ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିର ଆବାସିକ ଠିକଣା, ଫୋନ ନମ୍ବର, ଆଧାର, ପାନ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ବେତନ ଓ ଆୟକର ସମ୍ପର୍କିତ ତଥ୍ୟ ଏକ ଆବଶ୍ୟକତାରେ ପରିଣତ ହୋଇଛି । ବିଭିନ୍ନ କ୍ଷେତ୍ରରେ ଏହାର ଆବଶ୍ୟକତା ଓ ବ୍ୟବହାରକୁ ବାଧ୍ୟତାମୂଳକ ମଧ୍ୟ କରାଯାଇଛି । ହେଲେ ଏହି ଗୋପନୀୟ ତଥା ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ନେଇ ଉଠୁଛି ପ୍ରଶ୍ନବାଚୀ । ଏହାକୁ ଚୋରି କରି ବିଭିନ୍ନ ସମୟରେ ସାଇବର କ୍ରାଇମ ଘଟଣା ମଧ୍ୟ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । ଜଣେ ବ୍ୟକ୍ତିଙ୍କ ଗୋପନୀୟତା ତାଙ୍କର ମୌଳିକ ଅଧିକାର ବୋଲି ସର୍ବୋଚ୍ଚ କୋର୍ଟ ନିକଟରେ ତାଙ୍କ ରାୟରେ ସ୍ପଷ୍ଟ ମଧ୍ୟ କରିଛନ୍ତି । ହେଲେ ଏହି ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ସମ୍ପର୍କିତ ନିୟମ ଭାରତରେ କାର୍ଯ୍ୟକାରୀ ନଥିବାରୁ ଏହି ସବୁ ତଥ୍ୟର ଗୋପନୀୟତା ତଥା ସୁରକ୍ଷା ବାଧାପ୍ରାପ୍ତ ହେବା ସହ ସାଇବର କ୍ରାଇମ ଏକ ବଡ ଆହ୍ବାନ ସଦୃଶ ଛିଡା ହୋଇଛି ।
ଦେଶରେ ବର୍ତ୍ତମାନ ଡିଜିଟାଲ ଡାଟା ସୁରକ୍ଷା ସମ୍ପର୍କିତ ନିୟମାବଳୀ କାର୍ଯ୍ୟକାରିତା ଅଭାବରୁ ସାଇବର ଠକମାନେ ଏହି ସମ୍ପର୍କିତ ଅପରାଧକୁ ଏକ ସହଜ ଦିଗ ଭାବେ ବାଛି ନେଲେଣି । ଗତ 5ବର୍ଷ ଧରି ସରକାର ବ୍ୟକ୍ତିଗତ ସୂଚନା ସୁରକ୍ଷା ଅଧିନିୟମ (Personal Information Protection Act) ନେଇ ବିଚାର ବିମର୍ଶ ଜାରି ରଖିଥିଲେ ସୁଦ୍ଧା ଏହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିସ୍କର୍ଷରେ ପହଞ୍ଚି ପାରିନାହାନ୍ତି । ଗତବର୍ଷଠାରୁ କେନ୍ଦ୍ର ସରକାର ଡିଜିଟାଲ ଡାଟା ସୁରକ୍ଷା ବିଧେୟକ (DDP) ନେଇ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତି ଜାରି ରଖିଛନ୍ତି ଓ ଏ ସମ୍ପର୍କରେ ପରାମର୍ଶ, ପ୍ରସ୍ତାବ ମଧ୍ୟ ମାଗିଛନ୍ତି । କ୍ୟାବିନେଟରେ ଅନୁମୋଦନ ପାଇସାରିଥିବା ଏହି ବିଧେୟକ ସଂସଦର ଚଳିତ ମୌସୁମୀ ଅଧିବେଶନରେ ଆଗତ ହେବା ନେଇ ପ୍ରାୟତଃ ଅନୁମାନ ମଧ୍ୟ କରାଯାଉଛି । ଏହି ବିଲ୍ର ଚିଠା ପ୍ରସ୍ତାବ ସର୍ତ୍ତାବଳୀ ଅନୁସାର, ବିଭିନ୍ନ ସେବା ପ୍ରଦାନ କରିବା ପାଇଁ ସାଧାରଣ ଜନତାଙ୍କ ଗୋପନୀୟ ତଥ୍ୟ ସଂଗ୍ରହ କରୁଥିବା ଓ ଗୋପନୀୟତା ବଜାୟ ରଖିବାରେ ବିଫଳ ହେଉଥିବା କମ୍ପାନୀଗୁଡିକୁ 250 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିବ ।
ତେବେ ଏହି ଡାଟା ସୁରକ୍ଷା ବିଲ ପାରିତ ହୋଇ ଆଇନରେ ପରିଣତ ହେବା ପରେ ଏହା ସୂଚନା ଅଧିକାର ଆଇନକୁ ଦୁର୍ବଳ କରିଦେବ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ଗଠନ ହେବାକୁ ଥିବା ଡାଟା ସୁରକ୍ଷା ବୋର୍ଡର ସ୍ବାଧୀନତାକୁ ନେଇ ମଧ୍ୟ ଦ୍ବନ୍ଦ୍ବ ଉଠିଛି । ରିପୋର୍ଟରୁ ଏହା ମଧ୍ୟ ଜଣାପଡୁଛି, କେନ୍ଦ୍ର ସରକାର ଏହି ବିଲ୍କୁ ପାରିତ କରିବା ବେଳେ ଜନମତ ସଂଗ୍ରହ ପ୍ରକ୍ରିୟାରେ ଏହାର ବିଭିନ୍ନ ଦିଗକୁ ନେଇ ଉଠିଥିବା ଆହ୍ବାନ ଓ ପ୍ରଶ୍ନକୁ ଚର୍ଚ୍ଚା ନକରି ଏଡାଇ ଯାଇପାରନ୍ତି ।
ନିକଟରେ ଏକ ଅନ୍ତର୍ଜାତୀୟ ସର୍ଭେରୁ ଜଣାପଡିଥିବା ତଥ୍ୟ ଅନୁସାରେ, ତଥ୍ୟ ଚୋରି ସମ୍ପର୍କିତ ଅପରାଧରେ ଭାରତ ସମଗ୍ର ବିଶ୍ବର ଦ୍ବିତୀୟ ସ୍ଥାନରେ ରହିଛି । ବିଶେଷ ଭାବେ ସ୍ବାସ୍ଥ୍ୟସେବା ଓ ରିଟେଲ ସେକ୍ଟର ସାଇବର କ୍ରାଇମରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି । ସେହିପରି ଶିକ୍ଷା ପ୍ରତିଷ୍ଠାନ, ବୈଷୟିକ ଓ ବୃତ୍ତିଗତ କ୍ଷେତ୍ର, ସାଧାରଣ ପ୍ରଶାସନ ପରି କ୍ଷେତ୍ର ମଧ୍ୟ ଏହି ସାଇବର ଆଟାକରୁ ମୁକ୍ତ ନୁହନ୍ତି ।
ଗତବର୍ଷ (2022)ରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (AIIMS) ଏକାଧିକ ଥର ହ୍ୟାକିଂର ସମ୍ମୁଖୀନ ହୋଇଛି । ସେହିପରି ବର୍ଷ 2022 ରେ ପ୍ରାୟ 3 କୋଟି ଭାରତୀୟ ରେଳଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ମଧ୍ୟ ସାଇବର ହ୍ୟାକର୍ସଙ୍କ ଦ୍ବାରା ଚୋରି କରାଯାଇଛି । ଉତ୍ତର ପ୍ରଦେଶର ଏକ ସାଇବର ଗ୍ୟାଙ୍ଗ ପ୍ରାୟ 17 କୋଟି ଲୋକଙ୍କ ଗୋପନୀୟ ଡାଟା ଚୋରି କରିଥିବା ତଦନ୍ତରୁ ଜଣାପଡିଥିଲା । ସେହିପରି ତେଲେଙ୍ଗାନା ପୋଲିସର ସାଇବର ସେଲ ମଧ୍ୟ ପ୍ରାୟ 67 କୋଟି ଭାରତୀୟ ଗୋପନୀୟ ତଥ୍ୟ ଚୋରି କରିଥିବା ଏକ ହାଇପ୍ରୋଫାଇଲ ସାଇବର ଠକଙ୍କ ଏକ ଗ୍ୟାଙ୍ଗକୁ ଠାବ କରିଥିଲା ।
ଏହା ମଧ୍ୟ ପଢନ୍ତୁ:-Uniform Civil Code: ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ସଙ୍କେତ, ଦୁଇଟି ଆଇନରେ ଦେଶ ଚାଲିପାରିବ ନାହିଁ
ବର୍ତ୍ତମାନ ସମୟରେ ସମଗ୍ର ବିଶ୍ବରେ 157 ରାଷ୍ଟ୍ର ସେମାନଙ୍କ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ନିରପତ୍ତା ନେଇ ସ୍ବତନ୍ତ୍ର ଆଇନ ଲାଗୁ କରିସାରିଲେଣି । ଭାରତ ପରି ବିଶାଳ ତଥା ଜନସଂଖ୍ୟା ବହୁଳ ରାଷ୍ଟ୍ରରେ ପ୍ରାୟ 80 କୋଟି ନାଗରିକ ଇଣ୍ଟରନେଟ ସେବା ବ୍ୟବହାର କରୁଛନ୍ତି । ତଥାପି ଭାରତରେ ଏପରି ନିୟମର ଅଭାବ ସାଇବର ଅପରାଧୀଙ୍କୁ ସକ୍ରିୟ ହେବାର ଖୋରକ ଯୋଗାଇବାରେ ଲାଗିଛି । ଏକାଧିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକାଧିକ ସାଇଟ ଓ ଆପ୍ଲିକେସନ ତୁରନ୍ତ ବ୍ୟବହାରକାରୀଙ୍କ ଗୋପନୀୟ ଡାଟା ସଂଗ୍ରହ କରୁଛନ୍ତି । ପରେ ଏହାର ସୁରକ୍ଷା ଓ ଗୋପନୀୟତା ବଜାୟ ରଖିବାରେ ସେମାନେ ସକ୍ଷମ ହେଉନଥିବା ମଧ୍ୟ ଏକାଧିକ ଘଟଣାରୁ ସ୍ପଷ୍ଟ ହୋଇଛି । ତେବେ ବର୍ତ୍ତମାନ ସମୟର ସାଇବର କ୍ରାଇମ ପରି ଡିଜିଟାଲ ଆହ୍ବାନ ମଧ୍ୟରେ କେନ୍ଦ୍ର ସରକାର ଜାରି ରଖିଥିବା ‘ଡିଜିଟାଲ ଇଣ୍ଡିଆ’ ମିଶନକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ହେଲେ ବ୍ୟକ୍ତିଗତ ଡାଟା ସୁରକ୍ଷା ନେଇ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢାଇବାକୁ ପଡିବ । ତେଣୁ ଭାରତରେ ଡାଟା ସୁରକ୍ଷା ଅଧିନିମୟ ଯଥାଶିଘ୍ର ଲାଗୁ ହେବାର ଆବଶ୍ୟକତା ମଧ୍ୟ ସ୍ପଷ୍ଟ ଅନୁଭବ ହେଉଛି ।
ଇନାଡୁ ସମ୍ପାଦକୀୟ