ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଅଭିଯୁକ୍ତ ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟରେ ପ୍ରତ୍ୟେକ୍ଷ ହାଜର କରିବା ପାଇଁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ମିଳିଛି । ମାମଲାର ଆସନ୍ତା ଶୁଣାଣିଠାରୁ ସିସୋଦିଆଙ୍କୁ କୋର୍ଟରେ ଭର୍ଚ୍ଚୁଆଲି ନୁହେଁ ବରଂ ସିଧା ହାଜର କରିବ ଦିଲ୍ଲୀ ପୋଲିସ । ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଏହି ନିର୍ଦ୍ଦେଶ ଶୁଣାଇଛନ୍ତି । କୋର୍ଟରେ ହାଜର କରିବା ବେଳେ ସୁରକ୍ଷା ସମ୍ପର୍କିତ କାରଣରୁ ସିସୋଦିଆଙ୍କୁ ଭର୍ଚ୍ଚୁଆଲି ହାଜର କରିବା ଅନୁମତି ପ୍ରଦାନ କରିବା ପାଇଁ ଦିଲ୍ଲୀ ପୋଲିସ ଆବେଦନ କରିଥିଲା ।
ଆଜି ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏମ.କେ ନାଗପାଲ କହିଥିଲେ, ସିସୋଦିଆଙ୍କୁ ପରବର୍ତ୍ତୀ ଶୁଣାଣିଠାରୁ କୋର୍ଟରେ ପୋଲିସ ପ୍ରତ୍ୟେକ୍ଷ ହାଜର କରିବ । ସେହିପରି ସେ ପୋଲିସର ସୁରକ୍ଷା ଚିନ୍ତା ପ୍ରସଙ୍ଗରେ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ ବିଚାରପତି । କହିଥିଲେ ଶୁଣାଣି ସୟମରେ କୋର୍ଟ ପରିସରରେ ସିସୋଦିଆଙ୍କ ଦଳ ଆମ ଆଦମୀ ପାର୍ଟିର କୌଣସି କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତାଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବନାହିଁ ।
ସେହିପରି ସିସୋଦିଆଙ୍କୁ ହାଜର ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ଦେଖିବାକୁ ମିଳୁଥିବା ବେଳେ କୋର୍ଟ ସେ ନେଇ ମଧ୍ଯ ଚିନ୍ତା ପ୍ରକଟ କରିଛନ୍ତି । ସିଧାସଳଖ ଗଣମାଧ୍ୟମକୁ କୋର୍ଟ ପରିସରରେ ପ୍ରବେଶ ପାଇଁ ମନା କରାଯାଇନଥିଲେ ସୁଦ୍ଧା ଗଣମାଧ୍ୟମ ପ୍ରତିନିଧିମାନେ ସିସୋଦିଆଙ୍କଠାରୁ ଆବଶ୍ୟକ ଦୂରତା ବଜାୟ ରଖିବା ପାଇଁ କୋର୍ଟ କହିଛନ୍ତି । ଯଦି ଏହି ନିର୍ଦ୍ଦେଶନାମାରେ କୌଣସିଠାରେ ଉଲଙ୍ଘନ ଆସେ, ତେବେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦିଲ୍ଲୀ ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଶୁଣାଣି ସମୟରେ ସିସୋଦିଆଙ୍କୁ କୋର୍ଟ ପରିସରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରୁଥିବା ବେଳେ ପୋଲିସ ତାଙ୍କୁ ଭିଡି ନେଇଥିଲା । ଏକାଧିକ ପୋଲିସ ଅଧିକାରୀ ଗଣମାଧ୍ୟମ କର୍ମୀଙ୍କୁ ଠେଲାପେଲା କରିବା ସହ ସିସୋଦିଆଙ୍କୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ସୁଯୋଗ ଦେଇନଥିଲେ । ସିସୋଦିଆ ପ୍ରତିକ୍ରିୟା ଦେବା ପାଇଁ ପ୍ରୟାସ କରୁଥିବା ବେଳେ ଏକାଧିକ ପୋଲିସ ଅଧିକାରୀ ତାଙ୍କୁ ଟାଣିନେଇ ଗାଡିରେ ବସାଉଥିବା ଭିଡିଓ ଭଇରାଲ ହୋଇଥିଲା । ଯାହାକୁ ଆମ ଆଦମୀ ପାର୍ଟି ତୀବ୍ର ବିରୋଧ କରିବା ସହ ଏହା ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ:-Delhi: ସିସୋଦିଆଙ୍କୁ କୋର୍ଟରେ ହାଜର ବେଳେ ପୋଲିସର ଦୁର୍ବ୍ୟବହାର !
ବହୁଚର୍ଚ୍ଚିତ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହେବା ପରେ ସିସୋଦିଆଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାମିନ ମିଳିନି । ସେ ଏକାଧିକ ଥର ଜାମିନ ଆବେଦନ କରି ମଧ୍ୟ ନିରାଶ ହୋଇଛନ୍ତି । ତାଙ୍କୁ ଜାମିନ ମିଳିଲେ ତଥ୍ୟ ପ୍ରମାଣ ନଷ୍ଟ ହେବା ସହ ତଦନ୍ତ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ଥିବା ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ କୋର୍ଟରେ ଆପତ୍ତି ଦର୍ଶାଇଛନ୍ତି । ସେ ଜଣେ ରାଜନୈତିକ ବ୍ୟକ୍ତିବିଶେଷ ହୋଇଥିବା କାରଣରୁ ତଦନ୍ତରେ ସ୍ବଚ୍ଛତା ପାଇଁ ତାଙ୍କୁ ଜାମିନ ନମିଳିବା ପାଇଁ ତତନ୍ତକାରୀ ସଂସ୍ଥା କୋର୍ଟରେ ବାରମ୍ବାର ଆପତ୍ତି ଦର୍ଶାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ