେନା ଓ ଶେଷରେ ସ୍ଥଳ ସେନାର ଯବାନମାନେ ତାଙ୍କୁ ଗାର୍ଡ ଅଫ ଅନର ଦେବାକୁ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ସାଲ୍ୟୁଟ କରିଥିଲେ । ସଂସଦ ଭବନରେ ପହଞ୍ଚିବା ପରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ବାଚସ୍ପତି ଓମ୍ ବିର୍ଲା । ଏହାପରେ ଦ୍ରୈପଦୀ ମୁର୍ମୁଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଧିବଦ୍ଧ ଭାବେ ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ ।
ଏହା ବି ପଢନ୍ତୁ...ଦ୍ରୌପଦୀ ମୁର୍ମୁ: ପସନ୍ଦ କରନ୍ତି ନିରାମିଷ ଖାଦ୍ୟ, ପିନ୍ଧିବାକୁ ଭଲ ପାଆନ୍ତି ସାନ୍ତାଳୀ ଶାଢୀ
ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା, ଗୃହମନ୍ତ୍ରୀ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କ୍ୟାବିନେଟ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ଭାରତ ସରକାରଙ୍କ ବେସାମରିକ ଏବଂ ସାମରିକ ଅଧିକାରୀମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର 21 ସାଂସଦ ମଧ୍ୟ ସାମିଲ ହୋଇଥିଲେ ।