ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଦିଲ୍ଲୀବାସୀଙ୍କ ଜନଜୀବନ । ଶନିବାର ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଏ ନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ଦିଲ୍ଲୀର ଆନନ୍ଦ ବିହାରରେ ବାୟୁ ଗୁଣବତ୍ତା ସୂଚକାଙ୍କ 317 ରେ ରେକର୍ଡ କରାଯାଇଛି। ସେହିପରି ଆଇଟିଓରେ 272, ଜବାହରଲାଲ ନେହେରୁ ଷ୍ଟାଡିୟମରେ 292 ଓ ଶାଦିପୁର 364 ରେକର୍ଡ କରାଯାଇଛି । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି ।
ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ 0-5 ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । 51-100 ମଧ୍ୟରେ ରହିଲେ ସନ୍ତୋଷଜନକ ଓ 101-200 ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । 201-300 ଖରାପ ଏବଂ 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ 401-500 ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।
ସକାଳ ୧୦ଟା ସମୟରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ 253 (ଗମ୍ଭୀର) ଓ ଅପରାହ୍ନ ୨ଟା ବେଳେ ୧୨୨ (ଅତି ଗମ୍ଭୀର) ରେକର୍ଡ କରାଯାଇ ଥିଲା । ସେପଟେ, ଆଇଏମଡି କହିଛି ଯେ ଶନିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ସେଲସିୟସ ଭିତରେ ସମ୍ଭାବନା ରହିଥିବାବେଳେ ସର୍ବାଧିକ ତାପମାତ୍ରା 30 ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ