ନୂଆଦିଲ୍ଲୀ: ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଜାତୀୟ ରାଜଧାନୀରେ ବଦମାସଙ୍କୁ ସାବାଡ କରିବାକୁ ଏବଂ ଅପରାଧର ମୂଳପୋଛ ପାଇଁ ଅଣ୍ଟା ଭିଡିଛି ପୋଲିସ । କ୍ରାଇମବ୍ରାଞ୍ଚ, ସ୍ବତନ୍ତ୍ର ସେଲ ସମେତ ଦିଲ୍ଲୀର ବିଭିନ୍ନ ପୋଲିସ ଷ୍ଟେସନର ପୋଲିସ ଟିମର ମିଳିତ ସହଯୋଗରେ ଗତ 6 ମାସ ମଧ୍ୟରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ପ୍ରାୟ 2,400 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଦୁର୍ବୃତ୍ତଙ୍କ ନିକଟରୁ 1700 ରୁ ଉର୍ଦ୍ଧ୍ବ ସଂଖ୍ୟକ ବିଭିନ୍ନ ହାତ ହତିଆର ଜବତ ହୋଇଛି ।
ଦିଲ୍ଲୀ ପୋଲିସ ମୁଖପାତ୍ର ଡ. ଇଶ ସିଂଘଲଙ୍କ କହିବା ଅନୁଯାୟୀ, ଦିଲ୍ଲୀ ପୋଲିସ କମିଶନର ଶ୍ରୀବାସ୍ତବଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପୋଲିସ ଗତ ଜୁନ ପହିଲାରୁ ନଭେମ୍ବର 30 ପର୍ଯ୍ୟନ୍ତ 2 ହଜାର 40ଟି ଆର୍ମସ୍ ଆକ୍ଟ ମାମଲା ରୁଜୁ ହୋଇଛି । ଯେଉଁଥିରେ ପୋଲିସ 2 ହଜାର 431 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ 1 ହଜାର 702ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଛି । ଜବତ ହତିଆର ମଧ୍ୟରେ 1 ହଜାର 493 ଟି ଦେଶୀ ପିସ୍ତଲ, 195 ଟି ରିଭଲଭର ଏବଂ 14ଟି ରାଇଫଲ ରହିଛି । ଏହାବ୍ୟତୀତ ପୋଲିସ 3 ହଜାର 198 ଟି କାଟ୍ରିଜ ଜବତ କରିଥିବା ଦିଲ୍ଲୀ ପୋଲିସ ମୁଖପାତ୍ର ସୂଚନା ଦେଇଛନ୍ତି ।
ତେବେ ଏହି ଅଭିଯାନରେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଦ୍ବାରକା ଜିଲ୍ଲାର ଏକ ସ୍ବତନ୍ତ୍ର କର୍ମଚାରୀ ଦଳ ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କୁ ଗିରଫ କରିଥିଲେ । ଡିସିପି ସନ୍ତୋଷ ମୀଣାଙ୍କ ତତ୍ତ୍ବାବଧାନରେ ଇନ୍ସପେକ୍ଟର ନବୀନ କୁମାରଙ୍କ ଟିମ 8ଟି ଅତ୍ୟାଧୁନିକ ପିସ୍ତଲ ଏବଂ 15ଟି ଲାଇଭ କାର୍ଟ୍ରିଜ ଉଦ୍ଧାର କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ