ମୁମ୍ବାଇ: ଭିନ୍ନ ଢଙ୍ଗରେ ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହାବିକାଶ ଅଗାଡି ମେଣ୍ଟ ସରକାରଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ । ମୁମ୍ବାଇ ସହରରେ ଲାଗି ରହିଥିବା ଟ୍ରାଫିକ ସମସ୍ୟା ଯୋଗୁ ସହରରେ ୩ ପ୍ରତିଶତ ଛାଡପତ୍ର ଘଟଣା ଘଟିଥିବା କହିଛନ୍ତି ଅମୃତା ।
ଅମୃତା କହିଛନ୍ତି ସେ ଜଣେ ସାଧାରଣ ମୁମ୍ବାଇବାସୀ ଭାବେ ସହରର ଟ୍ରାଫିକ ସମସ୍ୟାର ଭୂକ୍ତଭୋଗୀ । ଯେତେବେଳେ ବିଭିନ୍ନ କାମରେ ସେ ବାହାରକୁ ଯାଆନ୍ତି, ସେତେବେଳେ ସେ ପ୍ରତିଦିନ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମୁମ୍ବାଇରେ ଟ୍ରାଫିକ ସମସ୍ୟ ଏପରି ସ୍ଥିତିରେ ପହଞ୍ଚିଲାଣି, ଲୋକମାନେ ରାସ୍ତାରେ ଘଣ୍ଟାଘଣ୍ଟା ଫସି ରହିବା କାରଣରୁ ପରିବାରକୁ ସମୟ ଦେଇପାରୁ ନାହାନ୍ତି । ତେଣୁ ଏପରି ତ୍ରୁଟି ଉପରେ ସେ ପ୍ରାଥମିକତାର ସହ ଦୃଷ୍ଟି ଦେବାକୁ ମହାରାଷ୍ଟ୍ର ସରକାରଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ଅମୃତା ।
ଆଜି ଏକ କାର୍ଯ୍ୟକ୍ରମ ଅବସରରେ ସେ ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ଏପରି ଅଭିଯୋଗ ଆଣି ଉଦ୍ଧବଙ୍କ ମହାବିକାଶ ଅଗାଡି ମେଣ୍ଟକୁ ଟାର୍ଗେଟ କରିଥିଲେ । ମହାବିକାଶ ଅଗାଡି ମେଣ୍ଟ ସରକାର ବର୍ତ୍ତମାନ ସ୍ବେଚ୍ଛାଚାରୀ ଶାସନ ଚଳାଇଥିବା ମଧ୍ୟ ସେ ଅଭିଯୋଗ କରଛନ୍ତି । ତେବେ ଅମୃତାଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁମ୍ବାଇ ମେୟର କିଶୋରୀ ପେଡେନାକର । ସେ ଛାଡପତ୍ର ପାଇଁ ଏପରି କାରଣ ପ୍ରଥମ ଶୁଣୁଥିବା କହି ଅମୃତାଙ୍କୁ ପରିହାସ କରିଛନ୍ତି ।
ANI