ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାରେ ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ଜଣେ 14 ବର୍ଷୀୟା ନାବାଳିକାଙ୍କ ପେଟରୁ ଅଢେଇ କେଜି(2 କିଲୋଗ୍ରାମ 500 ଗ୍ରାମ) ଓଜନର କେଶ ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଛନ୍ତି । ତେବେ ନାବାଳିକାଟିର ନିଜ କେଶ ଛିଡାଇବା ଓ ଖାଇବାର ଅଭ୍ୟାସ ଥିଲା । ଫଳରେ ତାର ପାକସ୍ତଳୀରେ କେଶର ଏକ ଗୁଚ୍ଛା ଜମି ରହିଥିଲା । ହେଲେ ପିଲାଟିର ଏହି ଅଭ୍ୟାସ ସମ୍ପର୍କରେ ପିତା-ମାତା ମଧ୍ୟ ଅଜ୍ଞାତ ଥିଲେ । ହେଲେ ପରେ ସମସ୍ୟା ଦେଖାଯିବା ପରେ ଡାକ୍ତର ପରାମର୍ଶ କରାଯାଇଥିଲା । ପରୀକ୍ଷା ପରେ ନାବାଳିକାର ପେଟରେ ଏକ କେଶ ଗୁଚ୍ଛା ଜମାଟ ବନ୍ଧିଥିବା ଜଣାପଡିଥିଲା । କେବଳ ଅସ୍ତ୍ରୋପଚାର ମାଧ୍ୟମରେ ଏହାକୁ ପେଟରୁ ବାହାର କରାଯାଇପାରିବା ନେଇ ଡାକ୍ତର କହିଥିଲେ । ଯାହା ଶେଷରେ ସଫଳତାର ସର ଶେଷ ହୋଇଛି ।
ପରିବାର ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ଧରି ନାବାଳିକାଜଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି ମଧ୍ୟ କରିବାକୁ ଲାଗିଥିଲେ । ନିୟମିତ ଏପରି ସମସ୍ୟା ଦେଖାଯିବା ପରେ ଡାକ୍ତର ସିଟି ସ୍କାନ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ନାବାଳିକାର ପେଟରେ ଏକ ବଡ କେଶ ଗୁଚ୍ଛା ଜମାଟ ବାନ୍ଧିଥିବା ସ୍ପଷ୍ଟ ହୋଇଥିଲା । ଯାହା କେବଳ ଅପରେସନ ମାଧ୍ୟମରେ ବାହାର କରାଯିବା ନେଇ ଡାକ୍ତର କହିଥିଲେ ।
କ’ଣ କୁହନ୍ତି ଡାକ୍ତର: ତେବେ ଏପରି ସମସ୍ୟା ସମ୍ପର୍କରେ ଡାକ୍ତର କୁହନ୍ତି, କେଶ ଖାଇବା ଅଭ୍ୟାସ ମଧ୍ୟ ଏକ ରୋଗ । ଏହାକୁ ଚିକିତ୍ସା ବିଜ୍ଞାନରେ ‘‘ଟ୍ରାଇକୋଫାଗିଆ’’ ବୋଲି କୁହାଯାଏ । ଏଥିରେ ଶିକାର ବ୍ୟକ୍ତି କିମ୍ବା ମହିଳା ମୁଣ୍ଡରୁ ନିଜ କେଶ ଛିଡାଇ ଖାଇବାର ଅଭ୍ୟାସରେ ଅଭ୍ୟସ୍ତ ହୋଇଥାନ୍ତି । କେଶ ଏକ ଟିସୁ ହୋଇଥିବା କାରଣରୁ ଏହା ପାକସ୍ତଳୀରେ ପହଞ୍ଚିଲେ ସୁଦ୍ଧା ଏହା ଖାଦ୍ୟ ପରି ହଜମ ହୋଇପାରିନଥାଏ, ବରଂ ପାକସ୍ତଳୀରେ ଜମା ହୋଇ ରହିଥାଏ । ନିୟମିତ ଏପରି କରିବା ଫଳରେ ଏହା କ୍ରମଶଃ ପାକସ୍ତଳୀରେ ଜମି ରହି ଏହି ଗୁଚ୍ଛାର ଆକାର ନେଇଥାଏ । ଏହି ଗୁଚ୍ଛାର ଆକାର ବଢିବା ସହ ପାଚନ କ୍ରିୟାରେ ବାଧା ସୃଷ୍ଟି ହେବା ସହ ଯନ୍ତ୍ରଣା ହେବା ଆରମ୍ଭ ହୋଇଥାଏ । ପ୍ରବଳ ଯନ୍ତ୍ରଣା ସାଙ୍ଗକୁ ବାନ୍ତି ମଧ୍ୟ ହୋଇଥାଏ ।
ବିଳମ୍ବ ହେଲା ହୋଇପାରେ ଘାତକ: ଏହାକୁ ସଠିକ ସମୟରେ ପରୀକ୍ଷା ଦ୍ବାରା ନିରୂପଣ କରିବା ସହ ଅସ୍ତ୍ରୋପଚାର କରି ନବାହାର କଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ । ଏହା ଅଧିକ ସମୟ ଧରି ପାକସ୍ତଳୀରେ ଜମା ହୋଇ ରହିଲେ, ପାକସ୍ତଳୀର ଭିତର ପରସ୍ତ ଓ ଅନ୍ତନଳୀରେ ଛିଦ୍ର ମଧ୍ୟ କରିପାରେ । ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ଥିବା ଡାକ୍ତର ମତ ଦିଅନ୍ତି । କିନ୍ତୁ ଏହି ନାବାଳିକା କ୍ଷେତ୍ରରେ ଏହି ଅପରେସନ ସଫଳ ହୋଇଛି । ଯେଉଁଥିରେ ପ୍ରାୟ ଅଢେଇ କେଜି ଓଜନର କେଶ ବାହାର କରିବାରେ ଡାକ୍ତରୀ ଟିମ ସଫଳତା ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ